ଇନ୍ଦୋର: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଓପନର ଅଭିଷେକ ଶର୍ମା ବଡ଼ ରେକର୍ଡ କରିଛନ୍ତି । ଇତିହାସ ରଚିଛନ୍ତି ଯୁବ ଭାରତୀୟ ଓପନର । ବିସ୍ଫୋରକ ବ୍ୟାଟିଂ କରି ଟି-୨୦ ଟିମ୍‌ର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପଛରେ ପକାଇ ଦେଇଛନ୍ତି ଅଭିଷେକ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ସଞ୍ଜୁ ସାମସନ ଫେଲ୍‌ ମାରିଥିଲେ ବି ଅଭିଷେକ ଶର୍ମା ଦ୍ରୁତ ଅର୍ଦ୍ଧଶତକ କରି ପୁଣି ଥରେ ପ୍ରଶଂସକଙ୍କୁ ଖୁସି କରାଇ ଦେଇଛନ୍ତି । 

ଅଭିଷେକ ନିଜର ଦମଦାର ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ଜୋରଦାର ପ୍ରହାର କରିଛନ୍ତି । ମ୍ୟାଚ ଆରମ୍ଭରେ ସଞ୍ଜୁ ସାମସନ ଶୀଘ୍ର ଆଉଟ୍ ହୋଇଯିବା ପରେ ଅଭିଷେକ ପାଳିର ଦାୟିତ୍ୱ ନିଜ ହାତକୁ ନେଇଥିଲେ । ମାତ୍ର ୧୮ଟି ବଲ୍‌ରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଧୂଆଁଧାର ପ୍ରଦର୍ଶନ ସହିତ ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠାରୁ କମ୍ ବଲ୍ ଖେଳି ୨୦୦୦ ରନ୍ ପୂରଣ କରିଛନ୍ତି ।

ଅଭିଷେକ ଶର୍ମା ଭାରତର ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କର ପୁରୁଣା ରେକର୍ଡ ବ୍ରେକ୍‌ କରିଛନ୍ତି । ସୂର୍ଯ୍ୟକୁମାର ୧୧୬୪ଟି ବଲ୍ ଖେଳି ୨୦୦୦ ରନ୍ ପୂର୍ଣ୍ଣ କରିଥିଲେ । ଅଭିଷେକ ମାତ୍ର ୧୦୨୪ଟି ବଲ୍‌ରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ଅଛନ୍ତି । ସେ ୧୨୮୩ଟି ବଲ୍‌ରେ ୨୦୦୦ ରନ୍ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପାଖରୁ ଅଭିଷେକ ନିଜର ବିସ୍ଫୋରକ ବ୍ୟାଟିଂ ଶୈଳୀ ପାଇଁ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୬୫ଟି ମ୍ୟାଚ୍ ଖେଳି ସେ ୧୪ଟି ଅର୍ଦ୍ଧଶତକ ଏବଂ ୩ଟି ଶତକ ହାସଲ କରିସାରିଛନ୍ତି।

ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ମାତ୍ର ୩୦ଟି ବଲରୁ ୬୯ ରନ କରି ଆଉଟ୍ ହୋଇଥିଲେ। ଏହି ସମୟରେ ସେ ୬ଟି ଚୌକା ଏବଂ ୫ଟି  ଛକା ସାମିଲ ।  ତାଙ୍କର ଏହି ପ୍ରଦର୍ଶନ ବଳରେ ଭାରତୀୟ ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚିଥିଲା।