ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଓ ବିଜୟକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ବିଜେପିର ସାମ୍ପ୍ରତିକ ଦାବି ଏବଂ କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ବିଜେଡି କଡ଼ା ସମାଲୋଚନା କରିଛି। ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟ ପ୍ରମାଣ ମାଗିବା ସହ ପ୍ରଶ୍ନର ବାଣ ମାରିଛନ୍ତି।

"କଟକରେ ଚାଲିଥିଲା ସୈତାନର ବେଦପାଠ"

କଟକ ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟକ୍ରମକୁ ନେଇ କଟାକ୍ଷ କରି ଇପ୍ସିତା ସାହୁ କହିଛନ୍ତି ଯେ, ସେଠାରେ ସୈତାନର ବେଦପାଠ ଚାଲିଥିଲା। ଜଗନ୍ନାଥ ସଂସ୍କୃତି ଓ ମୂଲ୍ୟବୋଧକୁ ଭୁଲି ଶାସକ ଦଳ ଅନ୍ୟକୁ ଉପଦେଶ ଦେଉଛି। ମନ୍ତ୍ରୀ ଯୁବବର୍ଗଙ୍କୁ ‘ବଡ଼ ହୃଦୟର ପ୍ରତୀକ’ ବୋଲି କହୁଥିବା ବେଳେ, ରମାଦେବୀ ବିଶ୍ୱବିଦ୍ୟାଳୟରେ ଘଟିଥିବା ଅପ୍ରୀତିକର ଘଟଣା ସେମାନଙ୍କର କେଉଁ ‘ବଡ଼ ହୃଦୟ’ର ପରିଚୟ ବୋଲି ସେ ପ୍ରଶ୍ନ କରିଛନ୍ତି।

୮ ବର୍ଷର ଗଣିତ ଓ ନିର୍ବାଚନ ବାତିଲ ପ୍ରଶ୍ନ

ବିଜେପି ନେତାମାନେ ଗଣମାଧ୍ୟମ ଆଗରେ ଯେଉଁ ୮ ବର୍ଷର ହିସାବ ରଖୁଛନ୍ତି, ତାହାକୁ ନେଇ ବ୍ୟଙ୍ଗ କରିଛନ୍ତି ଛାତ୍ର BJD ସଭାପତି। ସେ କହିଛନ୍ତି, "ଏମାନଙ୍କୁ ସାହିତ୍ୟ ପଢ଼ାଉଥିବା ଗୁରୁଜୀ ବୋଧହୁଏ ଗଣିତ ଭୁଲାଇ ଦେଇଛନ୍ତି, ଆଉ ମନ୍ତ୍ରୀ ବୋଧେ କେବେ ଯୁବ ସଂଗଠନ ସହ ଜଡ଼ିତ ନଥିଲେ।"
ପୂର୍ବରୁ ତିତିଲି, ଫାଇଲିନ୍, ହୁଡ୍‌ହୁଡ୍‌ ଭଳି ଭୟଙ୍କର ବାତ୍ୟା ଏବଂ କୋଭିଡ୍ ମହାମାରୀ ଭଳି ଜରୁରୀ ପରିସ୍ଥିତି ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା। ହେଲେ ଏବେ ଅଢ଼େଇ ବର୍ଷର ଶାସନ କାଳ ମଧ୍ୟରୁ ଦୁଇ ବର୍ଷ ଧରି କାହିଁକି ନିର୍ବାଚନ ବନ୍ଦ ରଖାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

'ଚାପ ପ୍ରୟୋଗ କରୁଥିଲା କିଏ?'

ଗତକାଲି ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ଯେ ନିର୍ବାଚନ ନକରିବା ପାଇଁ ତାଙ୍କ ଉପରେ ବହୁତ ଚାପ ପଡ଼ୁଥିଲା। ଏହାକୁ ନେଇ ବିଜେଡି ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ତାଙ୍କ ଉପରେ କେଉଁଠୁ ଚାପ ଆସୁଥିଲା? ସେହି କେଉଁ ବ୍ୟକ୍ତି କିମ୍ବା ଗୋଷ୍ଠୀ ସରକାରଙ୍କୁ ଚାପରେ ରଖିଥିଲେ? ସେହିପରି ନିର୍ବାଚନ ଶାନ୍ତିଶୃଙ୍ଖଳାରେ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରୁଥିବା ବେଳେ, ଅନେକ ପ୍ରମୁଖ କଲେଜରେ କାହିଁକି ନିର୍ବାଚନ ବାତିଲ କରାଗଲା, ତାହାର ଉତ୍ତର ମଧ୍ୟ ରାଜ୍ୟବାସୀ ଚାହୁଁଛନ୍ତି।

୮୦% ବିଜୟର ପ୍ରମାଣ ଦିଅ

ଇପ୍ସିତା ସାହୁ ଦାବି କରିଛନ୍ତି ଯେ ଛାତ୍ର ବିଜେଡି (BCJD) ରାଜ୍ୟର ୬୦ ପ୍ରତିଶତ କଲେଜ ଏବଂ ୫ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିଜୟୀ ହୋଇଛି। BJD ମୋଟ ୧୭୪ଟି କଲେଜରେ ଜିତିଥିବା ନେଇ ଦୁଇ ଦିନ ଭିତରେ ସମସ୍ତ ପ୍ରମାଣପତ୍ର ଓ ତାଲିକା ଗଣମାଧ୍ୟମ ଆଗରେ ପ୍ରକାଶ କରିବ। ସେହିପରି ବିଜେପି ସେମାନଙ୍କର ୮୦ ପ୍ରତିଶତ ବିଜୟ ଦାବିର ସତ୍ୟତା ପ୍ରମାଣ କରି ଦେଖାଉ ବୋଲି ସେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

'ନବୀନ ନିବାସ ଆସି ଆଣ୍ଠୁେଇ ଶିଖନ୍ତୁ ନିରପେକ୍ଷତା'

ମୁଖ୍ୟମନ୍ତ୍ରୀ କେବଳ ABVPର ନା ସମଗ୍ର ରାଜ୍ୟର ସବୁ ଛାତ୍ର ସଂଗଠନର, ତାହା ଚିନ୍ତା କରିବା ଦରକାର। ଇପ୍ସିତା ସାହୁ କହିଛନ୍ତି ଯେ, "ନିରପେକ୍ଷତା କାହାକୁ କୁହନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଆସି ଆଣ୍ଠୁେଇ ବସନ୍ତୁ, ନବୀନ ବାବୁ ତାଙ୍କୁ ପ୍ରକୃତ ନିରପେକ୍ଷତା ଓ ରାଜଧର୍ମ ଶିଖାଇବେ।"