କଟକ, ୨୫।୧୧ : ଲିଙ୍କରୋଡ଼ରୁ ବାଦାମବାଡ଼ି ମଧ୍ୟରେ ଅରୁଣୋଦୟନଗର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଅଞ୍ଚଳର ଏକ ପାର୍କିଂ ସ୍ଥାନରେ ଘଟିଥିବା ଅଗ୍ନିକାଣ୍ଡରେ ଗୋଟିଏ ପରେଗୋଟିଏ ବସ୍ ଜଳି ପାଖାପାଖି ୮ ଟି ବସ୍ ପୋଡ଼ି ଛାରଖାର ହୋଇଯାଇଛି। ଖବର ପାଇ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଓ ବକ୍ସିବଜାର ଦମକଳ କେନ୍ଦ୍ର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ନାକେଦମ୍ ହୋଇଥିଲେ । ନିଆଁ ଲିଭାଇଲା ବେଳକୁ ବସ୍ ଗୁଡ଼ିକର ଇଞ୍ଜିନ୍ ଓ ଲୁହା ବଡି ଛାଡ଼ିଦେଲେ ଆଉ ସବୁ ଜଳି ପାଉଁଶ ହୋଇଯାଇଥିଲା।

ଅଗ୍ନିକାଣ୍ଡରେ ଘରୋଇ ସ୍କୁଲ୍ର ୪ଟି ଗାଡ଼ି ସମେତ ମୋଟ ୮ ଟି ବସ୍ ଜଳି ନଷ୍ଟ ହୋଇଯାଇଥିବାର ସୂଚନା ମିଳିଛି। ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ନିଆଁକୁ ଆୟତ୍ତ କରିଦେବାରୁ ପାର୍କିଂସ୍ଥଳରେ ଥିବା ଆଉ ୭ ଟି ବସ୍ ରକ୍ଷା ପାଇଯାଇଛି। ସେହିପରି ନିଆଁ ବ୍ୟାପୁଥିବାର ଦେଖି ନିକଟରେ ପାର୍କିଂ କରିଥିବା ଆଉ କିଛି ବସ୍ ଚାଳକ ଘଟଣାସ୍ଥଳରୁ ଗାଡ଼ିକୁ ଅନ୍ୟତ୍ର ନେଇଯିବାରୁ ରକ୍ଷା ପାଇଯାଇଥିଲେ। ଫଳରେ ଅରୁଣୋଦୟନଗର ଅଞ୍ଚଳ ଏକ ବଡ଼ ଧରଣର ବିପତ୍ତିରୁ ରକ୍ଷା ପାଇଯାଇଥିଲା।

Also Read :- ବୁଧବାର ଜମିବ ଛାଡ଼ଖାଇ : ଘରେ ପଶିବ ଆଇଁଷ, ମଟନର ଅଧିକ ଚାହିଦା

ଅରୁଣୋଦୟନଗର ଅଞ୍ଚଳର ଏକ ଗ୍ୟାରେଜ୍ ପାଖରେ ବିଭିନ୍ନ ସମୟରେ ବସ୍ ଗୁଡ଼ିକ ପାର୍କିଂ କରି ରହିଥାଏ। ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଉକ୍ତ ସ୍ଥାନରେ କିଛି ଧୂଆଁ ବାହାରିଥିଲା। ନିମିଷକେ ମଧ୍ୟରେ ଏକ ବସ ଜଳି ଉଠିଥିଲା। ଏକ ଘରୋଇ ସ୍କୁଲର ବସ୍ ଜଳିବା ପରେ ତା’ ପଛକୁ ପଛ ଥିବା ଗୋଟିଏ ପରେ ଗୋଟିଏ ବସ୍ ହୁତୁହୁତୁ ହୋଇ ଜଳିଥିଲା। ବସରେ କିପରି କି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ି ନାହିଁ । ବସ୍ ଗୁଡ଼ିକ ଜଳୁଥିବା ଦେଖ୍ ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀ ଆତଙ୍କିତ ହୋଇପଡ଼ିଥିଲେ।