ବମ୍ବେ-; କିପରି ଥିଲା ବଲିଉଡ୍ର ଲୋକପ୍ରିୟ ଦମ୍ପତି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ପ୍ରେମ କାହାଣୀ ? ଆଜି ବି ଅନେକ ଲୋକ ଏ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ପାଞ୍ଚ ଦଶନ୍ଧିରୁ ଅଧିକ ସମୟର ଏହି ସମ୍ପର୍କରେ ରହିଛି ଅନେକ ରୋଚକ କଥା l ପ୍ରେମ, ଅଭିମାନ, ଝଗଡ଼ା ଆଉ ପରସ୍ପର ପ୍ରତି ଗଭୀର ଭଲପାଇବାକୁ ପାଥେୟ କରି ଅମିତାଭ ଓ ଜୟା ଆଜି ବୟସର ଅପରାହ୍ନରେ ପାଦ ଥାପିଛନ୍ତି । ହେଲେ ଜାଣନ୍ତି କି, ଦିନେ ଅମିତାଭଙ୍କୁ ଦେଖି ଜୟା ଭାବିଥିଲେ, ‘ଏ କି ଅଜବ ମଣିଷ!’

ଜୟା ଯେତେବେଳେ ପୁନେର ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ରେ ପାଠ ପଢୁଥିଲେ ସେ ସମୟରେ ପ୍ରଥମେ ଅମିତାଭଙ୍କୁ ଦେଖିଥିଲେ। ପରେ ଫିଲ୍ମ ‘ଗୁଡ୍ଡି’ର ସୁଟିଂ ସମୟରେ ଦୁହିଁଙ୍କର ପୁଣି ଦେଖା ହୋଇଥିଲା। ସେତେବେଳେ ଅମିତାଭ ଜୟାଙ୍କୁ ଏଭଳି ଚାହିଁଥିଲେ ଯାହା ଜୟାଙ୍କୁ ଅସହଜ କରିଦେଇଥିଲା। ହେଲେ ପରେ ସେ ବୁଝିଥିଲେ ଯେ ଅମିତାଭ ଜାଣିଶୁଣି ଏମିତି କରୁନଥିଲେ। ଅମିତାଭଙ୍କୁ ଦେଖି ଜୟାଙ୍କ ମନରେ ଭୟ ଆସିଯାଇଥିଲା l

ଏକ ସାକ୍ଷାତକାରରେ ଜୟା କହିଥିଲେ ଯେତେବେଳେ ସେ ଅମିତାଭଙ୍କୁ ପ୍ରଥମେ ଦେଖିଥିଲେ ତାଙ୍କ ମନରେ ଏକ ଅଜଣା ଭୟ ଆସିଥିଲା। ଅନେକ ଲୋକଙ୍କ ମଧ୍ୟରେ ଅମିତାଭ ହିଁ ଏମିତି ଜଣେ ମଣିଷ ଥିଲେ, ଯାହାଙ୍କ କଥାକୁ ଜୟା ସହଜରେ ମାନି ନେଉଥିଲେ। କାହିଁକି କେଜାଣି ଜୟାଙ୍କ ଭାରି ଇଛା ହେଉଥିଲା ସେ ଅମିତାଭଙ୍କୁ ଖୁସିରେ ଦେଖିବାକୁ । ସେ ଏଭଳି ସ୍ୱଭାବର ସାଧାରଣତଃ ନଥିଲେ ବୋଲି ଜୟା ସ୍ୱୀକାର ମଧ୍ୟ କରିଛନ୍ତି ।

ସମୟ ସହିତ ଧୀରେ ଧୀରେ ଦୁହେଁ ନିକଟତର ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ଭଲପାଇବା ଥିଲା ସତ କିନ୍ତୁ କେହି କାହାକୁ ସିଧାସଳଖ ପ୍ରେମ ନିବେଦନ କରିନଥିଲେ। ଅମିତାଭ ଥିଲେ ଶାନ୍ତ ଓ ଲାଜକୁଳା ସ୍ୱଭାବର। ତେଣୁ ତାଙ୍କ ମନରେ କ’ଣ ଥିଲା, ତାହା ଜାଣିବା ଜୟାଙ୍କ ପାଇଁ ସହଜ ନଥିଲା।

ଜୟାଙ୍କୁ ଅମିତାଭ କେତେ ଭଲପାଉଥିଲେ ତାହାର ଏକ ସୁନ୍ଦର ଉଦାହରଣ ରହିଛି । ଜୟାଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେବା ପାଇଁ ଅମିତାଭ ମୁମ୍ବାଇରୁ ପୁଣେ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ଗାଡ଼ି ଚଳାଇ ଯାଇଥିଲେ। ଏହି ଘଟଣା ଜୟାଙ୍କୁ ଖୁବ୍ ଭାବବିହ୍ୱଳ କରିଦେଇଥିଲା। ଅମିତାଭ ଜୟାଙ୍କୁ କାଞ୍ଜିବରମ୍ ଶାଢ଼ି ଉପହାର ଦେଇଥିଲେ । ଅମିତାଭ ଭାବୁଥିଲେ ଜୟାଙ୍କୁ ଏହି ଶାଢ଼ୀ ଭଲ ମାନିବ । ପରେ ‘ଅଭିମାନ’ ଫିଲ୍ମରେ ଜୟା ଅମିତାଭ ଦେଇଥିବା ଶାଢ଼ୀ ପିନ୍ଧିଥିଲେ।

୧୯୭୨ରେ ଯେତେବେଳେ ଉଭୟ ମିଶି ‘ଏକ ନଜର’ ସିନେମାରେ କାମକରୁଥିଲେ ସେତେବେଳେ ଦୁହିଁଙ୍କ ସମ୍ପର୍କ ଆହୁରି ଗଭୀର ହୋଇଥିଲା। ଏହି ସମୟରେ ପୁଣେରେ ଦୁହିଁଙ୍କ ମଧ୍ୟରେ ଏକ ବଡ଼ ଝଗଡ଼ା ମଧ୍ୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର ହେବେ ପରେ ଜୟା ବୁଝିପାରିଥିଲେ ତାଙ୍କ ସମ୍ପର୍କର ଗଭୀରତା । ଅମିତାଭ ପ୍ରେମ ପ୍ରସ୍ତାବ ଦେଇନଥିଲେ ମଧ୍ୟ ଦୁହେଁ ଜାଣିଥିଲେ ଯେ ସେମାନେ ପରସ୍ପର ପାଇଁ ଖାସ୍।

୧୯୭୩ରେ ଫିଲ୍ମ ‘ଜଞ୍ଜୀର’ ଅମିତାଭଙ୍କ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆଣିଥିଲା। ଜୟା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଥିଲେ। ଅମିତାଭଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିବ ବୋଲି ଭାବି ଜୟା ଏହି ଫିଲ୍ମ ପାଇଁ ରାଜି ହୋଇଥିଲେ। ଫିଲ୍ମ ସଫଳ ହେବା ପରେ ଦୁହେଁ ମିଶି ଲଣ୍ଡନ ଯିବାକୁ ଯୋଜନା କରିଥିଲେ। କିନ୍ତୁ ପରିବାର ଲୋକ ଚାହୁଁଥିଲେ ଯେ ବିବାହ ପରେ ହିଁ ସେମାନେ ବିଦେଶ ଯାଆନ୍ତୁ। ଶେଷରେ ୧୯୭୩ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପୂର୍ବରୁ ଅମିତାଭ ଜୟାଙ୍କୁ ଏକ ଗୁରୁତ୍ୱପୁର୍ଣ କଥା କହିଥିଲେ ,ସେ କହିଥିଲେ ଯେ ସେ ଚାହନ୍ତିନି ତାଙ୍କ ସ୍ତ୍ରୀ ସକାଳ ୫ ରୁ ରାତି ୧୦ ପର୍ଯ୍ୟନ୍ତ କାମ କରୁ ବୋଲି । ଜୟା ନିଜ ପସନ୍ଦର କାମ କରନ୍ତୁ, କିନ୍ତୁ ଭଲ କାମ କରନ୍ତୁ ବୋଲି ସେ ଚାହୁଁଥିଲେ। ଜୟା ମଧ୍ୟ ଏହି କଥାରେ ରାଜି ହୋଇଥିଲେ।

also read-ରେଖା-ଜୟା ନୁହେଁ, ଏହି ମିଷ୍ଟ୍ରି ଗର୍ଲଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅମିତାଭ, ବ୍ରେକଅପ ପରେ ଛାଡିଥିଲେ କୋଲକତା

ଅମିତାଭ ଓ ଜୟାଙ୍କ ବୈବାହିକ ଜୀବନରେ ଅନେକ ଉତ୍ଥାନ-ପତନ ଆସିଛି। ହେଲେ ସମୟ ସହ ଦୁହିଁଙ୍କ ସମ୍ପର୍କ ଆହୁରି ପରିପକ୍ୱ ହୋଇଛି। ଜୟା ଏକଦା କହିଥିଲେ ଯେ ସମ୍ପର୍କରେ କେତେବେଳେ କଥା କହିବା ଉଚିତ ଓ କେତେବେଳେ ଚୁପ୍ ରହିବା ଉଚିତ, ତାହା ସେ ଭଲ ଭାବେ ଜାଣନ୍ତି।

ଦୁହିଁଙ୍କର ଦୁଇ ସନ୍ତାନ ଶ୍ୱେତା ବଚ୍ଚନ ନନ୍ଦା ଓ ଅଭିଷେକ ବଚ୍ଚନ। ଆଜି ଅମିତାଭ ଓ ଜୟାଙ୍କ ପ୍ରେମ କାହାଣୀ ଅନେକ ପ୍ରେମୀ ଯୁଗଳ ପାଇଁ ଉଦାହରଣ l ଆଜିକାଲି ଅନେକେ ଯୁବକ ଯୁବତୀ ଭଲ ପାଇ ବିବାହ ବିବାହ କରୁଛନ୍ତି କିନ୍ତୁ ବୈବାହିକ ଜୀବନ ଅଧିକ ଦିନ ପର୍ଯ୍ୟନ୍ତ ଟିକି ପାରୁନି l ଏଭଳି ଗୋଟିଏ ସମୟରେ ଅମିତାଭ ବଚନ ଓ ଜୟା ବଚନଙ୍କ କାହାଣୀ ନୂଆ ପିଢ଼ି ପାଈଁ ଏକ ଅମୁଲ୍ୟ ଶିକ୍ଷା l