ନୂଆଦିଲ୍ଲୀ: ନବରାତ୍ରି ଭଳି ପବିତ୍ର ଉତ୍ସବକୁ ଛାଡ଼ି ବିଦେଶରେ କଣ କରୁଛନ୍ତି ରାହୁଲ ଗାନ୍ଧୀ ? ସେ ନିଜର ରାଜନୈତିକ ଦାୟିତ୍ବ ତୁଲାଇବାକୁ ଅସମର୍ଥ । ଏକଥା ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ସମାଲୋଚନା କରି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ଭାବ୍ୟ ବିଦେଶ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି। ପ୍ରଦୀପ ଭଣ୍ଡାରୀ ସୋମବାର ଦିନ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଖବରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ନବରାତ୍ରି ଭଳି ପବିତ୍ର ପର୍ବ ସମୟରେ ରାହୁଲ ଭାରତରେ ନରହି ନିଜର 'ଅରାଜକତାର ସହଯୋଗୀ'ମାନଙ୍କୁ ଭେଟିବା ପାଇଁ ବିଦେଶ ଯାଉଛନ୍ତି କି ?

‘ବିଦେଶ ବୁଲିବା ରାହୁଲଙ୍କ ପସନ୍ଦ’
'ଏକ୍ସ'ରେ ଏକ ପୋଷ୍ଟ କରି ଭଣ୍ଡାରୀ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଛୁଟି କଟାଇବା ପାଇଁ ବିଦେଶ ଯାଉଛନ୍ତି। ନିଜର ରାଜନୈତିକ ଦାୟିତ୍ୱ ପ୍ରତି ତାଙ୍କର କୌଣସି ଗମ୍ଭୀରତା ନାହିଁ। ରାହୁଲ ଗାନ୍ଧୀ ସେହି କାମକୁ ପୁଣି ଦୋହରାଉଛନ୍ତି ଯାହା ତାଙ୍କୁ ଅଧିକ ପସନ୍ଦ । ନବରାତ୍ରି ସମୟରେ ସେ ଭାରତରେ ନରହି ବିଦେଶରେ କ’ଣ କରୁଛନ୍ତି ? କାମ କରିବା ଅପେକ୍ଷା ମଜା କରିବାରେ ଅଧିକ ସମୟ ବିତାଉଥିବା ବ୍ୟକ୍ତି ପରେ ‘ଭୋଟ ଚୋରି’ ବୋଲି ଚିତ୍କାର କରୁଛନ୍ତି। ଏହା ସହ ବିଦେଶ ଯିବା ଏବଂ ଛୁଟି କଟାଇବା ରାହୁଲଙ୍କ ପସନ୍ଦର କାମ ବୋଲି ଭଣ୍ଡାରୀ ଅଭିଯୋଗ କରିଛନ୍ତି ।

ଉତ୍ତର ପ୍ରଦେଶର ମନ୍ତ୍ରୀ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ୍ ପ୍ରକାଶ ରାଜଭର ମଧ୍ୟ ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି ।  ସେ 'ଏକ୍ସ'ରେ ଲେଖିଛନ୍ତି, ‘ରାହୁଲ ଜୀ, ଶୁଣିବାକୁ ପାଇଲି ଯେ, ଆପଣ ଗତକାଲି ରାତିରେ ବିଦେଶ ଗସ୍ତରେ ବାହାରି ଯାଇଛନ୍ତି। ନିଜ ଆଖି ଆଗରେ ନିଜ ବନ୍ଧୁ ରାବଣର ଦହନ ହେବା ଆପଣ ଦେଖିପାରିଲେ ନାହିଁ ?’ ତେବେ ବିଜେପି ନେତାମାନଙ୍କ ଏହି ଦାବି ସୋସିଆଲ ମିଡିଆ ପୋଷ୍ଟ ଉପରେ ଆଧାରିତ । ରାହୁଲଙ୍କ ବିଦେଶ ଗସ୍ତର ପ୍ରକୃତ କାରଣ ନେଇ କୌଣସି ସୂଚନା ମିଳିନାହିଁ।

ରାହୁଲଙ୍କ ଚ୍ୟାଲେଞ୍ଜ
ରାହୁଲ ଗାନ୍ଧୀଙ୍କ ଗୋଆ ରାଲିର ଗୋଟିଏ ଦିନ ପରେ ବିଜେପି ନେତା ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଗୋଆର ମାର୍ଗାଓଠାରେ ଆୟୋଜିତ ଏକ କଂଗ୍ରେସ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ବିଜେପି ନେତୃତ୍ୱ ଉପରେ ନିର୍ବାଚନୀ ଅନିୟମିତତାର ନେଇ ଅଭିଯୋଗ ଆଣିଥିଲେ।

ସେ କହିଥିଲେ ଯେ, ‘ଭୋଟ ଚୋରି ହେଉଛି ସମ୍ବିଧାନ ଉପରେ ଆକ୍ରମଣ ଏବଂ ସମ୍ବିଧାନର ସୁରକ୍ଷା କରିବା କଂଗ୍ରେସ ଦଳର ଧର୍ମ।’ ସେ ଆହୁରି କହିଥିଲେ, ମୋ ବିରୋଧରେ ପୂର୍ବରୁ ୪୫ଟି ମାମଲା ରହିଛି । ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି ମୋର 'ଭୋଟ ଚୋରି' ଅଭିଯୋଗ ପାଇଁ ମୋ ବିରୋଧରେ ଆଉ ଗୋଟିଏ ନୂଆ ମାମଲା ରୁଜୁ କରନ୍ତୁ। ତେବେ ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ ଉଠାଇ ଆସିଛି ବିଜେପି ।