ବମ୍ବେ-; ବଲିଉଡ୍ ଦବଙ୍ଗ ଷ୍ଟାର ସଲମାନ ଖାନ୍ଙ୍କୁ ପ୍ରଶଂସା କରିଛନ୍ତି ଅଭିନେତ୍ରୀ ନେହା ଧୂପିଆ। ସେ ପାପାରାଜୀଙ୍କ ବିରୁଦ୍ଧରେ ଶକ୍ତ ଆଭିମୁଖ୍ୟ ରଖିଛନ୍ତି l ଅଭିନେତ୍ରୀଙ୍କ ଅନୁମତି ବିନା ସେମାନଙ୍କର ଅଶାଳୀନ ଢଙ୍ଗରେ ଫଟୋ ଉଠାଉଥିବା ପାପାରାଜିଙ୍କ ବିରୋଧରେ ସଲମାନ ଯେଉଁ ଆଭିମୁଖ୍ୟ ରଖିଥିଲେ, ତାହାକୁ ନେଇ ନେହା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନେହା କହିଛନ୍ତି, ସଲମାନଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତି ଏହି ପ୍ରସଙ୍ଗରେ ସ୍ୱର ଉଠାଇବା ଦ୍ୱାରା ଅନେକ ଲୋକ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରିବେ ।

ତେବେ ପାପାରାଜିଙ୍କୁ ନେଇ କାହିଁକି ରାଗିଥିଲେ ସଲମାନ ?

କିଛି ସପ୍ତାହ ପୂର୍ବରୁ ‘ବିଗ୍ ବସ୍’ର ୨୦ର ଏକ ‘ୱିକେଣ୍ଡ୍ କା ୱାର୍’ ଏପିସୋଡ୍ରେ ସଲମାନ ଖାନ୍ ପାପାରାଜୀଙ୍କ ଉପରେ କଡା ମନ୍ତବ୍ୟ ରଖିଥିଲେ l ମହିଳା ଅଭିନେତ୍ରୀଙ୍କ ଅନୁମତି ବିନା ସେମାନଙ୍କର ପଛପଟୁ ଫଟୋ ଉଠାଇବା ଓ ସେହି ଫଟୋକୁ ଅଶାଳୀନ ଢଙ୍ଗରେ ପ୍ରଚାର କରିବାକୁ ନେଇ ଭାଇଜାନ ଆପତ୍ତି ଉଠାଇଥିଲେ। ସଲମାନ କହିଥିଲେ ଯେ, କିଛି ଅଭିନେତ୍ରୀ ଏଭଳି ଫଟୋ ଉଠାଇବାକୁ ନେଇ ଆପତ୍ତି କରୁନଥାଇପାରନ୍ତି। କିନ୍ତୁ ଅନେକ ମହିଳା ଏଥିରେ ଅସହଜ ଅନୁଭବ କରନ୍ତି। ତେଣୁ ସମସ୍ତଙ୍କୁ ଗୋଟିଏ ଦୃଷ୍ଟିରେ ଦେଖିବା ଠିକ୍ ନୁହେଁ। ଯେଉଁମାନେ ଏଭଳି ଫଟୋ ଉଠାଇବାକୁ ପସନ୍ଦ କରୁନାହାନ୍ତି, ସେମାନଙ୍କ ଇଚ୍ଛାକୁ ସମ୍ମାନ ଦିଆଯିବା ଉଚିତ ବୋଲି ସେ କହିଥିଲେ। ଏହାସହ ଏଭଳି ଫଟୋ ଉଠାଇବା ପଛରେ କି ମାନସିକତା ରହିଛି, ତାହାକୁ ନେଇ ମଧ୍ୟ ସଲମାନ ପ୍ରଶ୍ନ ଉଠାଇଥିଲେ।

‘ବିଗ୍ ବସ୍ ୨୦’ର ଏକ ଏପିସୋଡ୍ରେ ‘ରୋଡିଜ୍ ରାଇଜିଂ’ର ଗ୍ୟାଙ୍ଗ୍ ଲିଡର୍ ନେହା ଧୂପିଆ, ଅଭିଷେକ ମାଲହାନ, ପ୍ରିନ୍ସ ନରୁଲା ଓ ରଣବିଜୟ ସିଂହା ସଲମାନଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିଥିଲେ। ଏହି ସମୟରେ ନେହା ସଲମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଆଉ କହିଥିଲେ ଯେ, ସେ ଗତ ଦୁଇରୁ ତିନି ସପ୍ତାହ ଧରି ତାଙ୍କ ସହ ଏହି ବିଷୟରେ କଥା ହେବାକୁ ଚାହୁଁଥିଲେ। ନେହା କହିଥିଲେ, ସଲମାନଙ୍କ ଭଳି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଯେତେବେଳେ କୌଣସି ପ୍ରସଙ୍ଗରେ ସ୍ୱର ଉଠାନ୍ତି, ସେତେବେଳେ ତାହା ଅଧିକ ଲୋକଙ୍କ ପାଖରେ ପହଞ୍ଚିଥାଏ। ମହିଳାଙ୍କ ସମ୍ମାନ ସହ ଜଡ଼ିତ ଏହି ପ୍ରସଙ୍ଗରେ ସଲମାନ ନିଜ ମତ ରଖିଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଥିଲେ।

also read- ଅମିତାଭ ଓ ଜୟାଙ୍କ ପ୍ରେମ କାହାଣୀ ,ପ୍ରଥମେ ଝଗଡା ପରେ ପ୍ରେମ

ନେହାଙ୍କ କଥାର ଉତ୍ତର ଦେଇ ସଲମାନ କହିଥିଲେ ଯେ,ଏବେ ଏହି ପ୍ରସଙ୍ଗକୁ ମୁଁ ଗମ୍ଭୀରତାର ସହ ନେଉଛି । କାରଣ ତାଙ୍କ ଚେତାବନୀ ପରେ ମଧ୍ୟ କିଛି ପାପାରାଜି ପେଜ୍ ଏହାକୁ ଥଟ୍ଟା ଭାବେ ନେଇ ଏଭଳି କାର୍ଯ୍ୟ ଜାରି ରଖିଥିବା ସେ କହିଥିଲେ। ସଲମାନଙ୍କ କହିବା ଅନୁଯାୟୀ, କିଛି ଲୋକ ନିଜେ ପାପାରାଜିଙ୍କୁ ଡାକି ଫଟୋ ଉଠାଇବାକୁ କହୁଥିବା ବେଳେ ଅନ୍ୟ କିଛି ଲୋକ ଏଭଳି ଫଟୋକୁ ଆଦୌ ପସନ୍ଦ କରନ୍ତି ନାହିଁ। ତେଣୁ କିଏ ରାଜି ଓ କିଏ ରାଜି ନୁହେଁ, ସେହି ଫରକକୁ ବୁଝିବା ଜରୁରୀ। ଯେଉଁମାନେ ଆପତ୍ତି କରୁଛନ୍ତି, ସେମାନଙ୍କ ଇଚ୍ଛାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ।

ଅନ୍ୟପଟେ, ଟେଲିଭିଜନ୍ ଅଭିନେତା ମନୀଷ ଗୋଏଲ୍ ‘ବିଗ୍ ବସ୍ ୨୦’ କୁ ପ୍ରଥମ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିଛନ୍ତି। ସେ ନିକଟରେ ଟିଭି ଧାରାବାହିକ ‘ଅନୁପମା’ରେ ନଜର ଆସିଥିଲେ। ଘର ଭିତରକୁ ପ୍ରବେଶ କରିବା ପରେ ସେ ଅନ୍ୟ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ଖେଳକୁ ନେଇ କିଛି ପରାମର୍ଶ ମଧ୍ୟ ଦେଇଥିଲେ।