କଣାସ: ପାରମ୍ପରିକ ରୀତିନୀତି ଓ ଧାର୍ମିକ ଉତ୍ସାହ ମଧ୍ୟରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ପଶ୍ଚିମଶମ୍ଭୁ ବାବା ବଣି ବକ୍ରେଶ୍ୱରଙ୍କ ବାର୍ଷିକ ଯାତ୍ରା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଆପଦା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ଏହି ଯାତ୍ରାରେ ବୋଦା ଲଢ଼େଇ ମୁଖ୍ୟ ଆକର୍ଷଣ ପାଲଟିଛି।

ଏହି ପାରମ୍ପରିକ ଯାତ୍ରାକୁ ଦେଖିବା ପାଇଁ ଡେଲାଙ୍ଗ ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହୋଇଥାଏ। ବୋଦା ଲଢ଼େଇରେ ଭାଗ ନେବା ପାଇଁ ବିଭିନ୍ନ ଅଞ୍ଚଳରୁ ବୋଦା ମାଲିକମାନେ ନିଜ ନିଜର ବୋଦାଙ୍କୁ ଧରି ଯାତ୍ରା ପଡ଼ିଆରେ ପହଞ୍ଚିଥାନ୍ତି। ଲଢ଼େଇ ଦେଖିବା ପାଇଁ ପଡ଼ିଆ ଚାରିପାଖରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ, ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମଗ୍ର ଯାତ୍ରା ପଡ଼ିଆ ଉତ୍ସବମୁଖର ହୋଇଉଠେ। ବୋଦା ଲଢ଼େଇ ସହ ଧାର୍ମିକ ପରମ୍ପରା ଏହି ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥାଏ।

Also Read: ସରିଲା ମହାଧାର୍ମିକ ମାସ କାର୍ତ୍ତିକ, ହବିଷ୍ୟାଳୀଙ୍କ ଘର ବାହୁଡ଼ା ଆରମ୍ଭ

ଅନ୍ୟପକ୍ଷରେ, ଯାତ୍ରାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଡେଲାଙ୍ଗ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଏଥିସହ ଶାନ୍ତି କମିଟିର ଯୁବକମାନେ ମଧ୍ୟ ପଡ଼ିଆର ବିଭିନ୍ନ ସ୍ଥାନରେ ରହି ଶୃଙ୍ଖଳା ରକ୍ଷାରେ ସହଯୋଗ କରିଥାନ୍ତି। ଧାର୍ମିକ ଭାବନା, ପାରମ୍ପରିକ ରୀତିନୀତି ଓ ବୋଦା ଲଢ଼େଇକୁ ନେଇ ବାବା ବକ୍ରେଶ୍ୱରଙ୍କ ଏହି ବାର୍ଷିକ ଯାତ୍ରା ଡେଲାଙ୍ଗ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି।