US-India trade deal: ଆମେରିକୀୟ ବୈଦେଶିକ ମନ୍ତ୍ରୀ ମର୍କୋ ରୁବିଓ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ଆସନ୍ତା ସପ୍ତାହରେ ସେ ଦୁଇଦିନ ପାଇଁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ଦେଶ ପାଇଁ ଭାରତରୁ ପୁଞ୍ଜି ନିବେଶ ହାସଲ କରିବା ଓ ଏନର୍ଜି ସୁରକ୍ଷା ବିଷୟରେ ଆଲୋଚନା କରିବା।

ତେଣୁ ଏଥର ରୁବିଓ ଦିଲ୍ଲୀ ନୁହେଁ ବରଂ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ଓହ୍ଲାଇବେ। ତାଙ୍କର ଭାରତୀୟ ଅଧିକାରୀ ଓ ବ୍ୟବସାୟୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ରୁବିଓ ଶନିବାର ଠାରୁ ୬ଦିନିଆ ବିଦେଶ ଗସ୍ତରେ ଆସିବେ। ପ୍ରଥମେ ଓଜବେକିସ୍ତାନରେ କାମ ସାରିବା ପରେ ଭାରତ ଆସିବେ।

ତେବେ ରୁବିଓଙ୍କ ଭାରତ ଗସ୍ତ ନେଇ ପୁଣିଥରେ ଆମେରିକାର ସହ ବାଣିଜ୍ୟ ଡିଲ୍ ନେଇ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଡିଲ୍ ଏପର୍ଯ୍ୟନ୍ତ ହୋଇପାରୁ ନାହିଁ। ଆମେରିକା ତା’ ଜିଦରେ ଅଟଳ, ଭାରତ ତା’ ଜିଦ୍ରେ ଅଟଳ। ତେଣୁ ସମାଧାନ ବାହାରିବା ମୁସ୍କିଲ ହୋଇପଡ଼ିଛି। କେଉଁଥିପାଇଁ ଅଟକି ରହିଛି ବାଣିଜ୍ୟ ଚୁକ୍ତି ? କେଉଁଠି ରହିଛି ସମସ୍ୟା ଆସନ୍ତୁ ଜାଣିବା।

ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନ ହୋଇପାରିବାର ଏକାଧିକ କାରଣ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ବର୍ଷା, ତୈଳ ଆମଦାନୀ ଉପରେ ଟ୍ରମ୍ପଙ୍କ କଟକଣା ଓ ଭାରତର ଚୀର ଶତ୍ରୁ ପାକିସ୍ତାନ ସହ ଆମେରିକାର ଘନିଷ୍ଠତା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ପ୍ରଭାବିତ କରୁଛି।

କାହିଁକି ବାଣିଜ୍ୟ ଚୁକ୍ତିରେ ବିଳମ୍ବ ହେଉଛି ?

ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଭାରତ ଓ ଆମେରିକା ଅନ୍ତରୀଣ ଡିଲ୍ ପାଇଁ ଗୋଟିଏ ନିୟମରେ ରାଜି ହୋଇଥିଲେ। ଯେଉଁଥିରେ ଆମେରିକା ଭାରତ ଉପରେ ଲଗାଇଥିବା ୨୫% ଟ୍ୟାକ୍ସକୁ ୧୮ ପ୍ରତିଶତ କରିବ ଓ ଭାରତ ଆମେରିକୀୟ ଶିଳ୍ପ ଓ କୃଷି ସାମଗ୍ରୀ ଉପରେ ନେଉଥିବା ଉଚ୍ଚ ଶୁଳ୍କକୁ ହ୍ରାସ କରିବ। କିନ୍ତୁ ଦୁଇ ଦେଶ ମଧ୍ୟରେ ମାସ ମାସ ଧରି ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରି ନାହିଁ।

ଆମେରିକାର କୋର୍ଟରୁ ଲାଗିଥିବା ଆଇନଗତ ବାଧା ମଧ୍ୟ ଏହାର ଏକ କାରଣ। ଟ୍ରମ୍ପଙ୍କ ଜବାବୀ ଶୁଳ୍କକୁ ଆମେରିକା କୋର୍ଟ ବେଆଇନ ବୋଲି କହିଥିଲେ। ଆଉ ଶୁଳ୍କ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଦୁଇ ଦେଶ ଫେବ୍ରୁଆରୀ ରାଜି ହୋଇଥିବା ସର୍ତରେ ଅନିଶ୍ଚିତତା ଦେଖା ଦେଲା।

Also Read- ରିଲାଏନ୍ସ ସହ ବିବାଦ ମଧ୍ୟରେ ଷ୍ଟାରଲିଙ୍କର ପ୍ରତିକ୍ରିୟା, କମ୍ପାନି କହିଲା- ଭାରତର ପାଞ୍ଚ ବର୍ଷ ହେଲା ଜାରି ରଖିଛୁ ଚେଷ୍ଟା

ଏହାପରେ ଟ୍ରମ୍ପ ଶୁଳ୍କ ଲଗାଇବା ପାଇଁ ପୁଣି ଏକ ଫିସାଦ ବାହାର କଲେ। ଅନଫେୟାର ପ୍ରାକ୍ଟିସ୍ ନାଁରେ ଦେଶଗୁଡ଼ିକ ଉପରେ ଶୁଳ୍କ ଲଦିଲେ ଟ୍ରମ୍ପ। ପୁଣି ସଂସଦରେ ପାସ୍ ହୋଇଥିବା ନୂଆ ଲିଣ୍ଡସେ ଓ. ଗ୍ରାହାମଙ୍କ ୨୦୨୬ ଆଇନ ଋଷିଆ ଓ ଇରାନ ତୈଳ ଆମଦାନୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଗତକାଲି(୧୭ ଅକ୍ଟୋବର) ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି, ଫଳରେ ଏହି ଏହି ଧମକପୂର୍ଣ୍ଣ ୧୦୦ ପ୍ରତିଶତ ଟାରିଫ କଟକଣାକୁ ଛାଡ଼ କରାଯାଇଛି। କେତେକ ଏହାକୁ ସାମୟିକ ଆଶ୍ୱସ୍ତି ବୋଲି କହୁଛନ୍ତି। କାରଣ ଆମେରିକା ନିଜର ଫାଇଦା ପାଇଁ ପୁଣି ଏହାକୁ ଲାଗୁ କରିପାରେ। ତେଣୁ ଏସବୁ କାରଣ ବାଣିଜ୍ୟ ଚୁକ୍ତିକୁ ବିଳମ୍ବ କରୁଛି।

ଆଶା-ନିରାଶାରେ ବିତିଲା ୨୦୨୬ଚଳିତ ବର୍ଷ ଅଧିକାଂଶ ସମୟ ଦୁଇ ଦେଶର ନେତାମାନେ ଏକ ଭଲ ବାଣିଜ୍ୟ ଚୁକ୍ତି ନେଇ ଆସା ବ୍ୟକ୍ତ କରୁଥିଲେ। ସମୟ ସମୟରେ ଉଭୟ ଦେଶର ନେତା ସକାରାତ୍ମକ ବୟାନ ଦେଉଥିଲେ। ଭାରତରେ ୟୁଏସ୍ ରାଷ୍ଟ୍ର ଦୂତ ଥିବା ସର୍ଗିଓ ଗୋର ଜୁନ ମାସରେ କହିଥିଲେ ଯେ ଟ୍ରେଡ୍ ଡିଲ୍ ଫାଇନାଲ୍ ହେବା ଉପରେ। କାମ ମାତ୍ର ଆଉ ୧ ପ୍ରତିଶତ ରହିଛି। ହେଲେ ନିକଟରେ ନିର୍ମଳା ସୀତାରମଣଙ୍କର ମନ୍ତବ୍ୟରେ ସ୍ଥିତି ପୁଣି ତ୍ରିଶଙ୍କୁ ଅବସ୍ତାରେ ରହିଛି ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ ଟ୍ରେଡ୍ ଡିଲ୍ ଉପରେ ମତ ରଖି ନିର୍ମଳା କହିଥିଲେ ଆଲୋଚନା ବର୍ତ୍ତମାନ ସ୍ଥିର ରହିଛି। ପରବର୍ତ୍ତି ଆଲୋଚନା ପାଇଁ ଖୁବ୍ କମ ସମ୍ଭାବନା ଦେଖା ଦେଉଛି। ଏହା ପୂର୍ବରୁ ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍ ଗ୍ରୀର୍ କିଛି ଏଭଳି ଇସାରା ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଟ୍ରେଡ୍ ଡିଲ୍ ନେଇ ତୁରନ୍ତ କୌଣସି ଘୋଷଣା ହେବାର ସମ୍ଭାବନା ନାହିଁ ବୋଲି ସେ କହିଥିଲେ। ଏହାପରେ ନିର୍ମାଳା ସୀତାରମଣଙ୍କ ବୟାନ ଆସିଥିଲା।

ଚୁକ୍ତିରେ ମୁଖ୍ୟ ବାଧକଗୁଡ଼ିକ କଣ ?

ମୁଖ୍ୟ ବାଧକ ମଧ୍ୟରେ ରହିଛି ଭାରତର କୃଷି କ୍ଷେତ୍ର। ଆମେରିକା ଏ ଦିଗରେ ଅଧିକ ପ୍ରବେଶ ଅନୁମତି ଚାହୁଁଛି। କ୍ଷୀର ଉତ୍ପାଦ ଠାରୁ ଆରମ୍ଭ କରି ଫଳ ଓ ପନିପରିବା ରପ୍ତାନୀରେ ଶୁଳ୍କ ମୁକ୍ତ ପ୍ରବେଶ ଚାହୁଁଛନ୍ତି ଟ୍ରମ୍ପ। ହେଲେ ଭାରତ ପାଇଁ ଏହା ଏକ ସମ୍ବଦେନଶୀଳ କ୍ଷେତ୍ର। ତେଣୁ ଏ ଦିଗରେ ଆମେରିକାକୁ ଅଧିକାର ଦେବା, ଭାରତ ସରକାର ନାପସନ୍ଦ କରୁଛନ୍ତି। ବାହାରୁ ଏଗୁଡ଼ିକର ଶସ୍ତା ଆମଦାନୀ ହେଲେ ଦେଶର କୃଷକମାନେ ସେମାନଙ୍କର ସହ ପ୍ରତିଯୋଗିତା କରିପାରିବେ ନାହିଁ।

ଶସ୍ତା ମାଲର ପ୍ରବାହ ଏତେ ହେବ ଯେ ଘରୋଇ କୃଷି ପଛରେ ପଡ଼ିଯିବ। ତା’ ଛଡ଼ା ଭାରତର କୃଷି କ୍ଷେତ୍ର ଏବେ ବି ଏକ ବଡ଼ ନିଯୁକ୍ତି ଦେଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ମୋଟ ନିଯୁକ୍ତିର ୪୬.୧% କେବଳ କୃଷି କ୍ଷେତ୍ରରେ ହିଁ ନିୟୋଜିତ ଥିଲେ। ତେଣୁ ଯଦି ଏ ଦିଗରେ ଆମେରିକାର ହସ୍ତକ୍ଷେପ ବଢ଼େ ଏହା ଦେଶର ଅର୍ଥନୀତିକୁ ଦୁର୍ବଳ କରିପାରେ।

ସେହିପରି ଆମେରିକା ଚାହୁଁଛି ଭାରତ ଋଷ କିମ୍ବା ଇରାନ ଠାରୁ ଅଶୋଧିତ ତୈଳ ନ କିଣି ଆମ ଠାରୁ କିଣୁ। ଭାରତ ଚାହୁଁଛି ଆମେରିକା ଅନ୍ୟ ପ୍ରତିଯୋଗି ରାଷ୍ଟ୍ର ଯେମିତିକି ଭିଏତନାମ ଉପରେ ଯେତିକି ଶୁଳ୍କ ଲଗାଇଛି, ସେହି ତୁଳନାରେ ଭାରତ ଉପରେ କମ ଲାଗୁ କରାଯାଉ।

ପିୟୂଷ ଗୋୟଲ କହିଲେ ଶେଷ ପର୍ଯ୍ୟାୟରେ ଆଲୋଚନା

ନିକଟରେ ଭାରତର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ଆମେରିକା ସହ ଟ୍ରେଡ୍ ଡିଲ୍ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ ଡିଲ୍ର ପ୍ରଥମ ଭାଗର ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି ଆମର ପ୍ରତିଯୋଗୀ ରାଷ୍ଟ୍ରମାନଙ୍କ ଠାରୁ ଅଧିକ ସୁବିଧା ନ ମିଳିବା ପର୍ଯ୍ୟନ୍ତ ଏହି ଚୁକ୍ତି କାର୍ଯ୍ୟକାରୀ ହେବ ନାହିଁ।

ଗୋୟଲଙ୍କର ଏହି କଥା ପୁଣି ଡିଲ୍ର ସମ୍ଭାବନାକୁ ଝୁଲନ୍ତା ଅବସ୍ଥାରେ ରଖିଛି। କାରଣ ଆମେରିକା ଭାରତର ଅନ୍ୟ ପ୍ରତିଯୋଗୀ ରାଷ୍ଟ୍ରଙ୍କ ତୁଳନାରେ ଭାରତକୁ ଅଧିକ ସୁବିଦା ଦେବାକୁ ରାଜି ହେବ କି ନାହିଁ ? କି ଭାରତ ରଖିଥିବା ସର୍ତ୍ତ ଆମେରିକାର ସ୍ୱାର୍ଥ ପୂରଣ କରିବ କି ନାହିଁ ତା ଉପରେ ନିର୍ଭର କରେ।

ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ କେମିତି ଚାଲିଛି ବାଣିଜ୍ୟ ?

ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ କଥା ଯଦି ଦେଖାଯାଏ ତେବେ ଏଥିରେ ଭାରତ ଲାଭରେ ରହିଛି। କାରଣ ଆମେରିକାକୁ ଭାରତର ରପ୍ତାନୀ ବର୍ଷକୁ ବର୍ଷ ବଢ଼ୁଛି। ଅଗଷ୍ଟ ମାସରେ ଆମେରିକାକୁ ସାମଗ୍ରୀ ରପ୍ତାନୀ ୮.୩ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ଗତବର୍ଷର ସମାନ ଅବଧି ତୁଳନାରେ ଏଥିରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି।୨୦୨୫-୨୬ ଆର୍ଥିକ ବର୍ଷର ବାଣିଜ୍ୟ ସ୍ଥିତି

୧. ଭାରତ ଆମେରିକାକୁ ୮୭.୩୧ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଛି।

୨. ଆମେରିକା ଠାରୁ ଆମଦାନୀ କରିଛି ୫୨.୯୦ ବିଲିଅନ ଡଲାରର ସାମଗ୍ରୀ।

୩. ଏଥିରେ ଭାରତର ବାଣିଜ୍ୟିକ ଲାଭ(ଟ୍ରେଡ୍ ସରପ୍ଲସ) ୩୪.୧ ବିଲିଅନ ଡଲାର। ୨୦୨୫ର ୪୦.୮୮ ବିଲିଅନ ଡଲାର ଲାଭ ତୁଳନାରେ ୨୦୨୬ରେ ଲାଭ କମିଛି ସତ ହେଲେ ତଥାପି ଭାରତ ଅଧିକ ଫାଇଦାରେ ରହିଛି।