ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଭାର ସିଂ ଅନୁସୂଚିତ ଜନଜାତୀ ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା । ୫୬୦ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ମିଳିବା ଘଟଣାକୁ ନେଇ ଚର୍ଚ୍ଚା । ଅଭିଯୋଗ ହେବା ପରେ ହୋଇଥିଲା ତଦନ୍ତ । ତେବେ ତଦନ୍ତ ପରେ ଘଟଣାରେ ସତ୍ୟତା ଥିବା ଜଣାପଡିଛି ।

ସୂଚନା ଥାଉକି ପୂର୍ବରୁ ଘଟଣା ନେଇ ଅନେକ ବାର ଅଭିଯୋଗ ହେଉଥିଲା । ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶିମା ରାଓଙ୍କ ନିର୍ଦ୍ଦେଶରେ ଗୁଣପୁର ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ । ତେବେ ତଦନ୍ତରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ନ ପାଇଥିବା ଘଟଣା ସତ୍ୟ ବୋଲି ସେ ଜିଲ୍ଲା ଅଧିକାରୀଙ୍କୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି ।

Also Read...ଦୋକାନରେ ଲୁଚାଯାଇଥିଲା ପୁଳା ପୁଳା ସିଲିଣ୍ଡର, ଚଢାଉରେ ପୋଲିସ କଲା ପର୍ଦ୍ଦାଫାଶ

ଅନ୍ୟପଟେ, ୨୦୨୫–୨୬ ଶିକ୍ଷାବର୍ଷ ମଧ୍ୟରେ ୫୧ ଜଣ ଛାତ୍ରଛାତ୍ରୀଙ୍କୁ ଟିସି ପ୍ରଦାନ କରାଯାଇଥିବା ଚିନ୍ତାଜନକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏପ୍ରିଲ ୩୧ରେ ଆଉ ୩ ଜଣଙ୍କୁ ଟିସି ଦିଆଯାଇଥିବା ଜଣାପଡ଼ିଛି । ସମସ୍ତ ଅଭିଯୋଗର ଅନୁଧ୍ୟାନ କରାଯାଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେବ ତା ଉପରେ ନଜର ରହିଛି ।