ଚଣ୍ଡିଗଡ଼: ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏ ନେଇ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏସବୁ ମଧ୍ୟରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା। ଦୁଇ ବିଧାୟକ ହରମୀତ ସିଂ ପଠାନ ମାଜରା ଓ ପୂର୍ବତନ ମନ୍ତ୍ରୀ ଚେତନ ସିଂ ଜୌରାମଜରା ଦଳରୁ ଇସ୍ତଫା ଦେଇଛନ୍ତି। ଆଗାମୀ ନିର୍ବାଚନ ପାଇଁ ଆପ୍ ପକ୍ଷରୁ ଜାରି ପ୍ରଥମ ପ୍ରାର୍ଥୀ ତାଲିକାରେ ଉଭୟଙ୍କ ନାଁ ନ ଥିବାରୁ ଦୁଇ ନେତା ଅସନ୍ତୁଷ୍ଟ ଥିଲେ। ଉଲ୍ଲେଖନୀୟ ଶନିବାର ଆପ୍ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୪୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଥିଲା।

ଦୁଇ ବିଧାୟକଙ୍କ ଇସ୍ତଫା ପରେ ଅନୁମାନ କରାଯାଉଛି ଯେ, ଉଭୟ ଆଜି ଚଣ୍ଡିଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନସଭାରେ ବିଜେପିରେ ସାମିଲ୍ ହୋଇ ପାରନ୍ତି। ନିଜ ଇସ୍ତଫାର ସୂଚନା ଦେଇ ଚେତନ ସିଂ ଜୌରାମଜରା ଫେସବୁକ ପୋଷ୍ଟରେ ଲେଖିଛନ୍ତି, ମୁଁ ଚେତନ ସିଂ ଜୌରାମଜରା ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ସେହିପରି ସନୌରରୁ ବିଧାୟକ ହରମୀତ ସିଂ ପଠାନମାଜରା ଲେଖିଛନ୍ତି, ମୁଁ ଆମ ଆଦମୀ ପାର୍ଟିର ପ୍ରାଥମିକତା ସଦସ୍ୟତାରୁ ତତ୍କାଳ ପ୍ରଭାବରୁ ଇସ୍ତଫା ଦେଉଛି।

Also Read: INDIAର ମହାରାଲିଠୁ ଦୂରେଇ ରହିଲା CJP, ଦୀପକେ କହିଲେ- ଆମେ...

କ୍ୟାବିନେଟ୍ ମନ୍ତ୍ରୀ ଥିଲେ ଜୌରାମାଜରା

ଚେତନ ସିଂ ଜୌରାମାଜରା ପଞ୍ଜାବ ସରକାରରେ ମନ୍ତ୍ରୀ ରହି ସାରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। କିଛି ଦିନ ପୂର୍ବେ ପାର୍ଟିର ସମାନା ବିଧାନସଭା ସିଟରେ ତାଙ୍କ ଜାଗାରେ ପୂର୍ବତନ ଅକାଳି ନେତା ସୁରଜିତ ସିଂ ରଖଡ଼ାଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏହା ପରଠୁ ଜୌରାମଜରା ପାର୍ଟି ପ୍ରତି ଅସନ୍ତୁଷ୍ଟ ଥିଲେ।

ପୂର୍ବରୁ କରାଯାଇଥିଲା ଅଣାଦେଖା

ଦୁଇ ବିଧାୟକଙ୍କ ଇସ୍ତଫା ଉପରେ ଆପ୍ ପଞ୍ଜାବର ମିଡିଆ ପ୍ରଭାରୀ ବଲତେଜ ପନ୍ନୁ କହିଛନ୍ତି, ଆମ୍ ଆଦମୀ ପାର୍ଟିର ଦୁଇ ବିଧାୟକ ଆଜି ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଦୁହିଁଙ୍କ ଗତିବିଧି ଦେଖି ପାର୍ଟି ପୂର୍ବରୁ ହିଁ ଅଣଦେଖା କରି ସାରିଥିଲା। ଏବେ ଦୁହେଁ ବିଜେପିରେ ସାମିଲ୍ ହେବେ, ଯେଉଁ ବିଜେପିକୁ ପଞ୍ଜାବରେ ପ୍ରାର୍ଥୀ ମିଳୁନି।

Also Read: ୭ ବର୍ଷ କୋମାରେ ପ୍ରେମିକା ! ଚେତା ଫେରିବା ପରେ ମଥାରେ ସିନ୍ଦୂର ଭରିଲେ ପ୍ରେମିକ, ଭିଡିଓ ଭାଇରାଲ୍

ଗିରଫ ହୋଇଥିଲେ ପଠାନମାଜରା

ସନୌରରୁ ବିଧାୟକ ହରମୀତ ସିଂ ପଠାନମାଜରାଙ୍କ ବିବାଦ ସହ ପୁରୁଣା ସଂପର୍କ ରହିଛି। ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏହା ପରେ ସେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଓ ଠକାମୀ ସହ ଅନେକ ସଙ୍ଗୀନ ଅଭିଯୋଗ ହୋଇଥିଲା। ଏପରିକି ଅଦାଲତଙ୍କ ଦ୍ଵାରା ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ତଦନ୍ତରେ ସହଯୋଗ କରିବା ପାଇଁ ଭାରତ ଫେରିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଥିଲା।