ନୂଆଦିଲ୍ଲୀ-; ଏକ ସମୟରେ ଘରେ ବସି ମନପସନ୍ଦର ଫିଲ୍ମ ଓ ୱେବ୍ ସିରିଜ୍ ଦେଖିବା କଥା ଆସିଲେ, ଅନେକଙ୍କ ମନକୁ ପ୍ରଥମେ ଆସୁଥିଲା ''Netflix''। ନୂଆ କାହାଣୀ, ବଡ଼ ବଜେଟ୍ର ସିରିଜ୍ ଏବଂ ବିଶ୍ୱବ୍ୟାପୀ ଲୋକପ୍ରିୟତା ଏହାକୁ ଷ୍ଟ୍ରିମିଂ ଦୁନିଆର ଏକ ପ୍ରମୁଖ ଶକ୍ତିରେ ପରିଣତ କରିଥିଲା। କିନ୍ତୁ ଏବେ ଏହି ମନୋରଞ୍ଜନର ମାଧ୍ୟମକୁ ନେଇ ଉଠୁଛି ନୂଆ ପ୍ରଶ୍ନ Netflix ଆୟ ବଢ଼ୁଥିବା ବେଳେ ଦର୍ଶକଙ୍କ ଆଗ୍ରହ ବଢ଼ୁଛି ତ?

୨୦୨୬ ଅକ୍ଟୋବରରେ ପ୍ରକାଶିତ ତୃତୀୟ ତ୍ରୈମାସିକ ଫଳାଫଳ Netflix ଏହି ଦ୍ୱନ୍ଦ୍ୱକୁ ସାମ୍ନାକୁ ଆଣିଛି। କମ୍ପାନୀର ଆୟ ଓ ଲାଭ ବଢ଼ିଥିଲେ ମଧ୍ୟ ବିଜ୍ଞାପନରୁ ଆୟ ନେଇ ଆଶା କମିବା, ଦର୍ଶକଙ୍କ ସକ୍ରିୟତା ଉପରେ ଚିନ୍ତା ଏବଂ ଶୀର୍ଷ ପଦାଧିକାରୀଙ୍କ ପରିବର୍ତ୍ତନ ନିବେଶକଙ୍କୁ ଚିନ୍ତାରେ ପକାଇଛି।

Netflix ର ଆର୍ଥିକ ଚିତ୍ରକୁ ଦେଖିଲେ କମ୍ପାନୀ ଏବେ ବି ଶକ୍ତିଶାଳୀ। ଏହାର ତୃତୀୟ ତ୍ରୈମାସିକରେ ଆୟ ବାର୍ଷିକ ଭିତ୍ତିରେ ପ୍ରାୟ ୧୧.୮ ପ୍ରତିଶତ ବୃଦ୍ଧି ପାଇ ୧୨.୮୭ ବିଲିୟନ ଡଲାରରେ ପହଞ୍ଚିଛି। ନିଟ୍ ଲାଭ ମଧ୍ୟ ପୂର୍ବବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୪୪ ପ୍ରତିଶତ ବଢ଼ି ୩.୬୬ ବିଲିୟନ ଡଲାର ହୋଇଛି।କିନ୍ତୁ ଏଠାରେ ଏକ ବଡ଼ ପ୍ରଶ୍ନ ରହିଛି ଆୟ ବଢ଼ିବା ମାନେ କ’ଣ ଦର୍ଶକଙ୍କ ଆଗ୍ରହ ମଧ୍ୟ ସେହି ଅନୁପାତରେ ବଢ଼ୁଛି? ରଏଟର୍ସ ରିପୋର୍ଟ ଅନୁସାରେ, Netflix ର ଆୟ ବୃଦ୍ଧି ପ୍ରାୟ ତିନି ବର୍ଷ ମଧ୍ୟରେ ଧୀମା ହୋଇଛି। ଏହା ସହ ବିଜ୍ଞାପନରୁ ଆୟ ନେଇ କମ୍ପାନୀର ଆକଳନ ମଧ୍ୟ ହ୍ରାସ ପାଇଛି।

ଷ୍ଟ୍ରିମିଂ ବଜାରରେ ନିଜର ଆୟ ବଢ଼ାଇବା ପାଇଁ Netflix ସବ୍ସ୍କ୍ରିପ୍ସନ୍ ସହ ବିଜ୍ଞାପନ ଭିତ୍ତିକ ଯୋଜନା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ଏହି ମଡେଲ୍ରେ ଦର୍ଶକ ତୁଳନାମୂଳକ କମ୍ ମୂଲ୍ୟରେ ସେବା ପାଇପାରନ୍ତି, ଆଉ କମ୍ପାନୀ ବିଜ୍ଞାପନରୁ ଅତିରିକ୍ତ ଆୟ କରିପାରେ। କିନ୍ତୁ ଏହି ଯୋଜନାରୁ ଆଶା କରାଯାଇଥିବା ଆୟ ମିଳିବାରେ ଗତି ଧୀମା ହୋଇଛି। ୨୦୨୬ରେ ବିଜ୍ଞାପନ ଆୟର ଆକଳନକୁ ପୂର୍ବରୁ ଧାର୍ଯ୍ୟ ପ୍ରାୟ ୩ ବିଲିୟନ ଡଲାରରୁ କମାଇ ୨.୭ ବିଲିୟନ ଡଲାର କରିଛି କମ୍ପାନୀ। ଏହାର କାରଣ ଭାବେ କିଛି ବିଜ୍ଞାପନ ସୁବିଧା ଆରମ୍ଭ ହେବାରେ ଆଶାଠାରୁ ଖୁବ କମ ଦର୍ଶାଯାଇଛି।

ଅନ୍ୟପଟେ, ଆମେରିକାରେ ୨୦୨୬ ମାର୍ଚ୍ଚରେ Netflix ନିଜର ସମସ୍ତ ସବ୍ସ୍କ୍ରିପ୍ସନ୍ ଯୋଜନାର ମୂଲ୍ୟ ବଢ଼ାଇଥିଲା। ଏହା ଦର୍ଶକଙ୍କ ଖର୍ଚ୍ଚ ଉପରେ ଚାପ ପକାଇପାରେ। କିନ୍ତୁ ଏହି ମୂଲ୍ୟବୃଦ୍ଧିକୁ ଭାରତୀୟ ଯୋଜନାର ମୂଲ୍ୟ ସହ ସମାନ ବୋଲି ଧରିବା ଠିକ୍ ହେବ ନାହିଁ।

Netflix ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି ଦର୍ଶକଙ୍କ ସମୟ ଓ ଧ୍ୟାନ। ଗୋଟିଏ ପଟେ ଆମାଜନ୍ ପ୍ରାଇମ୍ ଭିଡିଓ ଓ ଡିଜ୍ନି ପ୍ଲସ୍ ଭଳି ଦେୟଯୁକ୍ତ ପ୍ଲାଟଫର୍ମ ରହିଛି, ଅନ୍ୟପଟେ ୟୁଟ୍ୟୁବ୍ ଓ ଟିକ୍ଟକ୍ ଭଳି ପ୍ଲାଟଫର୍ମରେ ମାଗଣା ଓ ଛୋଟ ଭିଡିଓର ବିପୁଳ ଭଣ୍ଡାର ଦର୍ଶକଙ୍କୁ ଆକର୍ଷିତ କରୁଛି। ଆଜିର ଦର୍ଶକ କେବଳ ଦୀର୍ଘ ୱେବ୍ ସିରିଜ୍ କିମ୍ବା ଫିଲ୍ମ ଦେଖିବାରେ ସୀମିତ ନୁହନ୍ତି। ଅଳ୍ପ ସମୟରେ ମନୋରଞ୍ଜନ ଦେଉଥିବା ଭିଡିଓ ମଧ୍ୟ ସେମାନଙ୍କ ପସନ୍ଦର ଅଂଶ ହୋଇଛି। ଏପରି ସ୍ଥିତିରେ Netflix ପାଇଁ କେବଳ ନୂଆ ସବ୍ସ୍କ୍ରାଇବର୍ ଆଣିବା ନୁହେଁ, ପୁରୁଣା ଦର୍ଶକଙ୍କୁ ଦୀର୍ଘ ସମୟ ଧରି ନିଜ ପ୍ଲାଟଫର୍ମରେ ରଖିବା ମଧ୍ୟ ଜରୁରୀ ହୋଇପଡ଼ିଛି।

ପ୍ରାୟ ୧,୦୦୦ କର୍ମଚାରୀଙ୍କ ଛଟେଇ, ଶୀର୍ଷ ପଦରେ ପରିବର୍ତ୍ତନକମ୍ପାନୀର ପୁନର୍ଗଠନ ମଧ୍ୟ ଚର୍ଚ୍ଚାରେ ରହିଛି। Netflix ପ୍ରାୟ ୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ଘୋଷଣା କରିଛି, ଯାହା ଏହାର ବିଶ୍ୱବ୍ୟାପୀ କର୍ମଚାରୀଙ୍କ ପ୍ରାୟ ୬ ପ୍ରତିଶତ। ଏହା ସହ କଣ୍ଟେଣ୍ଟ୍ ବିଭାଗର ନେତୃତ୍ୱରେ ମଧ୍ୟ ପରିବର୍ତ୍ତନ ହେଉଛି। ବେଲା ବଜାରିଆଙ୍କ ସ୍ଥାନରେ ପିଟର ରାଇସ୍ ଅକ୍ଟୋବର ୨୬ରୁ ଦାୟିତ୍ୱ ନେବାକୁ ଥିବାବେଳେ, ଫିଲ୍ମ ମୁଖ୍ୟ ଡାନ୍ ଲିନ୍ ମଧ୍ୟ ପଦ ଛାଡ଼ୁଛନ୍ତି।

ଏହି ପରିବର୍ତ୍ତନ ଦେଖାଉଛି ଯେ କମ୍ପାନୀ ନିଜର ବିଷୟବସ୍ତୁ ଚୟନ, କାର୍ଯ୍ୟପ୍ରଣାଳୀ ଓ ଖର୍ଚ୍ଚକୁ ନେଇ ପୁନର୍ବିଚାର କରୁଛି। ତଥାପି ଛଟେଇ ହେବା ମାତ୍ରେ କମ୍ପାନୀ ବିଫଳ ହେଉଛି ବୋଲି କୁହାଯାଇପାରିବ ନାହିଁ; ଏହା ଖର୍ଚ୍ଚ ନିୟନ୍ତ୍ରଣ ଓ ନୂଆ ରଣନୀତିର ଏକ ଅଂଶ ମଧ୍ୟ ହୋଇପାରେ।

ତେବେ, Netflix ର ଯୁଗ ଶେଷ ହେଉଛି କି?

ଏବେଠାରୁ Netflix ର ପତନ ଘଟୁଛି ବୋଲି ନିଷ୍କର୍ଷ କରିବା ଠିକ୍ ହେବ ନାହିଁ। କମ୍ପାନୀର ଆୟ ଓ ଲାଭ ବଢ଼ିଛି, ଏବଂ ଏହା ନିଜର ମୂଳ ଶକ୍ତି ଗୁଣାତ୍ମକ ଫିଲ୍ମ, ସିରିଜ୍ ଓ ଲାଇଭ୍ ଇଭେଣ୍ଟ୍ ଉପରେ ଅଧିକ ଗୁରୁତ୍ୱ ରହିଛି । ନେଟ୍ଫ୍ଲିକ୍ସ ନିଜ ଆର୍ଥିକ ରିପୋର୍ଟରେ ଦର୍ଶକଙ୍କ ସଂଖ୍ୟା ଓ ସବ୍ସ୍କ୍ରିପ୍ସନ୍ ଚାହିଦା ସ୍ଥିର ଥିବା କଥା ମଧ୍ୟ ଉଲ୍ଲେଖ କରିଛି।ତେବେ ପ୍ରତିଦ୍ୱନ୍ଦ୍ୱିତା ବଢ଼ୁଥିବା ଏବଂ ଆୟ ବୃଦ୍ଧିର ଗତି ଧୀମା ହେଉଥିବା ପରିସ୍ଥିତିରେ କମ୍ପାନୀକୁ ନୂଆ ହିଟ୍ କାହାଣୀ ଦେବା ସହ ଦର୍ଶକଙ୍କୁ ନିଜ ପ୍ଲାଟଫର୍ମରେ ରଖିବାକୁ ହେବ। ଦର୍ଶକ ଯଦି ମାସିକ ଶୁଳ୍କ ଦେଇ ମନପସନ୍ଦର ବିଷୟବସ୍ତୁ ପାଉନାହାନ୍ତି, ତେବେ ସେମାନେ ଅନ୍ୟ ବିକଳ୍ପ ବାଛିପାରନ୍ତି।

also read- ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କୁ ଅପମାନ ! ସାମାଜିକ ଗଣମାଧ୍ୟମରେ ଜବାବ ମାଗିଲେ ଅନୁପମ

Netflix ଏବେ ବି ଷ୍ଟ୍ରିମିଂ ଶିଳ୍ପର ଏକ ବଡ଼ ଖେଳାଳି। କିନ୍ତୁ ଏହାର ପରବର୍ତ୍ତୀ ସଫଳତା କେବଳ ଆୟ ଓ ମୂଲ୍ୟବୃଦ୍ଧି ଉପରେ ନୁହେଁ; ଦର୍ଶକଙ୍କୁ କେତେ ଭଲ କାହାଣୀ ଦେଇପାରୁଛି ଏବଂ ସେମାନଙ୍କ ଆଗ୍ରହ କେତେ ଦିନ ଧରି ରଖିପାରୁଛି, ତାହା ଉପରେ ନିର୍ଭର କରିବ।