ମୁମ୍ବାଇ: ବିମାନ ଯାତ୍ରାରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦେଶର ସବୁଠୁ ବଡ଼ ଦୁଇ ଏୟାରଲାଇନ୍ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଟର୍ମିନାଲ-୧ର ପୁନର୍ବିକାଶ ନିମନ୍ତେ ନିଜ ସଞ୍ଚାଳନର ଏକ ଅଂଶ ନଭି ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଏନଏମଆଇଏ)କୁ ସ୍ଥାନାନ୍ତର କରିବାକୁ ରାଜି ହୋଇଯାଇଛନ୍ତି। ଏୟାରପୋର୍ଟ ଅପରେଟର ଓ ଏୟାରଲାଇନ୍ସ ମାନଙ୍କ ମଧ୍ୟରେ ପାଖାପାଖି ୧୮ ମାସ ପର୍ଯ୍ୟନ୍ତ ଜାରି ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।

ନଭି ମୁମ୍ବାଇ ଏୟାରପୋର୍ଟର ଭିତ୍ତିଭୂମି ଓ ପ୍ରସ୍ତୁତିରେ ଏୟାରଲାଇନ୍ସ ସନ୍ତୋଷ ପ୍ରକାଶ କରିଛନ୍ତି। ଏୟାରପୋର୍ଟ ପର୍ଯ୍ୟନ୍ତ ସୁଗମ ଯାତାୟାତ ନିମନ୍ତେ ପନଭେଲ କ୍ରିକ ଓ ଗଢି ନଦୀ ଉପରେ ସିଡକୋ ୩ଟି ନୂଆ ପୋଲ ନିର୍ମାଣ କରିଛି। ଏହି ପୋଲ ଗୁଡିକ ନୂଆ ଏୟାରପୋର୍ଟକୁ ଅଟଳ ସେତୁ, ଉଲଭେ କୋଷ୍ଟାଲ ରୋଡ, ଆମରା ମାର୍ଗ ଓ ଏନଏଚ-୪ବିକୁ ସିଧା ସଂଯୁକ୍ତ କରୁଛି। ଏଣୁ ଯାତ୍ରୀଙ୍କୁ ଟ୍ରାଫିକ ଜାମ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି।

ପ୍ରଥମ ପର୍ଯ୍ୟାୟରେ ୫୦ଲକ୍ଷ ଯାତ୍ରୀଙ୍କୁ ନଭି ମୁମ୍ବାଇ ସିଫ୍ଟ କରିବାକୁ ଳକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରୁ ପାଖାପାଖି ୭୦% ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ମାଧ୍ୟମରେ ନୂଆ ଏୟାରପୋର୍ଟକୁ ସ୍ଥାନାନ୍ତରିତ ହେବେ। ତେବେ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ମୋଟ ୫.୫କୋଟିର ବାର୍ଷିକ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୯% ଟ୍ରାଫିକ ଅସ୍ଥାୟୀ ରୂପେ ନଭି ମୁମ୍ବାଇ ଟ୍ରାନ୍ସଫର ହେବେ। ବାକି ୯୧% ଯାତ୍ରୀ ସଞ୍ଚାଳନ ପୂର୍ବ ଭଳି ମୁମ୍ବାଇ ଏୟାରପୋର୍ଟରୁ ଜାରି ରହିବ। ଏହି ପରିବର୍ତ୍ତନ ଦ୍ୱାରା ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଟର୍ମିନାଲ-୧ ଉପରେ ଚାପ ହ୍ରାସ ହେବ ଓ ଏହାର ଆଧୁନିକରଣରେ ଥିବା ସମସ୍ୟା ଦୂର ହେବ। ପୁନର୍ବିକାଶ ପରେ ଟି-୧ର କ୍ଷମତା ବାର୍ଷିକ ୧.୫ କୋଟିରୁ ବଢି ୨ କୋଟି ହୋଇଯିବ।