ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୬୯ କୋଟି ଟଙ୍କାର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରେ ଭୁବନେଶ୍ୱର ନୂଆ ଭାରତକୁ ଏକ ନୂଆ ସଂସ୍ଥାନ ଦେଇଛି । ଭୁବନେଶ୍ୱରରେ ଆରବିଆଇ ଡାଟା ସେଣ୍ଟର ଏବଂ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଉଦଘଟାନ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ଏହା ଓଡ଼ିଶା ସହିତ ଦେଶର ଲୋକଙ୍କ ପାଇଁ ହତିକର ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଏହି କାର୍ଯ୍ୟକ୍ରମ ପ୍ରମାଣିତ କରୁଛି ଯେ ଭାରତରେ ଶାସନ ପଦ୍ଧତି କେତେ ବଦଳୁଛି ଏବଂ କେତେ ଶୀଘ୍ର ବଦଳୁଛି । ବିକାଶର ପ୍ରାଥମିକତା, ବିକାଶର ବିସ୍ତାର ଏବଂ ସମାଜର ଶେଷ ବ୍ୟକ୍ତି ପାଖରେ ବିକାଶ ପହଞ୍ଚାଇବା ହେଉଛି ଆମ ଫୋକସ୍ । ସ୍ୱାଧୀନତା ପରେ ଦେଶରେ ବଡ଼ ବଡ଼ ସହର ବିକାଶ ହେଲା, ବଡ଼ ସଂସ୍ଥାନର ନିର୍ମାଣ ହେଲା, ବଡ଼ ହସ୍ପିଟାଲ୍ ନିର୍ମାଣ ହେଲା । କିନ୍ତୁ ଦେଶର ଗୋଟିଏ ବଡ଼ ଭାଗ ମୌଳିକ ସୁବିଧାକୁ ଅପେକ୍ଷା କରୁଥିଲା । ଦିଲ୍ଲୀରେ ବଡ଼ ହସ୍ପିଟାଲ୍ ଥିଲା, କିନ୍ତୁ ଛୋଟ ଅଞ୍ଚଳର ଲୋକଙ୍କୁ ଦୀର୍ଘ ବାଟ ଯିବାକୁ ପଡ଼ୁଥିଲା । ବଡ଼ ସହରରେ ସୁବିଧା ଥିଲା, କିନ୍ତୁ ଛୋଟ ସହର ଏବଂ ଗାଁରେ ରାସ୍ତା, ବିଜୁଳି ଏବଂ ପାଣି ପରି ମୌଳିକ ସୁବିଧା ମଧ୍ୟ ଆହ୍ୱାନପୂର୍ଣ୍ଣ ଥିଲା । ରେଲୱେ ଷ୍ଟେସନ ସାଧାରଣ ଲୋକଙ୍କ ଯାତ୍ରାର ଗୁରୁତ୍ୱ ଅଂଶ ଥିଲା । କିନ୍ତୁ ରେଲୱେ ଷ୍ଟେସନରେ ଆଧୁନିକୀରଣ ହୋଇପାରି ନଥିଲା । ଅର୍ଥାତ୍ ବିକାଶର ଲାଭ ସମାନ ଭାବେ ଦେଶର ପ୍ରତ୍ୟେକ କ୍ଷେତ୍ର ଏବଂ ଲୋକଙ୍କ ପାଖରେ ପହଞ୍ଚାଇବା ଏକ ଆହ୍ୱାନ ହୋଇ ରହିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ରୟାସ କଲୁ । ପ୍ରୋ ପିପୁଲ୍, ପ୍ରୋ ଆକ୍ଟିଭ, ଗୁଡ୍ ଗଭରନାନ୍ସ ମଡେଲ୍ ନେଇ ଚାଲିଲୁ । ଆମ ପାଇଁ ବିକାଶର ଉଦ୍ଦେଶ୍ୟ ହେଉଛି, ଭାରତର ସନ୍ତୁଳିତ ବିକାଶ, ଗାଁ ଏବଂ ଛୋଟ ସହରକୁ ସୁଯୋଗ । ଆମର ଲକ୍ଷ୍ୟ ହେଉଛି ଗରିବ ପରିବାରକୁ ସମ୍ମାନ ସହ ବଞ୍ଚିବାର ଅଧିକାର ଦେବା । ସମସ୍ତଙ୍କୁ ଭରସା ଦେବା ଯେ ଦେଶର ବିକାଶର ଯାତ୍ରରେ ସେମାନ ବାଦ୍ ପଡ଼ିନାହାନ୍ତି ।

ପିଏମ୍ ମୋଦୀ କହିଛନ୍ତି, ନାଗରିକଙ୍କ ଜୀବନକୁ ସରଳ କରିବା ଏବଂ ସେମାନଙ୍କ ସ୍ୱପ୍ନକୁ ନୂଆ ସୁଯୋଗ ଦେବା ହିଁ ପ୍ରକୃତ ଗଭରନାନ୍ସ । ଦଶନ୍ଧି ଯାଏ ଦେଶର ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କୁ ବ୍ୟାଙ୍କିଂ ସିଷ୍ଟମରୁ ଦୂରେଇ ରଖାଯାଇଥିାଲ । ଗରିବଙ୍କ ନାଁରେ ଷାଠିଏ ଏବଂ ସତୁରି ଦଶନ୍ଧିରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଗଲା କିନ୍ତୁ ୨୦୧୪ ଯାଏ ଦେଶର ଅଧାରୁ ଅଧିକ ଲୋକ ବ୍ୟାଙ୍କିଂ ଇକୋସିଷ୍ଟମରୁ ବାହାରେ ଥିଲେ । ଗରିବ, କ୍ଷୁଦ୍ର ଚାଷୀ, ମାଆ, ଭାଉଣୀମାନେ ଏହା ବିଷୟରେ ଚିନ୍ତା ମଧ୍ୟ କରିପାରୁ ନଥିଲେ । ଆଜି ଭାରତରେ ଡିଜିଟାଲ୍ ବ୍ୟାଙ୍କିଂ ୨୪ ଘଣ୍ଟା ବ୍ୟାଙ୍କିଂ ସେବାକୁ ଯୋଡ଼ିଛି । କିନ୍ତୁ ୨୦୧୪ ପୂର୍ବରୁ ଭିନ୍ନ ପ୍ରକାର ଫୋନ୍ ବ୍ୟାଙ୍କିଂର ଯୁଗ ଥିଲା । ଦିଲ୍ଲୀରେ କଂଗ୍ରେସର କିଛି ଖାସ୍ ଲୋକଙ୍କୁ ଫୋନ ବ୍ୟାଙ୍କିଂ ଜରିଆରେ ହଜାର ହଜାର କୋଟି ଟଙ୍କାର ଲୋନ୍ ଦିଆଯାଉଥିଲା । ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କ ବ୍ୟାଙ୍କ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟର ଦରକାର ପଡ଼ୁଥିଲା । କିନ୍ତୁ କଂଗ୍ରେସର ଫୋନ୍ ବ୍ୟାଙ୍କିଂ ସ୍କିମରେ ହଜାର ହଜାର କୋଟି ଟଙ୍କା ଯେକୌଣସି ସମୟରେ ଉପଲବ୍ଧ ରହୁଥିଲା । ଏହି କୁବ୍ୟବସ୍ଥାର ଅବସ୍ଥା ଥିଲା ଯେ ଭାରତର ବ୍ୟାଙ୍କିଂ ସିଷ୍ଟମକୁ ଏନପିଏ ଗ୍ରାସ କରିଥିଲା ।

Also Read: RBI ଡାଟା ସେଣ୍ଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ପ୍ରଯୁକ୍ତିବିଦ୍ୟା-ଚାଳିତ ଅର୍ଥନୀତିକୁ କରିବ ମଜଭୁତ

ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ବଡ଼ ପରିବର୍ତ୍ତନ ପାଇଁ ବଡ଼ ଚିନ୍ତାଧାର ରହିବା ଦରକାର । ଯଦି ଉଦ୍ଦେଶ୍ୟ ଠିକ୍, ତେବେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରିବ । ଛୋଟ ଚିନ୍ତାଧାରରେ ସମ୍ଭାବନା ସୀମିତ ହୋଇଥାଏ । ଗତ କିଛି ବର୍ଷରେ ଭାରତ ଯେଉଁ ଡିଜିଟାଲ୍ ଇଣ୍ଡିଆର ଯେଉଁ ନୂଆ ଇକୋସିଷ୍ଟମ ବିକଶିତ କରିଛି, ତାହା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇଛି । ଆଜି ଭାରତର ବ୍ୟାଙ୍କିଂ ସିଷ୍ଟମ ଆଜି ଦୁନିଆର ସଶକ୍ତ ବ୍ୟାଙ୍କିଂ ସିଷ୍ଟମ । ପୂର୍ବେ ଫୋନ୍ ବ୍ୟାଙ୍କିଂ ସିଷ୍ଟମରେ ଦିଲ୍ଲୀର କେବଳ ଖାସ୍ ପରିବାର ହିଁ ଲାଭାର୍ଥୀ ଥିଲେ । ଆଜି ଡିଜିଟାଲ୍ ବ୍ୟାଙ୍କିଂରେ ଦେଶର ପ୍ରତ୍ୟେକ ନାଗରିକ ଲାଭାର୍ଥୀ ହେଉଛନ୍ତି ।

ପିଏମ୍ ଆହୁରି କହିଛନ୍ତି, ଓଡ଼ିଶା ମାଟିରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀରୁ ଟଙ୍କାଏ ପଠାଇଲେ ଜନତାଙ୍କୁ କେବଳ ୧୫ ପଇସା ମିଳୁଛି । ଆଜି ଦିଲ୍ଲୀରୁ ଟଙ୍କାଏ ଆସିଲେ, ପୂରା ଟଙ୍କାଏ ଲାଭାର୍ଥୀଙ୍କ ପାଖରେ ପହଞ୍ଚୁଛି । ଆଜି କ୍ଷୁଦ୍ର ଉଦ୍ୟମୀଙ୍କଠାରୁ ଆରମ୍ଭ ବ୍ୟବସାୟୀ, ଗୃହଣୀ ଲୋନ ବିନା ଗ୍ୟାରେଣ୍ଟିରେ ଲୋନ୍ ମିଳୁଛି । ଦିନ ଥିଲା ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଧନୀ ଲୋକଙ୍କ ପାଇଁ ଥିଲା । ଆଜି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁଲଭ । ଏହା ଆତ୍ମସମ୍ମାନ ଏବଂ ଆତ୍ମନିର୍ଭର ପ୍ରତୀକ ଅଟେ । ଆମ ପାଇଁ ନାଗରିକ ଦେବୋ ଭବଃ ହିଁ ସୁଶାସନର ମନ୍ତ୍ର ।