ଢେଙ୍କାନାଳ ୦୪।୦୪ : ଚେତାବନୀ ପରେ ବି ସୁଧୁରୁନାହାନ୍ତି । ଗ୍ୟାସ୍ ସିଲିଣ୍ଡର କଳାବଜାରୀ ନେଇ ରାଜ୍ୟ ସରକାର ବାରମ୍ବାର ଚେତାବନୀ ଦେଉଛନ୍ତି । ତାପରେ ବି କିଛି ଅସାଧୁ ବ୍ୟବସାୟୀଙ୍କ କଳାବଜାରୀରେ ଲାଗୁନି ରୋକ । ବାରମ୍ବାର ଲୁଚାଛପାରେ କରୁଛନ୍ତି ଗ୍ୟାସ୍ ସିଲିଣ୍ଡର କଳାବଜାରୀ । ଢେଙ୍କାନାଳ ଯୋଗାଣ ବିଭାଗର ଚଢାଉରେ ଏପରି କିଛି କଥା ସାମ୍ନାକୁ ଆସିଛି ।

Also Read:-LPG cylinder seizure: ଲୋକଙ୍କୁ ମିଳୁନି, ଏମାନେ ଶ୍ମଶାନରେ ଲୁଚାଇ ରଖିଥିଲେ ୪୧୪ ଗ୍ୟାସ୍ ସିଲିଣ୍ଡର

ଖବର ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ପରେ ରୋଷେଇ ଗ୍ୟାସର ଉପରେ ତୈଳ କମ୍ପାନୀମାନେ କଟକଣା ଲଗାଇଛନ୍ତି । ଯାହାଫଳରେ ଗ୍ୟାସ ସଙ୍କଟ ଆଶଙ୍କା କରି ଗ୍ୟାସ୍ ବିତରକମାନଙ୍କ ଗ୍ୟାସ୍ କାଉଣ୍ଟର ଓ ଗୋଦାମମାନଙ୍କରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଏପଟେ ଏହାର ସୁଯୋଗ ନେଇ କିଛି ଅସାଧୁ ଦୋକାନୀ ଗ୍ୟାସ୍ କଳାବଜାରୀ କରୁଛନ୍ତି । ଏପରି ସ୍ଥିତିରେ ଢେଙ୍କାନାଳ ଯୋଗାଣ ବିଭାଗ ଆକ୍ସନମୋଡକୁ ଆସିଛି । ଶନିବାର ଯୋଗାଣ ବିଭାଗର ଏକ ଏନ୍ଫୋର୍ସମେଣ୍ଟ ଟିମ୍ ଢେଙ୍କାନାଳ ସହରର ଶାସନ ଛକରେ ଥିବା ସୀତାରାମ ଗ୍ୟାସ୍ ନାମକ ଏକ ଗ୍ୟାସ ରିପାୟରିଂ ଦୋକାନ ଏବଂ ଘରେ ଚଢାଉ କରିଛି । ଏହି ଚଢାଉରେ ୨୭ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗ । ଏହାରି ମଧ୍ୟରେ ୩ଟି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଥିବା ଜଣାପଡିଛି। ଜବତ ସିଲିଣ୍ଡର ମଧ୍ୟରେ ଇଣ୍ଡେନ, ଏଚ୍ପିସିଏଲ୍ ଓ ଭାରତ ଗ୍ୟାସ ପରି ତିନୋଟି କମ୍ପାନୀର ସିଲିଣ୍ଡର ରହିଛି ।

ସେପଟେ ଚଢାଉ ପରେ ଯୋଗାଣ ବିଭାଗ ପକ୍ଷରୁ ସୀତାରାମ ଗ୍ୟାସ୍ ଦୋକାନ ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି । ଏହାସହ ସମସ୍ତ ସିଲିଣ୍ଡରକୁ ଜବତ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି ।