ନୂଆଦିଲ୍ଲୀ: ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି । ଏଳନ ମସ୍କଙ୍କ ସ୍ପେସ୍‌ ଏକ୍ସ କମ୍ପାନୀ ଆମେରିକୀୟ ସେନାର ଅତି ସମ୍ବେଦନଶୀଳ ତଥ୍ୟ ହାସଲ କରିଥିବା ଦାବି ହୋଇଛି । । ଆମେରିକୀୟ ସ୍ପେସ୍ ଫୋର୍ସ ସହ ହୋଇଥିବା ଚୁକ୍ତି ଅଧୀନରେ ସ୍ପେସ ଏକ୍ସକୁ ପୃଥିବୀ ଚାରିପଟେ ଘୂରୁଥିବା ବିଭିନ୍ନ ସାଟେଲାଇଟ୍ ଏବଂ ମହାକାଶ ଆବର୍ଜନା ସମ୍ବନ୍ଧୀୟ ସୂଚନା ମିଳିଛି। ସ୍ପେସ ଏକ୍ସ ଏହି ତଥ୍ୟକୁ ଆଧାର କରି ଅନ୍ୟ ପ୍ରତିଯୋଗୀଙ୍କ ଅପେକ୍ଷା ଅଧିକ ଫାଇଦା ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।  

ବଡ଼ ପ୍ଲେୟାର ହୋଇଯିବ SpaceX
ପ୍ରଥମ ଥର ପାଇଁ ସ୍ପେସ୍ ଫୋର୍ସ କୌଣସି ଘରୋଇ କମ୍ପାନୀକୁ ଆମେରିକୀୟ ସ୍ପେସ୍ କମାଣ୍ଡରେ ପ୍ରବେଶ ଲାଗି ଅନୁମତି ଦେଇଛି ।  ଏଥିରେ ଭୂମି-ଆଧାରିତ ସେନ୍ସର, ରାଡାର ଏବଂ ଟେଲିସ୍କୋପ୍ ମାଧ୍ୟମରେ ସଂଗୃହୀତ ସଠିକ୍ ଟ୍ରାକିଂ ତଥ୍ୟ ସାମିଲ । ଏହି ଟେକ୍ନୋଲୋଜି ମାଧ୍ୟମରେ ନିମ୍ନ ପୃଥିବୀ କକ୍ଷପଥରେ ମାତ୍ର ୧୦ ସେଣ୍ଟିମିଟର ଆକାରର କ୍ଷୁଦ୍ର ବସ୍ତୁଗୁଡ଼ିକୁ ମଧ୍ୟ ଠାବ କରାଯାଇପାରିବ । ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ।   ସ୍ପେସ ଏକ୍ସ ପାଖରୁ ପୂର୍ବରୁ 'ଷ୍ଟାରଗେଜ୍' ନାମକ ଏକ ସାଟେଲାଇଟ୍ ଆଧାରିତ ଟ୍ରାକିଂ ନେଟୱାର୍କ ରହିଛି । ଏହା ଷ୍ଟାରଲିଙ୍କ ସାଟେଲାଇଟ୍ ଜରିଆରେ କାର୍ଯ୍ୟ କରେ। କିନ୍ତୁ ଏହା ଆମେରିକୀୟ ସେନା ପରି ଅତି କ୍ଷୁଦ୍ର ବସ୍ତୁଗୁଡ଼ିକୁ ଠାବ କରିବାରେ ସକ୍ଷମ ନଥିଲା। 

 ଜାତୀୟ ସୁରକ୍ଷା ପ୍ରତି ବିପଦ !
​​​​​​​ଏହି ଚୁକ୍ତି ଅନୁସାରେ ସ୍ପେସ ଏକ୍ସ ତାର ସାମର୍ଥ୍ୟ ବୃଦ୍ଧି କରିବ । ଏହି ବ୍ୟବସ୍ଥାକୁ ନେଇ ସୁରକ୍ଷା ଏବଂ ପ୍ରତିଯୋଗିତା ଉପରେ ପ୍ରଶ୍ନ ଉଠିଛି। ଆଗାମୀ ଦଶନ୍ଧି ମଧ୍ୟରେ ମହାକାଶ ବାଣିଜ୍ୟ ବଜାର ପ୍ରାୟ ୨ ଲକ୍ଷ କୋଟି ଡଲାରରେ ପହଞ୍ଚିବ । ଏହି ଚୁକ୍ତି ମସ୍କଙ୍କ କମ୍ପାନୀକୁ ବହୁଗୁଣ ଲାଭ ଦେବ । ଜଣେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଏହା ଦ୍ୱାରା ସ୍ପେସ ଏକ୍ସ ଆମେରିକାରେ ମହାକାଶ ଟ୍ରାଫିକ୍ ପରିଚାଳନା କ୍ଷେତ୍ରରେ ଏକମାତ୍ର ବଡ଼ ଖେଳାଳି ହୋଇଯିବ । ଏହା ବ୍ୟତୀତ, ତଥ୍ୟଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ । ଏହା ଆମେରିକାର ଜାତୀୟ ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିବ ।