ନୂଆଦିଲ୍ଲୀ: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କ ସନ୍ତୁଳିତ ରାଜନୀତି ଏବେ ଚର୍ଚ୍ଚାରେ । ଶନିବାର ଲୋକସଭାର ବିରୋଧୀ ଦଳ ନେତା ଏବଂ ମୁଖ୍ୟ ସହଯୋଗୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ କାଫେରେ କଫି ପିଇଥିଲେ ବିଜୟ । ଏହାର ଗୋଟିଏ ଦିନ ପରେ, ଅର୍ଥାତ ରବିବାର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମେଟ୍ରୋରେ ଯାତ୍ରା କଲେ ଏବଂ ମନ୍ଦିର ଦର୍ଶନ କଲେ । ଗୋଟିଏ ପଟେ ରାଜ୍ୟରେ ଟିଭିକେର ମୁଖ୍ୟ ସହଯୋଗୀ କଂଗ୍ରେସ ଏବଂ ଅନ୍ୟପଟେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କ ସହ ବିଜୟଙ୍କ ସମନ୍ବୟ ରକ୍ଷା କରିବାର ଶୈଳୀକୁ ନେଇ ବେଶ ଚର୍ଚ୍ଚା ଓ ଆଲୋଚନା ।

ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଚେନ୍ନାଇ ମେଟ୍ରୋ ରେଳର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିଜୟଙ୍କ ସହ ମେଟ୍ରୋ ଯାତ୍ରା କରିବା ସହ ଆଇଆଇଟି ମାଡ୍ରାସ ପରିସରରେ ଥିବା ଏକ ମନ୍ଦିରରେ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାୟ ୧୩,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ପାଇଁ ଚେନ୍ନାଇ ଗସ୍ତ କରିଥିଲେ।  ଟିଭିକେ କର୍ମୀମାନଙ୍କ ଦ୍ୱାରା ‘ବିଜୟ ଫର୍ ପିଏମ୍’ ନାରା ଦିଆଯାଉଥିବା ସମୟରେ, ଏହି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ସାକ୍ଷାତକାର କଂଗ୍ରେସ ଦଳ ପାଇଁ ଅସହଜ ପରିସ୍ଥିତି ସୃଷ୍ଟି କରିଛି । ସେହିଭଳି ଜାତୀୟସ୍ତରରେ ସଂପର୍କରେ ବଢ଼ାଇବାକୁ ନେଇ ବିଜୟଙ୍କ ସମ୍ଭାବ୍ୟ ଇଚ୍ଛା ନେଇ ଚର୍ଚ୍ଚାକୁ ମଧ୍ୟ ଖୋରାକ ଯୋଗାଇଛି । 

କଂଗ୍ରେସ ୨୦୨୯ ଲୋକସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପନ କରିଆସୁଛି। 
ତେବେ ଜାତୀୟ ଗଣମାଧ୍ୟମ ଅନୁସାରେ, ରାହୁଲଙ୍କ ସହ ବିଜୟଙ୍କ ମଧ୍ୟାହ୍ନ ଭୋଜନ ଓ କଫି ବୈଠକ, ଦୁଇ ସହଯୋଗୀ ଦଳ ମଧ୍ୟରେ ସବୁକିଛି ଠିକ୍ ନାହିଁ ବୋଲି ହେଉଥିବା ଚର୍ଚ୍ଚାକୁ ଦୂର କରିବାକୁ ଲକ୍ଷ୍ୟ ରଖିଥିଲା। 'ବିଜୟ ଫର୍ ପିଏମ୍' ନାରା କେବଳ କେତେକ କର୍ମୀଙ୍କ ଆଶା, ଦଳର ସରକାରୀ ଆଭିମୁଖ୍ୟ ନୁହେଁ ବୋଲି ଟିଭିକେ କହିଥିଲା । କିନ୍ତୁ ରାଜ୍ୟର ମନ୍ତ୍ରୀ ସାର୍ବଜନୀନ ଭାବରେ ପ୍ରଶ୍ନ କରିଛନ୍ତି ଯେ, ଭାରତର ବିକାଶର ଇଞ୍ଜିନ୍ ସାଜିଥିବା ତାମିଲନାଡୁରୁ କାହିଁକି ଜଣେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ? 

ଅନ୍ୟପଟେ ବିଜୟ ବିଜେପିକୁ ନିଜ ଦଳର ‘ବୈଚାରିକ ଶତ୍ରୁ’ ବୋଲି ଆଖ୍ୟା ଦେଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଭାବରେ, ତାଙ୍କୁ ପାଣ୍ଠି, ଯୋଜନା ଏବଂ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବାକୁ ପଡ଼ିବ। ତାଙ୍କ ସରକାର କେନ୍ଦ୍ର ସହ ସମ୍ପର୍କକୁ ଶତ୍ରୁତାପୂର୍ଣ୍ଣ ନକରିବାକୁ ଚେଷ୍ଟା କରିଛନ୍ତି। ଏପରିକି ରାହୁଲ ଗାନ୍ଧୀଙ୍କ ଗିରଫଦାରୀ ପ୍ରତିକ୍ରିୟାରେ ମଧ୍ୟ ଟିଭିକେ ସ୍ପଷ୍ଟ ଭାବରେ ବିଜେପି କିମ୍ବା କେନ୍ଦ୍ରର ନାମ ନେଇନଥିଲା। ଏହି ଦୁଇଟି ଭିନ୍ନ ସାକ୍ଷାତକାର ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ ଏବଂ ଟିଭିକେ ନେତା ନିର୍ମଳ କୁମାର କହିଛନ୍ତି, ଆମର ନୀତି ସ୍ପଷ୍ଟ। ତାମିଲନାଡୁର କଲ୍ୟାଣ ଓ ବିକାଶ ପାଇଁ ଆମେ ନମନୀୟ ହେବାକୁ ପ୍ରସ୍ତୁତ। ଆଜିର କାର୍ଯ୍ୟକ୍ରମ ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ଏବଂ ଗତକାଲି ରାହୁଲଙ୍କ ସହ ବୈଠକ ଏକ ରାଜନୈତିକ ବନ୍ଧୁତାର ପ୍ରତୀକ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରି, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା, ଏଡାପାଡି କେ. ପଲାନିସ୍ୱାମୀ ଏବଂ ଏମ୍. କେ. ଷ୍ଟାଲିନ୍‌ଙ୍କ ସହ ତାଙ୍କର କାର୍ଯ୍ୟକାରୀ ସମ୍ପର୍କକୁ ମନେ ପକାଇଥିଲେ। ଏପରିକି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସହ କାମ କରୁଛନ୍ତି ବୋଲି ମୋଦୀ କହିଛନ୍ତି ।ମୋଦୀଙ୍କୁ ଦିଆଯାଇଥିବା ଏକ ଦାବିପତ୍ରରେ ମୁଖ୍ୟମନ୍ତ୍ରୀ ବିଜୟ,  ଅଟକି ରହିଥିବା ପାଣ୍ଠିର ବିନା ସର୍ତ୍ତରେ ମଞ୍ଜୁରୀ, ତିନୋଟି ଜାତୀୟ ରାଜପଥର ୬ ଲେନ୍‌ ବିଶିଷ୍ଟ ସମ୍ପ୍ରସାରଣ, ମାଡ୍ରାସ ହାଇକୋର୍ଟର ସରକାରୀ ଭାଷା ଭାବରେ ତାମିଲକୁ ମାନ୍ୟତା ଆଦି ପାଇ ଦାବି କରିଥିଲେ । କିନ୍ତୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳିନାହିଁ ।

୨୦୨୬ ବିଧାନସଭା ନିର୍ବାଚନରେ ନୂଆ ଦଳ ଟିଭିକେ ବିପୁଳ ମତ ପାଇଥିଲେ ସୁଦ୍ଧା ଏକାକୀ ସରକାର କରିବାକୁ ସକ୍ଷମ ନଥିଲା।  ତେବେ ସରକାର ଗଡ଼ିବାକୁ ଡିଏମକେ ହାତ ଛାଡ଼ି ଟିଭିକେକୁ ସମର୍ଥନ କରିଥିଲା କଂଗ୍ରେସ । ୨୦୨୯ ଲୋକସଭା ନିର୍ବାଚନରେ ଟିଭିକେ-କଂଗ୍ରେସ ଯୋଡ଼ି ହୁଏତ ନୂଆ ରେକର୍ଡ କରିପାରନ୍ତି । ହେଲେ ରାଜ୍ୟରେ ବିଶ୍ବସନୀୟତା ବଜାୟ ରଖିବାକୁ ହେଲେ ସିଏମ ବିଜୟଙ୍କୁ କେନ୍ଦ୍ରର ବିଜେପି ସରକାରଙ୍କ ସହାୟତା ମଧ୍ୟ ଜରୁରୀ । ଏଭଳି ସ୍ଥିତିରେ ମେଟ୍ରୋ ଯାତ୍ରା ଏବଂ କାଫେ ବୈଠକର ଉଦ୍ଦେଶ୍ୟ ଭିନ୍ନ ହୋଇପାରେ।  କିନ୍ତୁ ଏହା ବିଜୟଙ୍କ ରାଜନୈତିକ ସନ୍ତୁଳନ ରକ୍ଷା କରିବାର କଳାକୁ ଦର୍ଶାଉଛି । ବିଜୟ ମୁଖ୍ୟମନ୍ତ୍ରୀ ହେବା ପାଖରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା । ଆଉ ଆଗକୁ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିପାରେ ।