ନୂଆଦିଲ୍ଲୀ: ହିମାଳୟ କ୍ଷେତ୍ର ତିବ୍ବତରେ ଶକ୍ତିଶାଳୀ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ବୋଲି ଜଣାପଡ଼ିଛି । ଭାରତର ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ, ଭୂକମ୍ପ ଭାରତୀୟ ସମୟ ଅନୁସାରେ ରାତି ୮.୦୩ ମିନିଟ୍ ହୋଇଥିଲା । ପ୍ରଥମେ ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୭୩ କିଲୋମିଟର ଗଭୀର ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ନୂଆ ସୂଚନା ଅନୁସାରେ ଏହା କେନ୍ଦ୍ର ଭୂମି ଠାରୁ ମାତ୍ର ୧୦ କିଲୋମିଟର ଗଭୀରରେ ରହିଛି ।

ଚୀନର ଭୂକମ୍ପ ନେଟୱାର୍କ କେନ୍ଦ୍ର ସିଇଏନସି ଅନୁସାରେ, ଭୂକମ୍ପ ସ୍ଥାନୀୟ ସମୟ ଅନୁସାରେ ରାତି ପ୍ରାୟ ୧୦.୩୩ ମିନିଟରେ ଉତ୍ତର ତିବ୍ବତର ନାଗୁଚ କ୍ଷେତ୍ରରେ ହୋଇଛି । ଏହାର କେନ୍ଦ୍ର ତିବ୍ବତର ରାଜଧାନୀ ଲାସାଠାରୁ ୪୦୦ କିଲୋମିଟର ଦୂରରେ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ କ୍ଷୟକ୍ଷତିର କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Also Read: ନେପାଳ ପ୍ରଳୟର ଅସଲ କାରଣ କ’ଣ ?

ଉଲ୍ଲେଖଯୋଗ୍ୟ ଏହି ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ଗ୍ଲେସିୟର ଫାଟିବା ଯୋଗୁଁ ତିବ୍ବତ ଏବଂ ନେପାଳରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା । ନେପାଳ-ଚୀନ୍ ସୀମାରେ ଥିବା ପାର୍ବତ୍ୟ ଅଞ୍ଚଳଗୁଡ଼ିକୁ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଧ୍ୱଂସ କରିବାର କିଛି ସପ୍ତାହ ପରେ ଏହି ଭୂମିକମ୍ପ ଆସିଛି । ଅଗଷ୍ଟ ୨୬ରେ ନେପାଳ ଏବଂ ଚୀନର ତିବ୍ବତ ସ୍ୱାୟତ୍ତଶାସିତ ଅଞ୍ଚଳ ସୀମା ନିକଟରେ ଏକ ହିମବାହ ଭୁଶୁଡ଼ି ପଡ଼ିବା ଫଳରେ ଭୂସ୍ଖଳନ ଏବଂ ବନ୍ୟା ସୃଷ୍ଟି ହୋଇଥିଲା, ଯାହା ଫଳରେ ତଳ ଉପତ୍ୟକାରେ ବ୍ୟାପକ କ୍ଷତି ହୋଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ହଜାର ହଜାର ଲୋକ ମୃତାହତ ଏବଂ ନିଖୋଜ ହୋଇଥିଲେ ।