ମୁମ୍ଵାଇ ୧୧।୦୮; ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ୟଶ । ବର୍ତ୍ତମାନ ତାଙ୍କର ଆଗାମୀ ମେଗା ବଜେଟ୍ ଫିଲ୍ମ ରାମାୟଣକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ 'ରାବଣ' ଭୂମିକାରେ ନଜର ଆସିବେ। ତେବେ ୟଶଙ୍କ ଏହି ବଡ ସଫଳତା ପଛରେ ଯାହାଙ୍କର ସବୁଠାରୁ ବଡ଼ ହାତ ରହିଛି, ସେ ହେଉଛନ୍ତି ତାଙ୍କ ପତ୍ନୀ ତଥା କନ୍ନଡ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରାଧିକା ପଣ୍ଡିତ। ଏକ ସାକ୍ଷାତକାରରେ ୟଶ ନିଜେ ରାଧିକାଙ୍କ ଅବଦାନ ଓ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଦିନେ ଜଣେ ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ ରାଧିକା ପଣ୍ଡିତ। ହେଲେ ବନ୍ଧୁଙ୍କ ପରାମର୍ଶରେ ସେ ଟେଲିଭିଜନ ଶୋ' ପାଇଁ ଅଡିସନ୍ ଦେବାକୁ ଯାଇଥିଲେ ଏବଂ ବିନା ଅଡିସନ୍ରେ ହିଁ ସେ ମନୋନୀତ ହୋଇଥିଲେ। ଏହାପରେ ୨୦୦୮ ମସିହାରେ ମୋଗିନା ମନସୁ ଫିଲ୍ମ ଜରିଆରେ ସେ ବଲିଉଡ୍ ଓ କନ୍ନଡ ସିନେଜଗତରେ ପାଦ ଥାପିଥିଲେ।

ପ୍ରଥମ ଫିଲ୍ମ ପାଇଁ ହିଁ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମଫେୟାର ପୁରସ୍କାର। ଏହାପରେ ଲଭ୍ ଗୁରୁ, ମିଷ୍ଟର ଆଣ୍ଡ୍ ମିସେସ୍ ରାମଚାରୀ, ଏବଂ କ୍ରିଷ୍ଣନ୍ ଲଭ୍ ଷ୍ଟୋରୀ ଭଳି ସୁପରହିଟ୍ ଫିଲ୍ମ ଦେଇ ସେ କନ୍ନଡ ସିନେମାର ଅନ୍ୟତମ ସଫଳ ଏବଂ ସର୍ବାଧିକ ଫି’ ନେଉଥିବା ପ୍ରମୁଖ ଅଭିନେତ୍ରୀ ପାଲଟିଥିଲେ। ୨୦୦୭ରେ ନନ୍ଦଗୋକୁଲର ସେଟ୍ରେ ୟଶଙ୍କ ସହ ତାଙ୍କର ପ୍ରଥମ ଭେଟ ହୋଇଥିଲା।

ବହୁ ବର୍ଷ ଧରି ଉଭୟ ନିଜ ସମ୍ପର୍କକୁ ସିକ୍ରେଟ୍ ରଖିବା ପରେ ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ନିଜ ପାରିବାରିକ ଜୀବନ ଏବଂ ଦୁଇ ସନ୍ତାନଙ୍କ ଯତ୍ନ ନେବା ପାଇଁ ରାଧିକା ଅଭିନୟ ଜଗତରୁ କିଛି ସମୟ ପାଇଁ ବିରତି ନେଇଥିଲେ।

୨୦୧୯ରେ ମୁକ୍ତିଲାଭ କରିଥିବା ଆଦି ଲକ୍ଷ୍ମୀ ପୁରାଣ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା।  କେବଳ ପରିବାର ନୁହେଁ, ବିବାହ ପରଠାରୁ ସେ ଏକ ଫାଉଣ୍ଡେସନ୍ ଜରିଆରେ କୃଷକ ଏବଂ ଶ୍ରମିକମାନଙ୍କୁ ସହାୟତା କରି ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ ରଖିଛନ୍ତି।

ନିଜ ସୌନ୍ଦର୍ଯ୍ୟ, ସୁନ୍ଦର ହସ ଏବଂ ପାରମ୍ପରିକ ଲୁକ୍ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଥିବା ରାଧିକା ସବୁବେଳେ ପରଦା ପଛରେ ରହି ୟଶଙ୍କ ସଫଳତାର ସବୁଠାରୁ ବଡ଼ ଶକ୍ତି ସାଜିଛନ୍ତି। ଜଣେ ସଫଳ ଅଭିନେତ୍ରୀରୁ ଜଣେ ଆଦର୍ଶ ପତ୍ନୀ ଏବଂ ସମାଜସେବୀ ଭାବେ ରାଧିକା ପଣ୍ଡିତ ଆଗେଇ ଚାଲିଛନ୍ତି ।