ନୂଆଦିଲ୍ଲୀ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ବରିଷ୍ଠ ଅଭିନେତା ଅନୁପମ ଖେର। ଉତ୍ତରାଖଣ୍ଡର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ସଙ୍ଗୀତ ପରିବେଷଣ କରୁଥିଲେ ଦଲେର ମେହେନ୍ଦି l ଏହି ସମୟରେ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ସୁବୋଧ ଉନିୟାଲ ଦଲେରଙ୍କୁ ଭର୍ତ୍ସନା କରିବା ଘଟଣା ଏବେ ଚର୍ଚ୍ଚା । ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ଅନୁପମ ଖେର ପ୍ରଶ୍ନ କରିଛନ୍ତି, ଜଣେ କଳାକାରଙ୍କୁ ସମସ୍ତଙ୍କ ସାମ୍ନାରେ ଏପରି ଅପମାନିତ କରିବା କ’ଣ ଜରୁରୀ ଥିଲା?

ତେବେ ମଞ୍ଚ ଉପରେ ସେଦିନ କଣ ଘଟିଥିଲା ?ଉତ୍ତରାଖଣ୍ଡର ଟେହରୀ ଗଢ଼ୱାଲରେ ଆୟୋଜିତ ବାର୍ଷିକ ମା’ କୁଞ୍ଜାପୁରୀ ମେଳା ସମୟରେ ଦଲେର ମେହେନ୍ଦିଙ୍କ ପରିବେଷଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମନ୍ତ୍ରୀ ସୁବୋଧ ଉନିୟାଲ ମଞ୍ଚ ଉପରେ ଗାୟକଙ୍କ ପରିବେଷଣ ଉପରେ ପ୍ରଶ୍ନ ଉଠାଇଥିଲେ। ଦଲେର ମେହେନ୍ଦି ମଦ୍ୟପାନ କରି ଆସିଥିବା ଏବଂ ଠିକ୍ ଭାବେ ପରିବେଷଣ କରିପାରୁ ନଥିବା ଅଭିଯୋଗ କରିଥିଲେ ମନ୍ତ୍ରୀ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଥିଲା।

ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖି ଅନୁପମ ଖେର କହିଛନ୍ତି ଯେ, ଦଲେର ମେହେନ୍ଦିଙ୍କ ସହ ମନ୍ତ୍ରୀଙ୍କ ଏପରି ବ୍ୟବହାର ଦେଖି ସେ ଦୁଃଖିତ। ଯଦି ତାଙ୍କ ପରିବେଷଣକୁ ନେଇ କୌଣସି ଅଭିଯୋଗ ଥିଲା, ତେବେ ତାହା ସର୍ବସାଧାରଣରେ ଅପମାନିତ କରିବା ପରିବର୍ତ୍ତେ ବ୍ୟକ୍ତିଗତ ଭାବେ ଓ ସମ୍ମାନର ସହ କୁହାଯାଇପାରିଥାନ୍ତା ବୋଲି ସେ ମତ ଦେଇଛନ୍ତି।

ଅନୁପମ ଖେର କହିଛନ୍ତି ଯେ, ସେ ଦୀର୍ଘ ୩୦ରୁ ୩୫ ବର୍ଷ ଧରି ଦଲେର ମେହେନ୍ଦିଙ୍କୁ ଜାଣନ୍ତି। ନିଜ ଗୀତ ମାଧ୍ୟମରେ ଦଲେର ଦୀର୍ଘ ବର୍ଷ ଧରି ଲୋକଙ୍କୁ ଆନନ୍ଦ ଦେଇଆସିଛନ୍ତି। ତେଣୁ ତାଙ୍କର ଅବଦାନକୁ ସମ୍ମାନ ଦେବା ଉଚିତ ବୋଲି ଅଭିନେତା କହିଛନ୍ତି। ଦଲେରଙ୍କ ସ୍ୱାସ୍ଥ୍ୟ ମଧ୍ୟ କିଛି ସମୟ ଧରି ଭଲ ନଥିବା କଥା ସେ ଉଲ୍ଲେଖ କରିଛନ୍ତି।

also read - ଫିଲ୍ମ ନିର୍ମାତାଙ୍କ ସହ ବିବାଦକୁ ନେଇ ବଡ ଖୁଲାସା ,ବୟ ଆଣ୍ଡ ଗର୍ଲ’ କହି ସମ୍ବୋଧନ କରିବାରୁ ସେଟ୍‌ ଛାଡ଼ିଥିଲେ ପ୍ରୀତି ସପ୍ରୁ!

ଏହା ପୂର୍ବରୁ ଗାୟକ ମୀକା ସିଂହ ମଧ୍ୟ ଦଲେର ମେହେନ୍ଦିଙ୍କ ସମର୍ଥନରେ ବାହାରିଥିଲେ। ଦଲେର ଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିବା ଏବଂ ନିକଟରେ ତାଙ୍କର ଅସ୍ତ୍ରୋପଚାର ହୋଇଥିବା କଥା ମୀକା କହିଥିଲେ। ମଦ୍ୟପାନ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଥିଲେ । ଅନୁପମ ଖେର ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର ଅନ୍ୟ କଳାକାରମାନଙ୍କୁ ଦଲେରଙ୍କ ସମର୍ଥନରେ ଆଗକୁ ଆସିବାକୁ ଆହ୍ୱାନ କରିଛନ୍ତି। ଏହି ଘଟଣା ଏବେ ସାର୍ବଜନୀନ କାର୍ଯ୍ୟକ୍ରମରେ କଳାକାରଙ୍କ ପ୍ରତି ବ୍ୟବହାର ଓ ସମ୍ମାନକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି।