କଟକ, ୨୫।୧୧ : ମଙ୍ଗଳବାର ବାଲିଯାତ୍ରାର ଉଦଘାଟନୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ମଞ୍ଚଠାରୁ କିଛି ଦୂରରେ ଅସୁସ୍ଥ ହୋଇପଡ଼ିଥିଲେ। ସମ୍ଭବତଃ ତାଙ୍କୁ ହୃଦ୍ଘାତ ହୋଇଥିଲା। ମାତ୍ର କାର୍ଯ୍ୟକ୍ରମ ଚାଲିଥିବାରୁ ଉକ୍ତ ବ୍ୟକ୍ତିଙ୍କ ପାଖକୁ ପୁଲିସ କିମ୍ବା ପ୍ରଶାସନର କେହି ପହଞ୍ଚି ପାରି ନଥିଲେ। ପାଖରେ ଥିବା କିଛି ଦର୍ଶକ ସମ୍ପୃକ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ସିପିଆର୍ ଦେବା ସହିତ ମୁହଁରେ ପାଣି ଛିଞ୍ଚିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ।

ମାତ୍ର ବିଚିତ୍ର ସ୍ଥିତି ହେଉଛି କାର୍ଯ୍ୟକ୍ରମ ଶେଷ ହେବା ପରେ ବି ଉକ୍ତ ବ୍ୟକ୍ତିଙ୍କୁ ସେଠାରୁ ହସ୍ପିଟାଲ୍ ନେବା ପାଇଁ କୌଣସି ଆମ୍ବୁଲାନ୍ସ ମିଳିନଥିଲା। ଫଳରେ କ୍ୟାଣ୍ଟନମେଣ୍ଟ୍ ଥାନାର ୧୧୨ ଆପାତକାଳୀନ ଗାଡ଼ିକୁ ଡକାଇ ୨୦ ମିନିଟ୍ ପରେ ସେଥିରେ ଉକ୍ତ ବ୍ୟକ୍ତିଙ୍କୁ ଏସସିବି ମେଡିକାଲ୍ ପଠାଯାଇଥିଲା। ସଂପୃକ୍ତ ବ୍ୟକ୍ତି ହେଲେ କେନ୍ଦୁଝରର ବଂଶୀଧର ମହନ୍ତ (୬୦)। ଏବେ ତାଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

Also Read :- କଟକରେ ଭୟଙ୍କର ଅଗ୍ନିକାଣ୍ଡ : ଗୋଟିଏ ପରେ ଗୋଟିଏ ହୋଇ ଜଳିଗଲା ୮ ବସ୍

ସନ୍ଧ୍ୟା ପ୍ରାୟ ୭ଟା ୪୫ ହେବ। ମଞ୍ଚ ସମ୍ମୁଖରେ ସାଧାରଣ ଦର୍ଶକଙ୍କ ବସିବା ପାଇଁ ହୋଇଥିବା ଗ୍ୟାଲେରୀ ଭିତରେ ବଂଶୀଧର ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ତଳେ ପଡ଼ିବା ବେଳକୁ ସେ ଅଚେତ ଥିଲେ। ମାତ୍ର କାର୍ଯ୍ୟକ୍ରମ ଚାଲିଥିବାରୁ ଏ ଘଟଣାକୁ କେହି ପ୍ରଶାସନ ଓ ପୁଲିସ ପର୍ଯ୍ୟନ୍ତ ପହଞ୍ଚାଇ ପାରିଲେନି। ପାଖରେ ବସିଥିବା ଅନ୍ୟ କିଛି ଲୋକ ତୁରନ୍ତ ସେହିଠାରେ ତଳେ ପଡ଼ିଥିବା ବଂଶୀଧରଙ୍କୁ ସିପିଆର୍ ଦେଇ ଛାତିକୁ ଚିପିବାକୁ ଲାଗିଲେ। ଏଥିସହିତ ମୁହଁରେ ପାଣି ଛିଞ୍ଚିଥିଲେ। ଏହା ପରେ ତାଙ୍କ ଚେତା ଫେରିଲା।

କାର୍ଯ୍ୟକ୍ରମ ପ୍ରାୟ ୭ଟା ୫୫ରେ ଶେଷ ପରେ ତୁରନ୍ତ ପାଖ ଲୋକେ ଚିତ୍କାର କରି ତାଙ୍କୁ ହସ୍ପି ହସ୍ପିଟାଲ୍ ନେବାକୁ କହିଲେ। ପରେ ପୁଲିସ କର୍ମଚାରୀ ଭିତରେ ପଶି ଟେକି ଟେକି ବାହାରକୁ ନେଇଥିଲେ ମାତ୍ର ହସ୍ପିଟାଲ୍ ନେବା ପାଇଁ ଆମ୍ବୁଲାନ୍ସ ଖୋଜିବା ବେଳକୁ ପଡ଼ିଆରେ ଆମ୍ବୁଲାନ୍ସ ମିଳିଲାନି । ଫଳରେ ପୁଲିସ ଫୋନ୍ କରି କ୍ୟାଣ୍ଟନମେଣ୍ଟ୍ ଥାନାରୁ ୧୧୨ ଗାଡ଼ି ଡକାଇଥିଲା। ସେତେବେଳକୁ ବଂଶୀଧର ଅସୁସ୍ଥ ଅବସ୍ଥାରେ ତଳେ ଶୋଇ ରହିଥାନ୍ତି। ପ୍ରାୟ ୧୦ ମିନିଟ୍ ପରେ ଭିଡ଼କୁ ହଟାଇ ୧୧୨ ଗାଡ଼ି ଆସିଲା। ଏହା ପରେ କିଛି ପୁଲିସ ଅଧିକାରୀ ଉକ୍ତ ଗାଡ଼ିରେ ତାଙ୍କୁ ନେଇ ଏସସିବି ମେଡିକାଲ୍ ଯାଇଥିଲେ।

କାର୍ଯ୍ୟକ୍ରମରେ ହଠାତ୍ ଆମ୍ବୁଲାନ୍ସ ନ ମିଳିବା ବିଷୟକୁ ନେଇ ଉପସ୍ଥିତ ଲୋକେ ଅସନ୍ତୋଷ ଝାଡ଼ିଥିଲେ। ଏତେ ବଡ଼ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପଡ଼ିଆରେ କିଭଳି ଆମ୍ବୁଲାନ୍ସ ନଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଶାସନ ଠିକ୍ ଭାବେ ପ୍ରସ୍ତୁତି କରିନି ବୋଲି ଲୋକେ ଅଭିଯୋଗ କରୁଛନ୍ତି ।