ଭୁବନେଶ୍ଵର: ରାଜଧାନୀରେ ମନ ଲାଗୁନି ଏବେ ଗାଁ ମୁହାଁ ନେତା | ରାଜଧାନୀର ବଡ଼ ବଡ଼ କ୍ୟାମ୍ପସରେ ନିର୍ବାଚନୀ ଉଷ୍ଣତା ଥିବା ସତ୍ୱେ ନେତାମାନଙ୍କର ମନ ଆଉ ରାଜଧାନୀରେ ନୁହେଁ, ଗାଁ ରେ | ରାଜଧାନୀ ଛାଡି ଡେରା ପକାଇଛନ୍ତି ନିଜ ନିଜ ଗଡ଼ରେ | ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କଲେଜ ନିର୍ବାଚନର ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଲାଗିପଡିଛନ୍ତି ବିଧାୟକ, ମନ୍ତ୍ରୀ, ସାଂସଦ | ଓଡ଼ିଶାରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ରାଜନେତାମାନେ ଏହାକୁ ନେଇ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି |

କ୍ୟାମ୍ପସ ରାଜନୀତିକୁ ରାଜନୈତିକ ବ୍ୟକ୍ତିତ୍ବ, ନିଜର ଭବିଷ୍ୟତ ଭୋଟ୍ ବ୍ୟାଙ୍କ ଏବଂ ସଂଗଠନ ସୁଦୃଢ଼ କରିବାର ମୂଳଦୁଆ ଭାବେ ନଜର କରି ଏହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି | ଦଳୀୟ ଚିହ୍ନରେ ନିର୍ବାଚନ ହେଉ ନଥିଲେ ମଧ୍ୟ, ବିଭିନ୍ନ ପ୍ରମୁଖ ଛାତ୍ର ସଂଗଠନ ପଛରେ ମୂଳ ରାଜନୈତିକ ଦଳଗୁଡ଼ିକର ନେତାମାନେ ପରୋକ୍ଷରେ ରହି ପ୍ରଚାର, ରଣନୀତି ଏବଂ ଆର୍ଥିକ ସହାୟତା ଯୋଗାଇ ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ଲାଗି ପଡିଛନ୍ତି।

Also Read: କ୍ୟାମ୍ପସରେ ଛାତ୍ରଙ୍କ ଲଢେଇ, ବାହାରେ ବରିଷ୍ଠଙ୍କ ଅଙ୍କକଷା; ବାଜିରେ ଲାଗିଲା ଦଳର ସମ୍ମାନ

ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ଯୁବ ପିଢ଼ି ବା 'ଜେନ୍ ଜି'ଙ୍କ ମୁଡ଼ ମାପୁଛନ୍ତି ନେତା | ଓଡିଶାରେ ଜେନ ଜିଙ୍କ ମୁଡ଼ ସୁଇଙ୍ଗ କେଉଁ ଆଡକୁ ଯିବ ? ସେମାନେ କେଉଁ ବିଚାରଧାରାରେ ଅନୁପ୍ରାଣିତ ହେବେ ? କେଉଁ ରାଜନୈତିକ ଦଳକୁ ସମର୍ଥନ କରିବେ ? ତାହା ଏହି ଛାତ୍ର ସଂସଦ ନିର୍ବାଚନ ନିର୍ଣ୍ଣୟ କରିବ | ଏହା କେବଳ କ୍ୟାମ୍ପସ ରାଜନୀତିରେ ସୀମିତ ନୁହେଁ, ବରଂ ଆଗାମୀ ପୌର ପଂଚାୟତ ନିର୍ବାଚନରେ ଯୁବ ଭୋଟରଙ୍କ ଆଭିମୁଖ୍ୟ କିଭଳି ରହିବ, ତାହାର ଏକ ପ୍ରାରମ୍ଭିକ ଆଭାସ ଦେବ |

ତେଣୁ ବିଜେପି, ବିଜେଡି ଏବଂ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳର ଯୁବ ଓ ଛାତ୍ର ସଂଗଠନଗୁଡ଼ିକ କ୍ୟାମ୍ପସରେ ନିଜର ଦବଦବା ଜାହିର କରିବା ପାଇଁ ପୂରା ଦମରେ ପ୍ରୟାସ ଚଳାଇଛନ୍ତି | ଛାତ୍ର ସଂସଦ ନିର୍ବାଚନ ନ ସରୁଣୁ ଜେନ ଜି କାହାର ତାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି | ସବୁ ରାଜନୈତିକ ଦଳ ଜେନ ଜି ତାଙ୍କ ସପକ୍ଷରେ ଥିବା ଦାବି କରିଛନ୍ତି କିନ୍ତୁ ପଂଚାୟତ ଉପରେ ଏହାର ପ୍ରଭାବକୁ ଅସ୍ବୀକାର କରିଛନ୍ତି।

Also Read: ‘ଆମର ସନ୍ଦେହ ସତ ହୋଇଛି, ବିଜେଡି ପ୍ରାର୍ଥୀଙ୍କ ନାଁ କାଟିବାକୁ ଅଧ୍ୟକ୍ଷ ଓ କୁଳପତିଙ୍କୁ ନିର୍ଦ୍ଦେଶ ଯାଇଛି’

ଛାତ୍ର ସଂସଦ ନିର୍ବାଚନ କେବଳ କ୍ୟାମ୍ପସ ମଧ୍ୟରେ ସୀମିତ ନରହି ଆଗାମୀ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ପ୍ରସ୍ତୁତ କରିବାର ମୂଳଦୁଆ ହେବ | ଏପଟେ କିନ୍ତୁ ଜେନ ଜି କୁ ନେଇ ସବୁ ରାଜନୈତିକ ଦଳ ଭିତରେ ଟଣା ଓଟରା ଚଳାଇଥିବାବେଳେ ଛାତ୍ର ସଂସଦ ନିର୍ବାଚନ ହେବ ନେତାଙ୍କ ପାଇଁ ଏସିଡ ଟେଷ୍ଟ।