ନୂଆଦିଲ୍ଲୀ, ୨/୧୧ : ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଏଥିରେ ୯ ଜଣ ପ୍ରାଣ ହରାଇଛନ୍ତି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜନବସତିରେ ଖସି ପଡିଥିଲା । ପାମ୍ ବିଚ୍ ନିକଟରେ ଏହା ପଡିବା ପରେ ବିସ୍ଫୋରଣ ହୋଇଥିଲା । ଯାହାର ଭିଜୁଆଲ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ୍ ଆଗୁଆ ସୂଚନା ଦେଇଥିଲେ । ଯାହାର ଅଡିଓ ମଧ୍ୟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ହସ୍ତଗତ ହୋଇଥିଲା ।

ଏବେ ବିମାନ ଦୁର୍ଘଟଣା ବେଳର ଏକ ଅଡିଓ ଭାଇରାଲ ହେଉଛି । ଏଥିରେ ପାଇଲଟଙ୍କ ସ୍ୱର ଶୁଣିବାକୁ ମିଳୁଛି । ପାଇଲଟ୍ ଜଣଙ୍କ ମେ ଡେ କହୁଛନ୍ତି । ଏହା ସାଧାରଣତଃ ଅତି ଜରୁରୀ ସମୟରେ ପାଇଲଟ୍ ମାନେ କହିଥାନ୍ତି । ଅର୍ଥାତ ଯଦି ବିମାନଟି ଦୁର୍ଘଟଣାଗ୍ରସ୍ତ ହୁଏ କିମ୍ବା କିଛି ବଡ଼ ଧରଣର ଅଘଟଣ ଘଟେ, ତାହାର କିଛି ସେକେଣ୍ଡ ପୂର୍ବରୁ ପାଇଲଟ୍ ସବୁ ଜାଣିପାରନ୍ତି । ତେଣୁ ସାହାଯ୍ୟ ପାଇଁ ମେ ଡେ କହିଥାନ୍ତି । ଫ୍ଲୋରିଡା ବିମାନ କ୍ରାଶ୍ ସମୟରେ ମଧ୍ୟ ପାଇଲଟ୍ ମେ ଡେ କହୁଛନ୍ତି ।

ଭାଇରାଲ ଅଡିଓରେ ଶୁଣିବାକୁ ମିଳିଛି ଯେ, ପାଇଲଟ୍ ଜଣଙ୍କ କହୁଛନ୍ତି ଆମେ ୨୦ ହଜାର ଫୁଟ୍ ଉପରେ ରହିଛୁ । ଏବେ ଉଚ୍ଚତା ୮ ହଜାର ଫୁଟକୁ ଖସି ଆସିଛି । ମିନିଟ୍ ପିଛା ସେମାନେ ୧୦ ହଜାର ଫୁଟ୍ ତଳକୁ ଖସୁଛନ୍ତି । ଏପରିକି ବିମାନଟି ଓଭର୍ ସ୍ପିଡ୍ କଣ୍ଡିଶନରେ ଥିବା ସେ ଏଟିସିଙ୍କୁ କହୁଛନ୍ତି । ଖାଲି ଏତିକି ନୁହେଁ ବିମାନଟି କ୍ରାଶ୍ ମଧ୍ୟ ହୋଇଯିବ ବୋଲି ପାଇଲଟ୍ କହୁଥିବା ଦେଖିବାକୁ ମିଳିଛି ।

Also Read :- ଭୟଙ୍କର ବିମାନ ଦୁର୍ଘଟଣା : ମଝି ଆକାଶରୁ ଖସି ପଡ଼ିଲା, ୯ ମୃତ

ସୂଚନାଯୋଗ୍ୟ, ବିମାନଟି ଫ୍ଲୋରିଡାର କ୍ରେସଥାଭନ ନିକଟରେ ରାତି ପ୍ରାୟ ୧୨ଟା ୫୦ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ୪୧ ହଜାର ଫୁଟ୍ ଉପରେ ଉଡୁଥିବା ବେଳେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା । ଯାହା ପରେ ଏହା ତଳକୁ ଖସି ଆସିଥିଲା । ଏପରିକି ଜନବସତିରେ ପଡି ଯାଇଥିଲା । ପଡିବା ପରେ ଭୟଙ୍କର ବିସ୍ଫୋରଣ ହେବା ସହ ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା ।