ନୂଆଦିଲ୍ଲୀ: ଲିଥିୟମ୍-ଆୟନ୍ ବ୍ୟାଟେରୀର ବର୍ଜ୍ୟବସ୍ତୁ ରପ୍ତାନି ଉପରେ ବଡ଼ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ବ୍ୟବହୃତ ଲିଥିୟମ୍-ଆୟନ୍ ବ୍ୟାଟେରୀରୁ ବାହାରୁଥିବା ମୂଲ୍ୟବାନ ପଦାର୍ଥ ‘ବ୍ଲାକ୍ ମାସ୍’ ରପ୍ତାନିକୁ ତତ୍କାଳ ପ୍ରଭାବରୁ ନିଷିଦ୍ଧ କରାଯାଇଛି। ନଭେମ୍ବର ୧୦ ତାରିଖରେ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି।

କ'ଣ ଏହି ବ୍ଲାକ୍ ମାସ୍?ବ୍ଲାକ୍ ମାସ୍ ହେଉଛି ବ୍ୟବହାର ଅନୁପଯୋଗୀ ହୋଇଯାଇଥିବା ଲିଥିୟମ୍-ଆୟନ୍ ବ୍ୟାଟେରୀ ଏବଂ ବ୍ୟାଟେରୀ ନିର୍ମାଣ ସମୟରେ ବାହାରୁଥିବା ବର୍ଜ୍ୟବସ୍ତୁକୁ ଭାଙ୍ଗି ଓ ଶ୍ରେଡିଂ କରିବା ପରେ ମିଳୁଥିବା କଳା ରଙ୍ଗର ଗୁଣ୍ଡ। ଏହା ସାଧାରଣ ବର୍ଜ୍ୟବସ୍ତୁ ନୁହେଁ। ଏଥିରେ ଲିଥିୟମ୍, କୋବାଲ୍ଟ, ନିକେଲ୍ ଏବଂ ମାଙ୍ଗାନିଜ୍ ଭଳି ମୂଲ୍ୟବାନ ଖଣିଜ ପଦାର୍ଥ ରହିଥାଏ। ବିଶେଷ ପ୍ରକ୍ରିୟାରେ ଏହି ଖଣିଜଗୁଡ଼ିକୁ ପୁନରୁଦ୍ଧାର କରାଯାଇ ପୁଣିଥରେ ନୂଆ ବ୍ୟାଟେରୀ ନିର୍ମାଣରେ ବ୍ୟବହାର କରାଯାଇପାରେ।

କାହିଁକି ରପ୍ତାନି ଉପରେ ଲାଗିଲା କଟକଣା?ବିଦେଶରୁ ମୂଲ୍ୟବାନ ଖଣିଜ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା କମାଇବା ଏହି ନିଷ୍ପତ୍ତିର ଏକ ପ୍ରମୁଖ ଉଦ୍ଦେଶ୍ୟ। ଦେଶରେ ଉତ୍ପାଦିତ ବ୍ଲାକ୍ ମାସ୍ ବିଦେଶକୁ ଚାଲିଯିବା ଫଳରେ ଘରୋଇ ରିସାଇକ୍ଲିଂ ଶିଳ୍ପକୁ ଆବଶ୍ୟକ କଞ୍ଚାମାଲ ମିଳିବାରେ ସମସ୍ୟା ହେଉଥିଲା। ଏପରିକି ଦେଶର କିଛି ରିସାଇକ୍ଲିଂ ୟୁନିଟ୍ ନିଜର ଆବଶ୍ୟକତା ପୂରଣ ପାଇଁ ବିଦେଶରୁ ବ୍ଲାକ୍ ମାସ୍ ଆମଦାନୀ କରିବାକୁ ପଡ଼ୁଥିଲା। ତେଣୁ ଦେଶରେ ଉତ୍ପାଦିତ ବ୍ଲାକ୍ ମାସ୍ ଦେଶ ଭିତରେ ହିଁ ରିସାଇକ୍ଲିଂ ଓ ପ୍ରକ୍ରିୟାକରଣ ହେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ଲିଥିୟମ୍, କୋବାଲ୍ଟ ଓ ନିକେଲ୍ ଭଳି ଖଣିଜ ପଦାର୍ଥର ଘରୋଇ ଉତ୍ପାଦନ ବଢ଼ିବା ସହ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ଆଶା ରହିଛି।

ଇଲେକ୍ଟ୍ରିକ୍ ଗାଡ଼ି ଶିଳ୍ପକୁ ମିଳିବ ଫାଇଦା

ବର୍ତ୍ତମାନ ଇଲେକ୍ଟ୍ରିକ୍ ଯାନ , ମୋବାଇଲ୍ ଫୋନ୍, ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଓ ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣରେ ଲିଥିୟମ୍-ଆୟନ୍ ବ୍ୟାଟେରୀର ବ୍ୟବହାର ବଢ଼ୁଛି। ଏହି ବ୍ୟାଟେରୀ ନିର୍ମାଣ ପାଇଁ ଲିଥିୟମ୍, କୋବାଲ୍ଟ ଓ ନିକେଲ୍ ଭଳି ଖଣିଜର ଆବଶ୍ୟକତା ରହିଛି। ଦେଶ ଭିତରେ ଏହି ଖଣିଜର ପୁନରୁଦ୍ଧାର ବଢ଼ିଲେ ବ୍ୟାଟେରୀ ନିର୍ମାଣ କ୍ଷେତ୍ରକୁ ସ୍ଥାନୀୟ ଭାବେ କଞ୍ଚାମାଲ ମିଳିପାରିବ। ଏହା ଫଳରେ ଇଲେକ୍ଟ୍ରିକ୍ ଗାଡ଼ି ଶିଳ୍ପ ଓ ସ୍ୱଚ୍ଛ ଶକ୍ତି କ୍ଷେତ୍ରର ଯୋଗାଣ ବ୍ୟବସ୍ଥା ମଜବୁତ ହେବା ସହ ନୂଆ ନିବେଶ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରେ।

ବ୍ଲାକ୍ ମାସ୍ ରପ୍ତାନି ଉପରେ କଟକଣା ସହିତ ଘରୋଇ ରିସାଇକ୍ଲିଂ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାର ପୂର୍ବରୁ ମଧ୍ୟ ପଦକ୍ଷେପ ନେଇଛନ୍ତି। ସେପ୍ଟେମ୍ବର ୨୦୨୫ରେ କେନ୍ଦ୍ର କ୍ୟାବିନେଟ୍ ୧,୫୦୦ କୋଟି ଟଙ୍କାର କ୍ରିଟିକାଲ୍ ମିନେରାଲ୍ ରିସାଇକ୍ଲିଂ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଥିଲା। ଏହି ଯୋଜନା ଅଧୀନରେ ବ୍ୟାଟେରୀ ବର୍ଜ୍ୟବସ୍ତୁ ଓ ଇ-ୱେଷ୍ଟ୍ରୁ ମୂଲ୍ୟବାନ ଖଣିଜ ପଦାର୍ଥ ପୁନରୁଦ୍ଧାର ପାଇଁ ରିସାଇକ୍ଲିଂ କ୍ଷମତା ବିକଶିତ କରିବା ଲକ୍ଷ୍ୟ ରହିଛି। ସରକାରଙ୍କ କହିବା ଅନୁଯାୟୀ, ନୂଆ ରପ୍ତାନି କଟକଣା ଏହି ଯୋଜନାକୁ ଆହୁରି ସହାୟତା କରିବ। ଦେଶରେ ଉତ୍ପାଦିତ ବ୍ୟାଟେରୀ ବର୍ଜ୍ୟବସ୍ତୁ ଘରୋଇ ରିସାଇକ୍ଲିଂ ୟୁନିଟ୍ଗୁଡ଼ିକୁ ମିଳିଲେ ସେମାନଙ୍କର ପ୍ରକ୍ରିୟାକରଣ କ୍ଷମତାର ଉପଯୋଗ ବଢ଼ିପାରିବ।

ତେବେ କେଉଁ ସାମଗ୍ରୀ ଉପରେ ଲାଗିଛି କଟକଣା?

କେନ୍ଦ୍ର ସରକାରଙ୍କ DGFT ପକ୍ଷରୁ ନଭେମ୍ବର ୧୦ ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ, ବ୍ୟବହୃତ ବ୍ୟାଟେରୀରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ଲିଥିୟମ୍-ଆୟନ୍ ବ୍ୟାଟେରୀରୁ ମିଳୁଥିବା ‘ବ୍ଲାକ୍ ମାସ୍’କୁ ଏଣିକି ବିଦେଶକୁ ରପ୍ତାନି କରାଯାଇପାରିବ ନାହିଁ। ପୂର୍ବରୁ ଏହି ସାମଗ୍ରୀ ବିଦେଶକୁ ପଠାଇବାକୁ ଅନୁମତି ଥିବାବେଳେ ଏବେ ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ତେବେ ସବୁ ପ୍ରକାର ବ୍ୟାଟେରୀ ଉପରେ ଏହି ନିଷେଧାଦେଶ ଲାଗୁ ହୋଇନାହିଁ। କେବଳ ବିଜ୍ଞପ୍ତିରେ ଉଲ୍ଲେଖ ଥିବା ନିର୍ଦ୍ଦିଷ୍ଟ ବ୍ୟାଟେରୀ ବର୍ଜ୍ୟବସ୍ତୁ ଉପରେ ଏହା ଲାଗୁ ହେବ। ଏହି ନୂଆ ନିୟମ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ତେବେ ପୂର୍ବରୁ ହୋଇଥିବା କିଛି କାରବାର ପାଇଁ ସରକାରୀ ନିୟମ ଅନୁସାରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିପାରିବ।