କୁଲଗାଓଁ: ଦକ୍ଷିଣ କାଶ୍ମୀରର କୁଲଗାଓଁରେ ନଭେମ୍ବର ୧୧ ତାରିଖ ଦିନ ସିଆରପିଏଫ ନାକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଯାଞ୍ଚ ଏଜେନ୍ସୀ ତଦନ୍ତ ପରିସର ସମ୍ପ୍ରସାରଣ କରିଛନ୍ତି। ଏହି ଆକ୍ରମଣ ପଛରେ ଲସ୍କର ମ଼ଡ୍ୟୁଲର ହାତ ଥିବା ନେଇ ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛନ୍ତି, ଯେଉଁଥିରେ ସ୍ଥାନୀୟ ଆତଙ୍କବାଦୀ ଅବଦୁଲ ଲତିଫ ସହିତ ୨ ପାକିସ୍ତାନୀ ଆତଙ୍କବାଦୀଙ୍କ ଯାଞ୍ଚ କରାଯାଉଛି। ତଦନ୍ତରୁ ଏହା ଆଶଙ୍କା କରାଯାଉଛି ଯେ ଏହି ଆକ୍ରମଣ ଅଚାନକ ହୋଇ ନାହିଁ, ବରଂ ଆତଙ୍କବାଦୀ ଗୁଳିକାଣ୍ଡ ପୂର୍ବରୁ ଅଞ୍ଚଳର ରେକି କରିଥିଲେ।

କେବଳ ଏତିକି ନୁହେଁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାଠାରୁ ଆରମ୍ଭ କରି ଆକ୍ରମଣ ପରେ ସୁରକ୍ଷିତ ପଳାୟନର ରାସ୍ତା ଉପଲବ୍ଧ କରିବାରେ ଓଭରଗ୍ରାଉଣ୍ଡ ୱାର୍କରଙ୍କ ହାତଥିବାର ସନ୍ଦେହ କରାଯାଉଛି। ନଭେମ୍ବର ୧୧ ତାରିଖ ମଧ୍ୟାହ୍ନ ପାଖାପାଖି ୨ଟା ବେଳେ ଅଖରାନ ଅଞ୍ଚଳର ମୀର ବଜାର ନିକଟରେ ସିଆରପିଏଫ ନାକାକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ଏହି ସମୟରେ ଏକେ ରାଇଫଲରୁ ଚଳାଯାଇଥିବା ଗୁଳିରେ ୩ ଜଣ ଜବାନ ଆହତ ହୋଇଥିଲେ।

ପ୍ରାରମ୍ଭିକ ଯାଞ୍ଚରେ ଆଶଙ୍କା କରାଯାଇଥିଲା ଆତଙ୍କବାଦୀ ମୋଟର ସାଇକେଲରେ ଆସିଥିଲେ। ତେବେ ସିସିଟିଭି ଫୁଟେଜ ଦେଖିବା ପରେ ଯାଞ୍ଚର ଦିଗ ବଦଳି ଯାଇଛି। ତଦନ୍ତ ଏଜେନ୍ସୀଙ୍କ ଅନୁସାରେ ଆତଙ୍କବାଦୀ ଦଳ ଓ ଜଙ୍ଗଲର ଫାଇଦା ଉଠାଇ ସିଆରପିଏଫ ନାକା ଉପରେ ଅନୁନ୍ୟ ୫୦ ମିଟର ଦୂରରୁ ଗୁଳି ବର୍ଷା କରିଥିଲେ। ଏହାପରେ ଆତଙ୍କବାଦୀ ଘନ ଜଙ୍ଗଲ ଓ ଦୁର୍ଗମ ରାସ୍ତା ଦେଇ ଫେରାର ହୋଇଯାଇଛନ୍ତି। ସୁରକ୍ଷା ଏଜେନ୍ସୀ ଘଟଣାସ୍ଥଳରୁ ଖାଲି କାଟ୍ରିଜ ଜବତ କରିଛନ୍ତି। ଫରେନସିକ୍ ବିଶେଷଜ୍ଞ କାଟ୍ରିଜ ଗୁଡିକର ଯାଞ୍ଚ କରୁଛନ୍ତି। ଏଥିରୁ ଅସ୍ତଶସ୍ତ୍ର ଦକ୍ଷିଣ କାଶ୍ମୀରରେ ହୋଇଥିବା ପିଛିଲା ଆତଙ୍କୀ କାଣ୍ଡରେ ଉପଯୋଗ ହୋଇଥିଲା କି ନା ସ୍ପଷ୍ଟ ହୋଇଯିବ।

ତେବେ ଆତଙ୍କବାଦୀଙ୍କୁ ସ୍ଥାନୀୟ ସ୍ତରରେ ମିଳୁଥିବା ସହାୟତା ଏବେ ତଦନ୍ତ ପରିସରକୁ ଆସିଛି। ମାମଲାରେ ଗତ ୨ ଦିନରେ ୫୦୦ରୁ ଅଧିକ ଲୋକଙ୍କୁ ପଚରା ଉଚରା କରାଗଲାଣି। ଏଥିରେ ଅଧିକାଂଶ ଲୋକଙ୍କୁ ପଚରା ଉଚରା ପରେ ଛାଡି ଦିଆଯାଇଛି। ତେବେ ଅନୁନ୍ୟ ୨୦ ଜଣଙ୍କୁ ପରବର୍ତ୍ତି ପଚରା ଉଚରା ପାଇଁ ଅଟକ ରଖାଯାଇଛି। ଏହି ୨୦ ଜଣଙ୍କ ମଧ୍ୟରୁ ୩ ଜଣ ଲସ୍କରର ଓଭରଗ୍ରାଉଣ୍ଡ ୱାର୍କର ହୋଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ଏ ପର୍ଯ୍ୟନ୍ତ କାହାକୁ ଔପଚାରିକ ଗିରଫ କରାଯାଇ ନାହିଁ। ସୁରକ୍ଷା ଏଜେନ୍ସୀ ଅଲଗା ଅଲଗା ଜାଗାର ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି ଓ କିଛି ସ୍ଥାନ ଉପରେ ଚଢାଉ ମଧ୍ୟ କରାଯାଇଛି।

ତଦନ୍ତର ଉଦ୍ଦେଶ୍ୟ କେବଳ ଆକ୍ରମଣକୁ ସଫଳ କରିଥିବା ଆତଙ୍କବାଦୀଙ୍କ ପର୍ଯ୍ୟନ୍ତ ପହଞ୍ଚିବା ନୁହେଁ, ବରଂ କାଶ୍ମୀରରେ ସେମାନଙ୍କୁ ସହାୟତା କରୁଥିବା ନେଟୱାର୍କକୁ ଧ୍ୱଂସ୍ତ କରିବା। କୁଲଗାଓଁ ଆକ୍ରମଣ ଯାଞ୍ଚରେ ସ୍ଥାନୀୟ ସହାୟତାକାରୀଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳା ଭାବେ ଉଭା ହୋଇଛି। ଆତଙ୍କବାଦୀଙ୍କୁ ଶରଣ କିଏ ଦେଇଥିଲା, ତାଙ୍କୁ ରେକି କରିବାରେ କିଏ ସହାୟତା କରିଥିଲା ଓ ଗୁଳିକାଣ୍ଡ ପରେ ଫେରାର ହେବାକୁ ସୁରକ୍ଷିତ ରାସ୍ତା କିଏ ଉପଲବ୍ଧ କରିଥିଲା ତାହା ଜାଣିବା ଏବେ ତଦନ୍ତକାରୀ ସଂସ୍ଥାନ ଲାଗି ମୁଖ୍ୟ ତଦନ୍ତର ବିଷୟ ପାଲଟିଛି।