ଭଦ୍ରକ ୨୦।୫: ଗ୍ରୁପ୍ ଟଙ୍କା ଡିପୋଜିଟ୍ କରିବାକୁ ବ୍ୟାଙ୍କ୍‌କୁ ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିଲେନି । ୫ ଲକ୍ଷରୁ ଅଧିକ କିସ୍ତି ଟଙ୍କା ସହ ଘରର ସବୁ ସୁନାରୁପା ଧରି ଛୁ ମାରିଲେ । ଅନ୍ୟ କିଛି ଉପାୟ ନପାଇ ସ୍ବାମୀ ଏବେ ଥାନାର ଦ୍ବାରସ୍ଥ । ଅନ୍ୟ ଜଣେ ଯୁବକଙ୍କ ସହ ସେ ଫେରାର ହୋଇଯାଇଥିବା ସ୍ବାମୀ ଅଭିଯୋଗ ଆଣିଛନ୍ତି । ଏପରି ଅଭିଯୋଗ ଆଣିବା ସହିତ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ସ୍ୱାମୀ ।

ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ମାସ ୩ ତାରିଖରେ ଭଦ୍ରକ ପୀରହାଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର କରୁଣାକର ଓଝାଙ୍କ ସ୍ତ୍ରୀ ସାବିତ୍ରୀ ଓଝା ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଯାଇ ଆଉ ଫେରି ନଥିଲେ । ପରେ ବହୁ ଖୋଜାଖୋଜି କରି ସାବିତ୍ରୀ ନମିଳିବାରୁ ସ୍ୱାମୀ ପୀରହାଟ ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ପୋଲିସ କେବଳ ମାମଲା ରୁଜୁ କଲା ସତ ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି କରୁଣାକର । ଏପରିକି ସାବିତ୍ରୀ ଗାଁରୁ ବିଭିନ୍ନ ଗ୍ରୁପ୍‌ରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଯାଇଥିବା ବେଳେ ଘରର ସମସ୍ତ ସୁନାରୁପା ମଧ୍ୟ ନେଇ ଯାଇଛନ୍ତି ।

Also Read:- ପଞ୍ଜାବରେ ଅଦିନିଆ ରଥଯାତ୍ରାକୁ ବିରୋଧ, ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି

ପରେ ବୁଝାବୁଝି କରିବା ପରେ ସାବିତ୍ରୀ ଜଣେ ଯୁବକଙ୍କ ସହିତ ଟଙ୍କା ପଇସା ଧରି ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ । ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ତିନି ପିଲାଙ୍କ ପେଟ ପୋଷଣ କରୁଥିବା କରୁଣାକରଙ୍କୁ କିସ୍ତି ଟଙ୍କା ଫେରାଇବାକୁ ବିଭିନ୍ନ ଆଡୁ ଗାଁରେ ଏବେ ବାଧ୍ୟ କରାଯାଉଛି । ତେବେ ଫେରାର ହୋଇଥିବା ସ୍ତ୍ରୀକୁ ତୁରନ୍ତ ଠାବ କରି ତାଙ୍କୁ ନ୍ୟାୟ ଦେବାକୁ ସେ ଏସ୍‌ପିଙ୍କୁ ଭେଟି ଦାବି କରିଛନ୍ତି ।