ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ମୁକାବିଲାରେ ପୁଣି ଭାରତର ଦବଦବା । ସିରିଜର ତୃତୀୟ ମ୍ୟାଚ୍କୁ ୧୪ ରନରେ ଜିତିଲା ଟିମ୍ ଇଣ୍ଡିଆ। ରବିବାର ଇନ୍ଦୋର ହୋଲକର କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜକୁ ୨୨୪ ରନ୍ ଟାର୍ଗେଟ୍ ଦେଇଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟ ହରାଇ ମାତ୍ର ୨୦୯ ରନ୍ ହିଁ କରିପାରିଛି। ଏହି ବିଜୟ ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୨-୧ରେ ଆଗ୍ରଣୀ ହୋଇଛି।

ଅନ୍ୟପଟେ ଭାରତୀୟ ବୋଲରମାନେ ଆଜି ଦମଦାର ପ୍ରଦର୍ଶନ କରିଥିଲେ। ସାରା ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ଉପରେ ଚାପ ବନାଇ ରଖିଥିଲେ। ଦଳ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ନମନଧୀର ଦୁଇଟି ୱିକେଟ୍ ନେଇଛନ୍ତି।

ଆଜିର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ କ୍ୟାପ୍ଟେନ୍ ଶାଇ ହୋପ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୨୨୩ ରନ୍ କରିଥିଲା। ଦଳ ପକ୍ଷରୁ ଅଭିଷେକ ଶର୍ମା ୩୦ ବଲ୍‌ରେ ସର୍ବାଧିକ ୬୯ ରନର ଇନିଂସ ଖେଳିଥିଲେ। ଇସାନ କିଶନ ମଧ୍ୟ ୩୭ ରନର ଯୋଗଦାନ ଦେଇଥିଲେ। ୨୨୪ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ମାତ୍ର ୨୦୯ ରନ୍ କରିପାରିଥିଲା।

୧.୫ ଓଭରରେ ଦଳର ପ୍ରଥମ ୱିକେଟ୍ ଯାଇଥିଲା। କ୍ୟାପ୍ଟେନ ଶାଇ ହୋପ୍(୫) ଆଉଟ ହେବା ପରେ ଦଳ ଉପରେ ଆରମ୍ଭରୁ ଚାପ ପଡିଥିଲା। ଏହାପରେ ସିମ୍ରନ ହେଟମାୟର ଓ କାମିଲ ପୁରନ ଷଷ୍ଠ ଓଭର ପର୍ଯ୍ୟନ୍ତ ଖେଳ ଜାରି ରଖି ଦଳୀୟ ସ୍କୋରକୁ ୬୭ ପର୍ଯ୍ୟନ୍ତ ନେଇଯାଇଥିଲେ। ହେଲେ ନମନ ଧୀର ହେଟମାୟରଙ୍କୁ ଆଉଟ କରି ଦଳକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ। ହେଟମାୟର ୨୬ ବଲ୍‌ରେ ୪୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଯେଉଁଥିରେ ସେ ୬ଟି ଚୌକା ଓ ଦୁଇଟି ଛକ୍କା ମାରିଥିଲେ।

ଏହାପରେ ତୃତୀୟ ୱିକେଟ୍ ପାଇଁ ଆସିଥିବା ରୋଭମନ ପଲ(୫) ଶୀଘ୍ର ଆଉଟ ହୋଇ ପାଭିଲିଅନ ଫେରିଯାଇଥିଲେ। ହେଲେ କାମିଲ ପୁରନ ବ୍ୟାଟିଂ ଜାରି ରଖିଥିଲେ। ତେବେ ଦଶମ ଓଭରେ ପୁଣି ନମନ ଧୀର ପୁରନଙ୍କୁ ଆଉଟ କରି ଭାରତର ପକ୍ଷ ମଜଭୁତ କରିବାରେ ବଡଯୋଗଦାନ ଦେଇଥିଲେ। କାମିଲ ଦଳ ପାଇଁ ୪୨ ରନ୍‌ର କରିଥିଲେ। ସେହିପରି ସେରଫେନ୍ ରଦରଫୋର୍ଡ(୩୨) ଓ ଶାମର ସ୍ପ୍ରିଙ୍ଗର ୩୪ ରନ୍‌ର ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ବି ୨୦୯ରେ ସୀମିତ ରହିଥିଲା ୱେଷ୍ଟଇଣ୍ଡିଜ୍। ଫଳରେ ଭାରତ ମ୍ୟାଚ୍‌କୁ ୧୪ ରନ୍‌ ଜିତି ନେବା ସହ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। 

ଭାରତ ପକ୍ଷରୁ ଆଜି ପଡ଼ିଆରେ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ଜଲୱା ଦେଖିବାକୁ ମିଳିଥିଲା। ସେ ଘାତ ବୋଲିଂ କରି ଇଣ୍ଡିଜ୍ ଦଳର କ୍ୟାପ୍ଟେନ ଶାଇ ହୋପ୍, ଶେରଫେନ୍ ରଦରଫୋର୍ଡ ଏବଂ କିମୋ ପଲଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ସେହିପରି ନମନ ଧୀର ତାଙ୍କ ବି ଚମତ୍କାର ବୋଲିଂ କରି କାମିଲ୍ ପୁରନ୍ ଏବଂ ଶିମରୋନ୍ ହେଟମାୟରଙ୍କ ପାର୍ଟନର୍ସିପ ଭାଙ୍ଗି ଦେଇଥିଲେ। ନୀତିଶ କୁମାର ରେଡ୍ଡୀ ଏବଂ ଅକ୍ଷର ପଟେଲ ମଧ୍ୟ ଦଳକୁ ଗୋଟିଏ ଲେଖାଏ ସଫଳତା ଦେଇଥିଲେ।