ମସ୍କୋ, ୩୦/୦୪ କଥା ହେଲେ ଟ୍ରମ୍ପ୍ ଏବଂ ପୁଟିନ । ଦେଢଘଣ୍ଟା ଧରି କଲେ ଆଲୋଚନା । ବିଭିନ୍ନ ପ୍ରସଙ୍ଗରେ କଥା ହେଲେ ଦୁଇ ନେତା । ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ଉଭୟ ୟୁକ୍ରେନ୍ ଏବଂ ଇରାନ ଯୁଦ୍ଧ ବାବଦରେ କଥା ହୋଇଥିବା ଜଣାପଡିଛି । ତେବେ ଏହି ବାର୍ତ୍ତାଳାପକୁ ଟ୍ରମ୍ପ୍ ସକରାତ୍ମକ ବୋଲି କହିଛନ୍ତି ।

ସାମ୍ବାଦିକଙ୍କୁ ଭେଟି ଟ୍ରମ୍ପ୍ କହିଛନ୍ତି ଯେ, ସେ ପୁଟିନଙ୍କ ସହ କଥା ହୋଇଛନ୍ତି । ଏହାସହ ୟୁକ୍ରେନ ଯୁଦ୍ଧକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । ପୁଟିନ ଏପରି କରିପାରନ୍ତି ବୋଲି ତାଙ୍କର ବିଶ୍ୱାସ ରହିଛି । ସେ ଏବଂ ପୁଟିନ ଦୀର୍ଘଦିନ ଧରି ପରସ୍ପରକୁ ଜାଣିଛନ୍ତି । ଯାହା କୂଟନୈତିକ ସମାଧାନର ବାଟ ଫିଟାଇବାରେ ବଡ ଭୂମିକା ନେଇପାରିବ ।

ୟୁକ୍ରେନ୍ ପ୍ରସଙ୍ଗ ବ୍ୟତୀତ ଦୁଇ ନେତା ଇରାନରେ ଚାଲିଥିବା ଉତ୍ତେଜନା ବାବଦରେ ମଧ୍ୟ କଥା ହୋଇଛନ୍ତି । ୟୁରାନିୟମ ପ୍ରସଙ୍ଗରେ ମଧ୍ୟ ପରସ୍ପର ଆଲୋନା କରିଛନ୍ତି । ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନାକୁ କମାଇବା ପାଇଁ ପୁଟିନ ଆଗକୁ ବାହାରିବେ ବୋଲି କହିଛନ୍ତି । ତେବେ ପୁଟିନ ପ୍ରଥମେ ୟୁକ୍ରେନ୍ ଯୁଦ୍ଧ ରୋକିବାକୁ ପ୍ରାଥମିକତା ଦିଅନ୍ତୁ ବୋଲି ତାଙ୍କୁ ଟ୍ରମ୍ପ୍ କହିଥିବା ପ୍ରକାଶ କରିଛନ୍ତି ।

କ୍ରେମଲିନର ପରାମର୍ଶଦାତା ୟୁରି ଉଶାକୋଭ୍ କହିଛନ୍ତି ଯେ, ଉଭୟ ନେତା ୯୦ ମିନିଟ୍ ଧରି କଥା ହୋଇଛନ୍ତି । ମେ ୯ ତାରିଖରେ ବିଜୟ ଦିବସ ଉପଲକ୍ଷେ ପୁଟିନ ଯୁଦ୍ଧବିରତି ଘୋଷଣା କରିପାରନ୍ତି । ଟ୍ରମ୍ପ୍ ଏହି ବିଚାରକୁ ସମର୍ଥନ କରିଛନ୍ତି । ଏହି ଦିନ ଆମେରିକା ଏବଂ ଋଷିଆର ଐତିହାସିକ ବିଜୟ ବୋଲି ଟ୍ରମ୍ପ୍ ପୁଟିନଙ୍କୁ କହିଛନ୍ତି ।

Also Read :- 'କୌଣସି ତୈଳକୂପରେ ବିସ୍ଫୋରଣ ହୋଇନି' : ଟ୍ରମ୍ପଙ୍କୁ ଜବାବ ଦେଲେ ଇରାନୀ ବାଚସ୍ପତି

ୟୁରି ଆହୁରି କହିଛନ୍ତି ଯେ, ଟ୍ରମ୍ପ୍ ୟୁକ୍ରେନ୍ ଯୁଦ୍ଧ ବାବଦରେ ତଥ୍ୟ ମାଗିଥିଲେ । ପୁଟିନ ତାଙ୍କୁ ଋଷ ସେନାର ପଲ୍ଲା ଭାରିଥିବା କହିଥିଲେ । ଋଷ୍ ସେନା ୟୁକ୍ରେନ୍ ସେନାଙ୍କୁ ପଛକୁ ହଟାଉଥିବା ପୁଟିନ ପ୍ରକାଶ କରିଥିଲେ । ଅନ୍ୟ ଦିଗରେ ଉଭୟ ପୁଟିନ ଏବଂ ଟ୍ରମ୍ପ୍ ବର୍ତ୍ତମାନର ୟୁକ୍ରେନ ସରକାର ଉତ୍ତେଜନା କମାଇବା ପରିବର୍ତ୍ତେ ଏହାକୁ ଅଧିକ ବଡାଉଥିବା ନେଇ ସହମତି ପ୍ରକାଶ କରିଥିଲେ ।