ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ବଢୁଥିବା ବୈଶ୍ୱିକ ଉତ୍ତେଜନା ଅଶୋଧିତ ତୈଳ ମୂଲ୍ୟରେ ଉଠାପକା ଆସନ୍ତା ସପ୍ତାହରେ ମଧ୍ୟ ଜାରି ରହିବ। ଏଣୁ ଯୋଗାଣ ବାଧିତ ହେବାର ଆଶଙ୍କା ଦେଖାଦେଲାଣି। ଏଥିରେ ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ସମ୍ପର୍କିତ ନିଷ୍ପତ୍ତି ବଜାରର ଆଗାମୀ ଦିଗ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ଲେଷକଙ୍କ ଅନୁସାରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ବ୍ୟାରଲ ପିଛା ୧୧୭ ଡଲାର ପହଞ୍ଚିବା ମଧ୍ୟରେ ନିବେଶକଙ୍କ ନଜର ହର୍ମୁଜ ସମ୍ପର୍କିତ ଘଟଣାକ୍ରମ, ଇନ୍ଧନ ଭିତ୍ତିଭୂମି ଉପରେ ଆକ୍ରମଣ ଆଶଙ୍କା ଓ ଆମେରିକାର ସାପ୍ତାହିକ ଭଣ୍ଡାର ତଥ୍ୟ ଉପରେ ରହିବ।

ବିଶ୍ଲେଷକ କହିଛନ୍ତି ଯେ ଆମେରିକା ପେଟ୍ରୋଲିୟମ ସଂସ୍ଥାନ ଓ ଆମେରିକା ଏନର୍ଜୀ ସୂଚନା ପ୍ରଶାସନ ତାଙ୍କ ସାପ୍ତାହିକ ଭଣ୍ଡାର ଅନୁମାନ ଜାରି କରିବେ। ଏହାଛଡା କୁସିଂରେ ଅଶୋଧିତ ତୈଳ ଭଣ୍ଡାର ଓ ୨୭-୨୮ ଅକ୍ଟୋବରରେ ହେବାକୁ ଥିବା ଆମେରିକା ଫେଡେରାଲ ଓପନ ମାର୍କେଟ କମିଟି ବୈଠକ ମଧ୍ୟ ବଜାର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହେବ। ରେଲିଗେୟର ବ୍ରୋକିଂର ସିନିୟର ଭାଇସ ପ୍ରେସିଡେଣ୍ଟ(ରିସର୍ଚ୍ଚ) ଅଜିତ ମିଶ୍ର କହିଛନ୍ତି ଯେ ନିକଟ ଅବଧିରେ ମୂଲ୍ୟ ବଢିକି ରହିବ, ତେବେ ଏହା ଅନେକାଂଶରେ ଖବର ଦ୍ୱାରା ପ୍ରଭାବିତ ହେବ।

ଏଣୁ ସେ ବ୍ୟବସାୟୀଙ୍କୁ ମୂଲ୍ୟ ବୃଦ୍ଧି ପଛରେ ନ ଦୌଡିବାକୁ ପରାମର୍ଶ ଦେଇଛନ୍ତି ଓ ପରବର୍ତ୍ତି ଦିଗ ପୁଷ୍ଟି ଲାଗି ବୈଶ୍ୱିକ ଘଟଣାକ୍ରମ, ଫେଡେରାଲ ରିଜର୍ଭର ସଂକେତ ତଥା ସାପ୍ତାହିକ ଭଣ୍ଡାର ତଥ୍ୟ ଉପରେ ନଜର ରଖିବାକୁ କହିଛନ୍ତି। ତେବେ ହର୍ମୁଜ ପ୍ରଣାଳୀ ମଧ୍ୟରେ ଓ ସାଉଦୀ ଆରବ ଆଖପାଖରେ ଆକ୍ରମଣ ବୃଦ୍ଧି ପାଇବା ଯୋଗୁ ବଜାରର ଧ୍ୟାନ ଇନ୍ଧନ ଭିତ୍ତିଭୂମି ଓ ରପ୍ତାନୀ ସୁରକ୍ଷାକୁ ନେଇ ଚିନ୍ତା ଉପରେ ପୁଣି ଥରେ କେନ୍ଦ୍ରିତ ହୋଇଯାଇଛି।