ମୁମ୍ଵାଇ ୨୩।୧୦; ବଲିଉଡ୍‌ର ଏକ ଚର୍ଚ୍ଚିତ ପ୍ରେମ କାହାଣୀ ସଲମାନ ଖାନ୍ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କକୁ ନେଇ ଆଜି ମଧ୍ୟ ଚର୍ଚ୍ଚା ଥମିନାହିଁ। ଦୁହିଁଙ୍କ ପ୍ରେମ ସମ୍ପର୍କର ଅନେକ ରୋଚକ ଘଟଣା ଆଜି ବି ପ୍ରଶଂସକଙ୍କ ମନରେ ଉତ୍ସୁକତା ସୃଷ୍ଟି କରେ। ଏବେ ଏହି ପୁରୁଣା ପ୍ରେମ କାହାଣୀକୁ ନେଇ ଏକ ନୂଆ ଖୁଲାସା କରିଛନ୍ତି ଅଭିନେତ୍ରୀ ସ୍ମିତା ଜୟକର।

ସଞ୍ଜୟ ଲୀଲା ଭନସାଲୀଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ସୁଟିଂ ସମୟର ଏକ ଘଟଣା ବଖାଣିଛନ୍ତି ସ୍ମିତା। ତାଙ୍କ କହିବା ଅନୁଯାୟୀ, ଚଳଚ୍ଚିତ୍ରର ‘ଆଖୋଁ କି ଗୁସ୍ତାଖିୟାଁ’ ଗୀତର ସୁଟିଂ ବେଳେ ସଲମାନ ଖାନ୍ ସ୍କ୍ରିପ୍ଟରେ ନଥିବା ଏକ କାମ କରିଥିଲେ। ସିନ୍ ଅନୁସାରେ, ସଲମାନଙ୍କୁ ଐଶ୍ୱର୍ଯ୍ୟାଙ୍କ ସାମ୍ନାରେ ଯାଇ ଛିଡ଼ା ହେବାର ଥିଲା। କିନ୍ତୁ ସେ ଯାଇ ଐଶ୍ୱର୍ଯ୍ୟାଙ୍କ ବାହୁକୁ ଛୁଇଁ ଦେଇଥିଲେ।

ଏହି ଘଟଣା ଦେଖି ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ତୁରନ୍ତ ସଲମାନଙ୍କୁ ପ୍ରଶ୍ନ କରିଥିଲେ। ସିନ୍ରେ ଏପରି କିଛି ନଥିବା ସତ୍ତ୍ୱେ ସେ କାହିଁକି ଐଶ୍ୱର୍ଯ୍ୟାଙ୍କୁ ଛୁଇଁଲେ ବୋଲି ପଚାରିଥିଲେ। ସ୍ମିତାଙ୍କ ମତରେ, ସେହି ସମୟରେ ସଲମାନ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ। ଏହାକୁ ସେ ଅନ୍ତରରୁ ପ୍ରେମକୁ ପ୍ରକାଶ କରିଥିଲେ।

କେବଳ ଏତିକି ନୁହେଁ, ସ୍ମିତା ଏହା ମଧ୍ୟ କହିଛନ୍ତି ଯେ ଦୁହିଁଙ୍କ ମଧ୍ୟରେ ଥିବା ନିବିଡ଼ତା ସୁଟିଂ ସେଟ୍ରେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଥିଲା। ଏପରିକି ସକାଳ ୭ଟାରେ ସୁଟିଂ ଆରମ୍ଭ ହେବାକୁ ଥିଲେ ମଧ୍ୟ, ଅନେକ ସମୟରେ ସଲମାନ ଓ ଐଶ୍ୱର୍ଯ୍ୟା ସକାଳ ପ୍ରାୟ ୧୧ଟାରେ ପହଞ୍ଚୁଥିଲେ। ଫଳରେ ଅନ୍ୟ କଳାକାର ଓ ସୁଟିଂ ଟିମକୁ ଅପେକ୍ଷା କରିବାକୁ ପଡ଼ୁଥିଲା ବୋଲି ସେ ମନେ ପକାଇଛନ୍ତି।

‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ ଦୁହିଁଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ଦର୍ଶକଙ୍କ ମନ ଜିଣିଥିଲା। ଆଉ ଏବେ ସ୍ମିତା ଜୟକରଙ୍କ ଏହି ଖୁଲାସା ପୁଣିଥରେ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ପୁରୁଣା ପ୍ରେମ କାହାଣୀକୁ ଚର୍ଚ୍ଚାକୁ ଆଣିଛି। ପରଦାରେ ଦେଖାଯାଇଥିବା ପ୍ରେମ ପଛରେ ବାସ୍ତବ ଜୀବନର ଭାବନା କେତେ ଗଭୀର ଥିଲା, ତାହାକୁ ନେଇ ପୁଣି ଆରମ୍ଭ ହୋଇଛି ଆଲୋଚନା।