ଭୁବନେଶ୍ଵର: ଛାତ୍ର ନିର୍ବାଚନ ପାଇଁ ଚଳଚଞ୍ଜଳ କଲେଜ କ୍ୟାମ୍ପସ । ଏହାରି ଭିତରେ ବାଜିରେ ଲାଗିଛି ସବୁ ରାଜନୈତିକ ଦଳଙ୍କ ଭାଗ୍ୟ । ତେଣୁ କ୍ୟାମ୍ପସ ଲଢେଇ ପାଇଁ ବାହାରେ ରହି ରଣନୀତି କରୁଛନ୍ତି ବିଭିନ୍ନ ଦଳର ସ୍ଥାନୀୟ ନେତା । କିଏ ସାମ୍ନାକୁ ଆସୁଥିବେ ବେଳେ କିଏ ପଛରେ ରହି ଗୋଟି ଚଳାଉଛନ୍ତି।  ଏହାରି ଭିତରେ କ୍ୟାମ୍ପସ ହୋଇଛି ରାଜନୈତିକ କୁରୁକ୍ଷେତ୍ର।

କ୍ୟାମ୍ପସରେ ଛାତ୍ରଙ୍କ ଲଢେଇ । ବାହାରେ ବରିଷ୍ଠଙ୍କ ଅଙ୍କକଷା । ଲାଗୁଛି ଯେମିତି ଛାୟା ବିଧାନସଭା ନିର୍ବାଚନର ଲଢେଇ ଚାଲିଛି । ୮ ବର୍ଷ ପରେ ପୁଣି ଥରେ କଲେଜ କ୍ୟାମ୍ପସକୁ ଛାତ୍ର ନିର୍ବାଚନ ଫେରିଛି। ହେଲେ ଏଥର ନିର୍ବାଚନର ଅନ୍ଦାଜ ଭିନ୍ନ । ନିର୍ବାଚନ କଲେଜର ଛାତ୍ର ଛାତ୍ରୀ ଲଢୁଛନ୍ତି ସତ । ହେଲେ ସ୍ଥାନୀୟ ବରିଷ୍ଠ ନେତାଙ୍କ ପତିଆରା ବାଜିରେ ଲାଗିଲା ପରି ଅନୁମାନ ହେଉଛି । କିଏ ସାମ୍ନାକୁ ଆସି ଲଢେଇ କରୁଥିବା ବେଳେ କିଏ ପଛରେ ରହି କରୁଛନ୍ତି ଗୋଟି ଚାଳନା।

Also Read: ‘ଆମର ସନ୍ଦେହ ସତ ହୋଇଛି, ବିଜେଡି ପ୍ରାର୍ଥୀଙ୍କ ନାଁ କାଟିବାକୁ ଅଧ୍ୟକ୍ଷ ଓ କୁଳପତିଙ୍କୁ ନିର୍ଦ୍ଦେଶ ଯାଇଛି’

୧- ନୟାଗଡର ବିଭିନ୍ନ କଲେଜରେ ଛାତ୍ର ନିର୍ବାଚନରେ ଅନିୟମିତାକୁ ନେଇ ପୋଲିସକୁ କଡା ତାଗିଦ କରିଛନ୍ତି ବିଧାୟକ ଅରୁଣ ସାହୁ। ଏମିତି କି ଛାତ୍ର ଛାତ୍ରୀଙ୍କ ସହ ଧାରଣରେ ମଧ୍ୟ ନିଜେ ବସିଛନ୍ତି । ଅରୁଣ କହୁଛନ୍ତି ମହିଳା କଲେଜରେ ପୁରୁଷ କାହିଁକି ଏଣ୍ଟ୍ରି କଲେ ସେଥିପାଇଁ ସେ ଧାରଣ ଦେଉଛନ୍ତି। କିନ୍ତୁ କଲେଜ ଇଲେକ୍ସନକୁ ନେଇ ଅରୁଣ ଯେ ବିବ୍ରତ ତାହା ବି ଚର୍ଚ୍ଚା ହେଉଛି।

 ୨- ଏଠିବି ସମାନ ଘଟଣା। ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜରେ ନାମାଙ୍କନ ଦାଖଲରେ ଅନିୟମିତତା ଅଭିଯୋଗ କରି ରେଙ୍ଗାଳି ବିଧାୟକ ସୁଦର୍ଶନ ହରିପାଲ ଓ ପୂର୍ବତନ ବିଧାୟକ ରୋହିତ ପୂଜାରୀ ଧାରଣା ଦେଇଥିଲେ।

୩- ସେହିପରି ଯାଜପୁର ଯୁଣଭଦ୍ରା ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ୮ ଜଣ ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହେଲା ପରେ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । 

୪- ସେହିପରି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିନା ପ୍ରତିଦ୍ୱନ୍ଦିତାରେ ସଭାପତି ଭାବେ ଜିତିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ବିଧାୟକ ସରୋଜ ପ୍ରଧାନ।

ଏ ହାତି ଗଣିତି କିଛି ଉଦାହରଣ ନୁହେଁ ସାରା ରାଜ୍ୟର ଚିତ୍ର ଏମିତି ରହିଛି । ସବୁ ସ୍ଥାନରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭିତିରିଆ ଜିତେଇବାକୁ ମାଷ୍ଟର ପ୍ଲାନ ସହ ଜୟ ବିଜୟର ହିସାବ ନିକାଶ କରୁଛନ୍ତି ସ୍ଥାନୀୟ ବିଧାୟକ କିମ୍ବା ତାଙ୍କ ପ୍ରତିନିଧିମାନେ ।

Also Read: ବିରୋଧୀଙ୍କୁ ମନମୋହନଙ୍କ କଟାକ୍ଷ, ଭୋଟ ଚୋରି ହେଉଥିଲେ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ଜିତିଲେ କେମିତି ?

ସବୁ ଦଳ ପାଇଁ ଛାତ୍ର ନିର୍ବାଚନ ସାମ୍ମାନର ପ୍ରଶ୍ନ ହୋଇଥିବା ବେଳେ ସରକାରୀ ଦଳ କଳ ବଳ ପ୍ରୟୋଗ କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧି । ଯାହାର ଜବାବ ଦେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ବିଜେଡି କ୍ଷମତାରେ ଥିବା ବେଳେ ଦଳର ନେତା ମନ୍ତ୍ରୀ କଲେଜରେ ଅଧିଆ ପଡୁଥିଲେ, ସେମାନେ ନୈତିକ ସାହସ ନାହିଁ। ୮ ବର୍ଷ ପରେ କଲେଜରେ ନିର୍ବାଚନ ହେଉଥିବାରୁ ଅନେକ ସ୍ଥାନରେ ହିଂସା ଦେଖାଦେଲାଣି ଆଉ କିଛି ସ୍ଥାନରେ ରାଜନୈତିକ ଦଳଗୁଡ଼ିକର ହସ୍ତକ୍ଷେପ ମଧ୍ୟ ଦିଶିଲାଣି। ଏହା କ୍ୟାମ୍ପସ ପରିବେଶକୁ କଳୁଷିତ କରିବନି ତ?