ଦେଶର ଅନ୍ୟତମ ବଡ଼ ଶିଳ୍ପ ସାମ୍ରାଜ୍ୟ ଅଦାନୀ ଗ୍ରୁପ୍ରେ ଆରମ୍ଭ ହେବାକୁ ଯାଉଛି ପିଢ଼ି ପରିବର୍ତ୍ତନର ପ୍ରକ୍ରିୟା। ଗୌତମ ଅଦାନୀଙ୍କ ପରେ କିଏ ସମ୍ଭାଳିବ ହଜାର ହଜାର କୋଟିର ବ୍ୟବସାୟ? ଏଥିପାଇଁ ଚାରି ଜଣଙ୍କୁ ନେଇ ପ୍ରସ୍ତୁତ ହୋଇଛି ନେତୃତ୍ୱ ଯୋଜନା। ଦୁଇ ପୁଅ କରଣ ଓ ଜିତ୍ଙ୍କ ସହ ଦୁଇ ପୁତୁରା ପ୍ରଣବ ଓ ସାଗରଙ୍କ ଉପରେ ରହିବ ଗ୍ରୁପ୍ର ଆଗାମୀ ଦିନର ଦାୟିତ୍ୱ। ଏହି ନୂଆ ନେତୃତ୍ୱ ଟିମ୍ର ନାଁ ରହିଛି ‘G2 ଲିଡରସିପ୍’। ତେବେ କିଏ କେଉଁ ବ୍ୟବସାୟ ସମ୍ଭାଳିବେ? ଦେଖନ୍ତୁ ଏହି ରିପୋର୍ଟ।

ଭାରତର ବ୍ୟବସାୟ ଜଗତରେ ବଡ଼ ଖବର। ଅଦାନୀ ଗ୍ରୁପ୍ର ଭବିଷ୍ୟତ ନେତୃତ୍ୱକୁ ନେଇ ସାମ୍ନାକୁ ଆସିଛି ନୂଆ ରୋଡମ୍ୟାପ୍। ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଅଦାନୀ ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ପରବର୍ତ୍ତୀ ପିଢ଼ିର ନେତୃତ୍ୱ ନେବା ପାଇଁ ଚିହ୍ନଟ କରିଛନ୍ତି। ଏହି ଚାରି ଜଣ ହେଉଛନ୍ତି ତାଙ୍କର ଦୁଇ ପୁଅ କରଣ ଅଦାନୀ ଓ ଜିତ୍ ଅଦାନୀ, ଏବଂ ଦୁଇ ପୁତୁରା ପ୍ରଣବ ଅଦାନୀ ଓ ସାଗର ଅଦାନୀ। ଏହି ନେତୃତ୍ୱ ଗଠନକୁ ‘G2 ଲିଡରସିପ୍’ ନାମ ଦିଆଯାଇଥିବା ବେଳେ , ଫର୍ଚ୍ୟୁନ୍ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ଗୌତମ ଅଦାନୀ ଏହି ଯୋଜନା ସମ୍ପର୍କରେ ନିଜ ମତ ରଖିଛନ୍ତି। ତେବେ ଏଯାବତ ଦାଇତ୍ୱ ହସ୍ତାନ୍ତର ପାଇଁ କୌଣସି ନିର୍ଦ୍ଧିଷ୍ଠ ତାରିଖ ଘୋଷଣ କରାଯାଇ ନାହିଁ ।ତେବେ ପ୍ରଥମେ ଜାଣିବା କରଣ ଅଦାନୀଙ୍କ ବିଷୟରେ।

ଗୌତମ ଅଦାନୀଙ୍କ ବଡ଼ ପୁଅ ହେଉଛନ୍ତି କରଣଙ୍କ ବୟସ ୩୯ ବର୍ଷ। ୨୦୦୯ରେ ମୁନ୍ଦ୍ରା ବନ୍ଦରରୁ ସେ ନିଜର ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲେ। ୨୦୧୬ରେ ଅଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ର CEO ହୋଇଥିଲେ। ୨୦୨୪ରେ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଦାୟିତ୍ୱ ପାଇଥିଲେ। ବନ୍ଦର, ପରିବହନ, ଲଜିଷ୍ଟିକ୍ସ ଓ ସିମେଣ୍ଟ ବ୍ୟବସାୟରେ ତାଙ୍କର ପ୍ରମୁଖ ଭୂମିକା ରହିଛି I ସାନ ପୁଅ ଜିତ୍ ଅଦାନୀ ବୟସ ୨୯ I ଜିତ୍ ୨୦୧୯ରେ ଅଦାନୀ ଗ୍ରୁପ୍ରେ ଯୋଗ ଦେଇଥିଲେ। ଆମେରିକାର ୟୁନିଭର୍ସିଟି ଅଫ୍ ପେନସିଲଭାନିଆରେ ପାଠପଢ଼ା ଶେଷ କରିବା ପରେ ଗ୍ରୁପ୍ର ମୁଖ୍ୟ ଆର୍ଥିକ ଅଧିକାରୀଙ୍କ କାର୍ଯ୍ୟାଳୟରୁ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଅଦାନୀ ଏୟାରପୋର୍ଟ ହୋଲ୍ଡିଂସ୍ର ଡାଇରେକ୍ଟର। ଗ୍ରୁପ୍ର ଆଠଟି ବିମାନବନ୍ଦର ସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ସେଣ୍ଟର, ପ୍ରତିରକ୍ଷା, ପେଟ୍ରୋକେମିକାଲ୍ସ ଓ ଧାତୁ ବ୍ୟବସାୟ ଭଳି ନୂଆ କ୍ଷେତ୍ରରେ ତାଙ୍କର ଦାୟିତ୍ୱ ରହିଛି। ଠିକ ସେହିପରି ନେତୃତ୍ୱ ତାଲିକାରେ ତୃତୀୟ ନାଁ ରହିଛି ପ୍ରଣବ ଅଦାନୀ।

ଗୌତମ ଅଦାନୀଙ୍କ ବଡ଼ ଭାଇ ବିନୋଦ ଅଦାନୀଙ୍କ ପୁଅ ପ୍ରଣବଙ୍କ ବୟସ ୪୮ ବର୍ଷ। ୧୯୯୯ରେ ଅଦାନୀ ୱିଲମାର୍ରୁ ନିଜର ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଅଦାନୀ ଏଣ୍ଟରପ୍ରାଇଜେସ୍ର ଡାଇରେକ୍ଟର ଏବଂ ଏଗ୍ରୋ, ଅଏଲ୍ ଆଣ୍ଡ ଗ୍ୟାସ୍ ବ୍ୟବସାୟର ମ୍ୟାନେଜିଂ ଡାଇରେକ୍ଟର। ରିଅଲ୍ ଇଷ୍ଟେଟ୍, ସହରୀ ଭିତ୍ତିଭୂମି, ସିଟି ଗ୍ୟାସ୍ ବିତରଣ, କ୍ରୀଡ଼ା ଓ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ମଧ୍ୟ ତାଙ୍କର ଭୂମିକା ରହିଛି। ଚତୁର୍ଥ ସଦସ୍ୟ ହେଉଛନ୍ତି ସାଗର ଅଦାନୀ। ଗୌତମ ଅଦାନୀଙ୍କ ଭାଇ ରାଜେଶ ଅଦାନୀଙ୍କ ପୁଅ ସାଗରଙ୍କ ବୟସ ୩୨ ବର୍ଷ। ସାଗର ୨୦୧୫ରେ ଗ୍ରୁପ୍ରେ ଯୋଗ ଦେଇଥିବା ବେଳେ , ଅଦାନୀ ଗ୍ରୀନ୍ ଏନର୍ଜିର ସୋଲାର ଓ ୱିଣ୍ଡ ଏନର୍ଜି ପୋର୍ଟଫୋଲିଓ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ସେ ଅଦାନୀ ଗ୍ରୀନ୍ ଏନର୍ଜିର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଥିବା ସହ ଗ୍ରୁପ୍ର ଅନ୍ୟ ଶକ୍ତି ବ୍ୟବସାୟ ସହ ଆର୍ଥିକ ରଣନୀତି ଓ ପୁଞ୍ଜି ବିନିଯୋଗ ଦିଗରେ ମଧ୍ୟ ତାଙ୍କର ଦାୟିତ୍ୱ ରହିଛି। କେବଳ ଚାରି ଜଣ ଉତ୍ତରାଧିକାରୀ ନୁହନ୍ତି, ଏହି ଯୋଜନା ସହ ଜଡ଼ିତ ରହିଛି ଏକ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟର ଭବିଷ୍ୟତ।

​​​​​​​

କୋଇଲା ବାଣିଜ୍ୟରୁ ଯାତ୍ରା ଆରମ୍ଭ କରିଥିବା ଅଦାନୀ ଗ୍ରୁପ୍ ଆଜି ବନ୍ଦର, ବିମାନବନ୍ଦର, ବିଦ୍ୟୁତ୍, ଅକ୍ଷୟ ଶକ୍ତି, ସିମେଣ୍ଟ, ଗ୍ୟାସ୍ ଓ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରରେ ବ୍ୟବସାୟ କରୁଛି। ଫର୍ଚ୍ୟୁନ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ୨୦୨୬ ଆର୍ଥିକ ବର୍ଷରେ ଗ୍ରୁପ୍ର ରାଜସ୍ୱ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ରହିଥିଲା। ଏହାର ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମିଳିତ ବଜାର ପୁଞ୍ଜିକରଣ ୧୭ ଲକ୍ଷ କୋଟି ଟଙ୍କାରୁ ଅଧିକ। ଏଭଳି ଏକ ବିଶାଳ ବ୍ୟବସାୟର ଭବିଷ୍ୟତ ଦାୟିତ୍ୱ ଏବେ ଏହି ଚାରି ଜଣଙ୍କ ନେତୃତ୍ୱ ଉପରେ ନିର୍ଭର କରିବ। ଅଦାନୀ ଗ୍ରୁପ୍ରେ ନୂଆ ପିଢ଼ିର ନେତୃତ୍ୱ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ଚାଲିଛି । କିନ୍ତୁ ଏହି ଚାରି ଜଣଙ୍କୁ କେବେ ସମ୍ପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର ହେବ, ସେନେଇ ଏବେ ବି କୌଣସି ସମୟସୀମା ଘୋଷଣା ହୋଇନାହିଁ। ଆଗାମୀ ଦିନରେ ଏହି G2 ଟିମ୍ ଅଦାନୀ ସାମ୍ରାଜ୍ୟକୁ କେଉଁ ଦିଗକୁ ନେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।