ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନକୁ ବିରୋଧ କରିବା ଉଦ୍ଦେଶ୍ୟରେ ଶୁକ୍ରବାର କୋଟିଆ ପଞ୍ଚାୟତ ଗସ୍ତ କରିବ ବିଜୁ ଜନତା ଦଳ (ବିଜେଡି)ର ଏକ ପ୍ରତିନିଧିମଣ୍ଡଳୀ। ବିଜେଡିର ଏହି ଗସ୍ତ ଫଳରେ ଦୀର୍ଘଦିନ ଧରି ଚାଲିଥିବା କୋଟିଆ ବିବାଦ ଏବଂ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପ୍ରସଙ୍ଗ ପୁଣିଥରେ ରାଜନୈତିକ ଚର୍ଚ୍ଚାକୁ ଆସିଛି।

ପ୍ରସ୍ତାବିତ ଗସ୍ତ ସମୟରେ ବିଜେଡି ପ୍ରତିନିଧିମଣ୍ଡଳୀ କୋଟିଆର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବ। ଏହା ସହିତ ଅଞ୍ଚଳର ବର୍ତ୍ତମାନର ସ୍ଥିତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏକ ବିସ୍ତୃତ ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବ।

ଟିମ୍‌ରେ ରହିଛନ୍ତି ଏହି ସବୁ ନେତା

ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଝିନ୍ନ ହିକକା, ବିଧାୟକ ତଥା ବିଜେଡି ଆଦିବାସୀ ସେଲର ଉପସଭାପତି ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଆଦିବାସୀ ସେଲର ଉପସଭାପତି ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ତଥା ବିଜେଡି ଆଦିବାସୀ ସେଲର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଆଦିବାସୀ ସେଲର ପରାମର୍ଶଦାତା ରମେଶ ମାଝୀ, ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଭୃଗୁ ବକ୍ସିପାତ୍ର, ବିଜେଡି ମୁଖପାତ୍ର ତୁମ୍ୱନାଥ ପଣ୍ଡା, ପୂର୍ବତନ ବିଧାୟକ ତଥା ବିଜେଡି ଆଦିବାସୀ ସେଲର ଉପସଭାପତି ମାନସ ମାଡକାମୀ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଭୁ ଜାନି, ବିଜେଡି ଆଦିବାସୀ ସେଲର ସାଧାରଣ ସମ୍ପାଦିକା କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସଶ୍ମିତା ମେଲକା ଏବଂ କୋରାପୁଟ ପୌରପାଳିକାର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ସାମିଲ ହେବେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ

କୋଟିଆ ପ୍ରସଙ୍ଗରେ ପୂର୍ବରୁ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଏହା ସହିତ କୋଟିଆ ସମସ୍ୟାର ସମାଧାନ ଏବଂ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ।

Also Read: କୋଟିଆ ବିବାଦରେ ରାଜ୍ୟ ସରକାରଙ୍କୁ ଭକ୍ତ ଦାସଙ୍କ ଟାର୍ଗେଟ୍, ତୁରନ୍ତ ସମାଧାନ ପାଇଁ କଲେ ଦାବି

​​​​​​​​​​​​୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ, ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ଏବଂ ଓଡ଼ିଆ ସ୍ୱାଭିମାନର ପୁନଃପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲା ବୋଲି ନବୀନ ଉଲ୍ଲେଖ କରିଥିଲେ। ତେବେ ଏହି ପ୍ରତିଶ୍ରୁତି ପୂରଣ କରିବାରେ ବିଜେପି ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି।

କୋଟିଆବାସୀଙ୍କ ସ୍ୱାର୍ଥ ଏବଂ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏଥିସହ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି କହିଥିଲେ ନବୀନ।