ଭୁବନେଶ୍ୱର, ୨୫।୧୧ : କମିବ ରାତି ତାପମାତ୍ରା। ଆସନ୍ତା ୨-୩ ଦିନ ଭିତରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଖସିପାରେ। ପାଣିପାଗ ବିଜ୍ଞାନ କେନ୍ଦ୍ରର ଭୁବନେଶ୍ଵର କାର୍ଯ୍ୟାଳୟ ପକ୍ଷରୁ ଏହି ପୂର୍ବାନୁମାନ ଜାରି କରାଯାଇଛି।

ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବୁଧବାର ଆକାଶ ମେଘମୁକ୍ତ ରହିପାରେ। ତେବେ ସକାଳ ସମୟରେ କେତେକ ସ୍ଥାନରେ ପାଗ କୁହୁଡ଼ିଆ ରହିପାରେ। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଦେଖାଯାଉନି। ତା'ପରେ ରେ ବି ୨/ ୩ ଦିନ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Also Read :- ବାଲିଯାତ୍ରା ଉତ୍ସବ ବେଳେ ହୃଦଘାତ ! ତଳେ ପଡିଗଲେ ବ୍ୟକ୍ତି, କିନ୍ତୁ ମିଳିଲାନି ଆମ୍ବୁଲାନ୍ସ

ଚଳିତ ମାସର ଶେଷବେଳକୁ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲରେ ଯେଉଁ ପୂର୍ବାନୁମାନ କରାଯାଇଥିଲା, ସେ ନେଇ ଆଇଏମଡି ପକ୍ଷରୁ ଏବେ ଆଉ କିଛି କୁହାଯାଇନି। ତେବେ କେତେକ ମଡେଲ୍ ଅନୁସାରେ ଏହି ସମ୍ଭାବ୍ୟ ଲଘୁଚାପ ଶ୍ରୀଲଙ୍କା–ତାମିଲନାଡୁ ଆଡ଼କୁ ଯାଇପାରେ। ବର୍ତ୍ତମାନ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହେଉଥିବାବେଳେ ତାପମାତ୍ରା ବିଶେଷ ହ୍ରାସ ପାଇନାହିଁ। ସବୁଠି ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା।

ବୁଧବାର ସକାଳେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, କୋରାପୁଟ, ଖୋରଧା ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। ବୁଧବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ ଜିଲ୍ଲାର ସ୍ଥାନେ ସ୍ଥାନେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।