ଇନ୍ଦୋର: ଭାରତ-ୱେଷ୍ଟ ଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମ୍ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ କ୍ୟାପ୍ଟେନ୍ ଶାଇ ହୋପ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨୨୩ ରନ୍ କରିଛି। ଅଭିଷେକ ଶର୍ମା ସର୍ବାଧିକ ୬୯ ରନ୍ କରିଥିବା ବେଳେ ଇଶାନ କିଶନ ୩୭ ରନ୍ର ଯୋଗଦାନ ଦେଇଥିଲେ। ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ କରିପାରି ନାହାନ୍ତି। ସେପଟେ ୱେଷ୍ଟଇଣ୍ଡିଜ ପକ୍ଷରୁ ରୋଷ୍ଟନ୍ ଚେସ୍, ଶମର ଜୋସେଫ ଓ ଶମର ସ୍ପ୍ରିଙ୍ଗର ଦୁଇଟି ଲେଖାଏ ୱିକେଟ୍ ନେଇଛନ୍ତି।

ଗତ ମ୍ୟାଚ୍‌ରେ ଧୂଳି ଉଡ଼ାଇଥିବା ଭାରତୀୟ ବ୍ୟାଟର ସଞ୍ଜୁ ସାମସନ ଏଥର ପୁଣି ପ୍ଲପ୍ ହୋଇଛନ୍ତି। ଭାରତୀୟ ଦଳକୁ ପ୍ରଥମ ଝଟ୍କା ସଞ୍ଜୁ ସାମସନଙ୍କ(୩) ୱିକେଟ୍ ଆକାରରେ ମିଳିଥିଲା। ଶମାର ଜୋସେଫ ତାଙ୍କୁ କ୍ୟାଚ୍ ଆଉଟ କରାଇଥିଲେ। ଏହାପରେ ଦ୍ୱିତୀୟ ୱିକେଟ୍ ପାଇଁ ଆସିଥିବା ଇଶନ କିଶନ ଅଭିଷେକଙ୍କ ସହ ମିଶି ଇନିଂସ ସମ୍ଭାଳିଥିଲେ। ଉଭୟ ମିଶି ଦଳୀୟ ସ୍କୋରକୁ ୧୦୮ ପର୍ଯ୍ୟନ୍ତ ନେଇଯାଥିଲେ। ଏହି ସମୟ ମଧ୍ୟରେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୩୦ ବଲ୍ରେ ୬୯ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ।

ଏହାପରେ ଶମର ସ୍ପ୍ରିଙ୍ଗର ଅଭିଷେକ ଶର୍ମାଙ୍କୁ ଆଉଟ କରିଥିଲେ। ଏହାର ତୁରନ୍ତ ପରେ ଇଶାନ କିଶନଙ୍କ ୱିକେଟ ମଧ୍ୟ ଯାଇଥିଲା। ତା’ପରେ କ୍ୟାପ୍ଟେନ୍ ଶ୍ରେୟସ ଆୟର(୧), ତିଲକ ବର୍ମା(୨୮), ନମନଧୀରେ (୧୦), ନୀତୀଶ କୁମାର ରେଡ୍ଡୀ(୨୧), ଅକ୍ଷର ପଟେଲ(୨୦),ଅର୍ଶଦୀପ ସିଂହ(୧୧), ପ୍ରିନ୍ସ ଯାଦବ (୧୩) ରନ୍ କରିଥିଲେ।

ଇତିହାସ ରଚିଲେ ରୋଷ୍ଟନ୍ ଚେଜ୍

ସେପଟେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ ବ୍ୟାଟର ରୋଷ୍ଟନ୍ ଚେଜ୍ ଇନ୍ଦୋରରେ ଇତିହାସ ରଚିଛନ୍ତି। ଭାରତ ବିପକ୍ଷରେ ଟି-୨୦ରେ ୱେଷ୍ଟଇଣ୍ଡିଜର ଯୁଗ୍ମଭାବେ ସର୍ବାଧିକ ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସେ ଜାସନ୍ ହୋଲ୍ଡର୍ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ହୋଲକର ଷ୍ଟାଡିୟମରେ ଚେଜ୍ ତାଙ୍କ ୪ ଓଭର ସ୍ପେଲ୍‌ରେ ୩୮ ରନ୍ ଦେଇ ୨ ୱିକେଟ୍ ନେଇଥିଲେ।

ଆଜିର ମ୍ୟାଚ୍ରେ ରୋଷ୍ଟନ୍ ଚେଜ୍ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ। ସେ ପ୍ରଥମ ଓଭରେ ଚମତ୍କାର ବୋଲିଂ କରି କେବଳ ୪ଟି ସିଙ୍ଗଲ ରନ ଦେଇଥିଲେ। ତା’ପରେ ସେ ଗୋଟିଏ ଓଭରରେ ୨ଟି ୱିକେଟ୍ ନେଇ ସେ ଇତିହାସ ରଚିଛନ୍ତି।