କୋଲକାତା, ୦୬/୦୫: ପଶ୍ଚିମବଙ୍ଗରେ ମାଟି କାମୁଡିଛି ତୃଣମୂଳ କଂଗ୍ରେସ । ସରକାରରୁ ହଟିଛି । ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟର ସାମ୍ନା କରିଛି ଦଳ । ଏଠାରେ ମମତା ବାନାର୍ଜୀଙ୍କ ଗଡକୁ ଚୁରମାର କରିଦେଇଛି ବିଜେପି । ହାରିଛନ୍ତି ମମତା । ତାଙ୍କ ଟିମ୍ ର ଅନେକ ହେଭିଓ୍ୱେଟ୍ ମାତ୍ ଖାଇଛନ୍ତି ।

Also Read :- ୯ ଜିଲ୍ଲାରେ TMC ସଫା : ଗୋଟିଏ ବି ସିଟ୍ ଜିତିପାରିଲାନି ମମତା ବାନାର୍ଜୀଙ୍କ ଦଳ

ଚଳିତ ନିର୍ବାଚନରେ ମମତା ସମେତ ହାରିଛନ୍ତି ୨୨ ମନ୍ତ୍ରୀ । ପଶ୍ଚିମବଙ୍ଗରେ ବିଜେପି ୨୦୬ ସିଟ୍ ଜିତି ପ୍ରାୟ ୭୦% ଷ୍ଟ୍ରାଇକ୍ ରେଟ୍ ହାସଲ କରିଛି। ଟିଏମସି ୮୧ ସିଟରେ ସୀମିତ ହେବା ଯୋଗୁ ଏହାର ଷ୍ଟ୍ରାଇକ୍ ରେଟ୍ ୨୭.୬%କୁ ଖସିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ୩୫ ମନ୍ତ୍ରୀଙ୍କ ମଧ୍ୟରୁ ୨୨ ଜଣ ବିଧାନସଭା ନିର୍ବାଚନ ହାରିଛନ୍ତି। ।

ମମତାଙ୍କ ପାଖରେ ଗୃହ ବିଭାଗ ସମେତ ୭ ଗୁରୁତ୍ଵପୂର୍ଣ୍ଣ ବିଭାଗ ରହିଥିଲା। ଅନ୍ୟପକ୍ଷରେ ୧୯୭୨ ମସିହା ପରଠାରୁ ପ୍ରଥମ ଥର ପଶ୍ଚିମବଙ୍ଗ ଏବଂ କେନ୍ଦ୍ରରେ ଗୋଟିଏ ଦଳର ସରକାର ହେବାକୁ ଯାଉଛି। ୧୯୭୨ରେ ଏହି ରାଜ୍ୟରେ କଂଗ୍ରେସ ୨୧୬ ସିଟ୍ ଜିତିଥିଲା ଏବଂ ସେତେବେଳେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ସରକାର ଥିଲା। ବିଜେପି ସରକାର ଗଠନ କରିବା ପରେ ବାଂଲାଦେଶ ସୀମା, ଅନୁପ୍ରବେଶ, ପ୍ରଶାସନିକ ନିୟନ୍ତ୍ରଣ ଭଳି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିପାରେ।

୯ ଜିଲ୍ଲାରେ ଟିଏମସି ସଫା

ପଶ୍ଚିମବଙ୍ଗର ୨୩ ଜିଲ୍ଲାରୁ ୯ ଜିଲ୍ଲାରେ ବିଜେପି ଟିଏମସି କୁ ପୂରା ସଫା କରିଦେଇଛି। ଏହି ଜିଲ୍ଲାଗୁଡ଼ିକରେ ଥିବା ଆସନରୁ ଗୋଟିଏରେ ବି ଟିଏମସି ଜିତିପାରିନାହିଁ। ଏହି ସମସ୍ତ ଆସନକୁ ବିଜେପି ଦଖଲ କରିଛି। ନିର୍ବାଚନ ପ୍ରଚାର ବେଳେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଟିଏମସି ଅନେକ ଜିଲ୍ଲାରେ ଖାତା ଖୋଲି ପାରିବନି ଏବଂ ଏହା ଏବେ ସତ ହୋଇଛି।