ଭୁବନେଶ୍ୱର, ୨୫।୧୧ : ଗତବର୍ଷ ଅବାରରେ ପଡ଼ିଥିଲା । ଯେଉଁଦିନ ଖାଇବା କଥା, ସେଦିନ ପଡ଼ିଗଲା ଗୁରୁବାର। ତେଣୁ ଦିନକ ପରେ ପାଟିରେ ବାଜିଥିଲା ଆମିଷ। ହେଲେ ଏଥରକ ପାଗ ଅନୁକୂଳ। ବୁଧବାରରେ ପଡ଼ିଛି ଛାଡ଼ଖାଇ। ସେଥିପାଇଁ ଟ୍ରକ, ପିକ୍ ଅପରେ ଲଦା ହୋଇଆସୁଛି ମାଛ, କୁକୁଡ଼ା ଓ ଖାସି । ତେଣୁ ଜମାଣିଆ ଛାଡ଼ଖାଇ କରିବାକୁ ବେପାରୀଙ୍କଠାରୁ ନେଇ ଗ୍ରାହକଙ୍କ ଯିଏ ସମସ୍ତେ ପ୍ରସ୍ତୁତ।

ମାସକର ଅପେକ୍ଷା ପରେ ଆମିଷ ଘରେ ପଶିବ। ସେଥିପାଇଁ ଆମିଷ ବ୍ୟବସାୟୀଙ୍କୁ ଘନ ଘନ ଫୋନ୍। କାହାର ମଟନ ଦରକାର, ତ କାହାର ମାଛ। କିଏ କହୁଛି, ଚିଙ୍ଗୁଡ଼ି ରଖିଥିବ, ଆଉ କିଏ କହୁଛି କଙ୍କଡ଼ା । ଏପରିକି ଆଗୁଆ ବଇନା ମଧ୍ୟ ଦିଆଗଲାଣି । ଛାଡ଼ଖାଇ ପାଇଁ ବେପାରୀଙ୍କୁ ବି ଫୁରସତ ନାହିଁ । ରାତି ଅଧରୁ ଆସି ଆମିଷ ହାଟରେ ଲମ୍ବା ଲାଇନ୍ ଲଗାଇଲେଣି ବେପାରୀ। ଦିନକ ପୂର୍ବରୁ ରେଟ୍ ଚାର୍ଟ ମଧ୍ୟ ଜାରି କରିଛି ଅଲ୍ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ।

ପ୍ରତିବର୍ଷ ଭଳି ଏଥରକ ଛାଡ଼ଖାଇରେ ଅଧିକ ଚାହିଦାରେ ରହିଛି ଖାସି ମାଂସ । ସେଥିପାଇଁ ବିହାର ଓ ଉତ୍ତରପ୍ରଦେଶରୁ ଆସୁଛି ସ୍ବତନ୍ତ୍ର ଖାସି(ଛେଳି)। ଯାହାର କେଢି ରହିଛି ୯୦୦ରୁ ୯୫୦ ଟଙ୍କା । ତା ସହ ବାରିପଦା, ନୟାଗଡ଼, ଯଶିପୁରରୁ ମଧ୍ଯ ଖାସି ମଗାଯାଇଛି । ଯାହା ରାତିକ ଭିତରେ ଆସି ପହଞ୍ଚିଯିବ। ମୋଟ ୨ କୋଟି ୬୨ ଲକ୍ଷ ଟଙ୍କାର ମଟନ୍ ଆସିଛି। ଛାଡ଼ଖାଇ ୫୦୦ କୁଇଣ୍ଟାଲରୁ ଅଧିକ ଖାସି କଟାଯିବ ବୋଲି ଜଣାପଡ଼ିଛି ।

Also Read :- Horoscope Today : ନଭେମ୍ବର ୨୫ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମଟନ ପରେ ରହିଛି ଚିକେନ୍ । ଚିକେନ୍ କେଜି ପ୍ରତି ୨୪୦ରୁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ସୋନାଲି କିଲୋ ପ୍ରତି ୫୦୦, କଲରବାର୍ଡ ୨୫୦, ଦେଶୀ ୬୫୦ ଟଙ୍କାରେ ବିକ୍ରି ହେବ । ମାଛ ମଧ୍ୟରେ ରୋହି କିଲୋ ପ୍ରତି ୨୦୦ରୁ ୨୨୦, ଭାକୁର, ମିରକାଳୀ ଯଥାକ୍ରମେ ୨୫୦ରୁ ୨୮୦, ଜଳଙ୍ଗ ୧୬୦, ଚିଙ୍ଗୁଡି (ଛୋଟ) ୨୦୦ରୁ ୨୪୦ ରହିଛି। ସେହିପରି ଅଣ୍ଡା କାର୍ଟୁନ ପିଛା ୧୩୫୦ ଟଙ୍କା ଅଛି। ଚଳିତବର୍ଷ ବେପାର ସାଢେ ୮ କୋଟି ଛୁଇଁବ ବୋଲି ଆମିଷ ବ୍ୟବସାୟୀ ମହାସଂଘର ଆକଳନ କରିଛି ।