ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତିବର୍ଷ ମେ ୨୦ ତାରିଖ ବେଳକୁ ପ୍ରାୟତଃ ଆଣ୍ଡାମାନ ଓ ନିକୋବର ଦ୍ୱୀପ ପୁଞ୍ଜକୁ ପହଞ୍ଚିଥାଏ। ଏହି ଠାରୁ ଭାରତରେ ମୌସୁମୀ ଋତୁ ଆରମ୍ଭ ହୁଏ। ସେହିପରି ୧ ଜୁନ ବେଳକୁ ମୌସୁମୀ କେରଳ ଉପକୂଳ ଆଖପାଖ ଅଞ୍ଚଳକୁ ଛୁଏଁ। ହିନ୍ଦ ମହାସାଗରରୁ ଉଠୁଥିବା ଆର୍ଦ୍ଦ ବାୟୁ ପଶ୍ଚିମ ଘାଟ ସହ ଧକ୍କା ଲାଗେ, ଯେଉଁଥି ପାଇଁ ବର୍ଷାର ବେଗ ବଢେ। ଏହା ସହିତ ଭାରତ ମୁଖ୍ୟ ଭୂ-ଭାଗରେ ବର୍ଷା ଋତୁର ଅଧିକାରୀକ ଆଗମନ ହୁଏ।

କେରଳକୁ ପ୍ରବେଶ କରିବା ପରେ ଭାରତର ପ୍ରାକୃତିକ ଗଠନ ପ୍ରଣାଳୀ ଯୋଗୁ ମୌସୁମୀ ଦୁଇ ଭାଗ ହୋଇଯାଏ। ଏଥିରୁ ଗୋଟିଏ ଆରବ ସାଗର ଶାଖରେ ପରିଣତ ହେଉଥିବା ବେଳେ ଅନ୍ୟଟି ବଙ୍ଗୋପସାଗର ଶାଖାରେ ପରିଣତ ହୁଏ। ମୌସୁମୀର ଉଭୟ ଶାଖା ଅଲଗା ଅଲଗା ଦିଗରେ ଅଗକୁ ବଢନ୍ତି।

ଆରବ ସାଗର ଶାଖା ଭାରତର ପଶ୍ଚିମ ଉପକୂଳ ସହିତ ଦ୍ରୁତ ଆଗକୁ ବଢିଥାଏ। ଏହା ଜୁନ ୫ ତାରିଖ ବେଳକୁ କର୍ଣ୍ଣାଟକ ଓ ଗୋଆ ପର୍ଯ୍ୟନ୍ତ ପହଞ୍ଚିବା ବେଳେ ୧୦ ତାରିଖ ବେଳକୁ ମୁମ୍ବାଇ ଓ ମଧ୍ୟ ଜୁନ ବେଳକୁ ଗୁଜରାଟ ଓ ମଧ୍ୟପ୍ରଦେଶକୁ ପହଞ୍ଚେ । ସେହିପରି ମୌସୁମୀର ବଙ୍ଗୋପସାଗର ଶାଖା ସର୍ବ ପ୍ରଥମେ ଉତ୍ତର-ପୂର୍ବ ଭାରତକୁ ୫ ଜୁନ ଆଖପାଖରେ ପହଞ୍ଚିବାକୁ ଲାଗେ। ଏଥିରେ ଆସାମ ଓ ମେଘାଳୟରେ ମୌସୁମୀ ବର୍ଷା ଆରମ୍ଭ ହୁଏ। ଏହା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ଆଡକୁ ଅଗ୍ରସର ହୁଏ। ଜୁନ ଶେଷ ସପ୍ତାହ ପହଞ୍ଚିବା ବେଳେକୁ ମୌସୁମୀ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପର୍ଯ୍ୟନ୍ତ ପହଞ୍ଚେ।

ପଶ୍ଚିମ ରାଜସ୍ଥାନ ଭାରତର ସେହି ଶେଷତମ ଅଞ୍ଚଳ ମଧ୍ୟରେ ଅନ୍ୟତମ ଯେଉଁଠାକୁ ମୌସୁମୀ ସବା ଶେଷରେ ପହଞ୍ଚେ। ଜୟପୁର ଓ ଜୈସାଲମେର ଭଳି ସହରକୁ ମୌସୁମୀ ୫ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ପହଞ୍ଚି ଥାଏ। ତେବେ ଚଳିତ ବର୍ଷ ମୌସୁମୀ ଦେଶକୁ ସଅଳ ପହଞ୍ଚିଛି। ମେ ୧୬ ତାରିଖରେ ମୌସୁମୀ ପ୍ରଥମେ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ପହଞ୍ଚିଥିବା ବେଳେ ମେ ୨୬ ତାରିଖ ବେଳକୁ କେରଳ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମଡି) ଆକଳନ କରିଛନ୍ତି। ସେହିପରି ମୌସୁମୀ ଦେଶର ଅନ୍ୟ ଅଞ୍ଚଳକୁ ମଧ୍ୟ ଏ ବର୍ଷ ସଅଳ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।