କଟକ ୨।୧୦: ପାଖେଇ ଆସୁଛି ଦୁର୍ଗା ପୂଜା । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବିଭିନ୍ନ ସ୍ଥାନରେ ମୂର୍ତ୍ତି ସାଙ୍ଗକୁ ନିର୍ମାଣ ଚାଲିଛି ତୋରଣ । କିନ୍ତୁ ସଞ୍ଜ ନଇଁରେ ସିଲଭର ସିଟିରେ ରାଜୁତି କରୁଛି ଅନ୍ଧକାର । ସହରର ଅନେକ ଅଞ୍ଚଳରେ ଜଳୁନି ଷ୍ଟ୍ରିଟ୍ ଲାଇଟ୍ । କେଉଁଠି ବଲ୍ବ ଫ୍ୟୁଜ୍ ତ କେଉଁଠି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି ।

କଟକ ସହରରେ ୫୭ ହଜାର ଲାଇଟ୍ ପୋଷ୍ଟ ରହିଛି । ସେଥିରୁ ୧୨ ହଜାର ଲାଇଟ୍ ପୋଷ୍ଟରେ ବଲ୍ବ ଫ୍ୟୁଜ୍ ହୋଇଯାଇଛି । ମାତ୍ର ୩୧ ହଜାର ଲାଇଟ୍ ପୋଷ୍ଟ କାମ କରୁଛି । ଅନ୍ଧକାର ପାଇଁ ଅନେକ ସମୟରେ ଅପରାଧ ଘଟୁଛି । ଦୁର୍ଘଟଣା ବି ଘଟୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ମରାମତି ପାଇଁ କଟକ ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ଦେଇଛି ଭଏସ୍ ଅଫ୍ କଟକ ସଂଗଠନ । ସେହିପରି ଓଡ଼ିଶା ଜନତା କଂଗ୍ରେସ ମଧ୍ୟ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ।

Also Read:- ଶୌଚ ହେବାକୁ ଯାଇ ଭାସିଯାଇଥିଲେ, ଦୁଇ ଦିନ ଧରି ଖୋଜାଖୋଜି ପରେ ଭାସିଲା ମୃତଦେହ

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କଟକ ମହାନଗର ନିଗମ କମିଶନର କହିଛନ୍ତି କି ଲାଇଟ୍ ଟେଣ୍ଡର ନେଇଥିବା କମ୍ପାନୀର ଅବଧି ସରିଯାଇଛି । ଖୁବ୍ ଶୀଘ୍ର ଅର୍ଥାତ୍ ଦୁର୍ଗାପୂଜା ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବ । ଦୁର୍ଗାପୂଜା ପୂର୍ବରୁ ରାସ୍ତାଘାଟ ସମସ୍ୟାର ସମାଧାନ ସହ ଷ୍ଟ୍ରିଟ୍ ଲାଇଟ୍ ମରାମତି କେଏମସି ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।