ନୂଆଦିଲ୍ଲୀ, ୨/୧୧ : ଜମ୍ମୁ-କାଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ସରକାରରେ ବଡ଼ ଧରଣର ବିଦ୍ରୋହ ଦେଖାଦେଇଛି। ଶାସକ ଦଳ ନ୍ୟାସନାଲ କନଫରେନ୍ସ (ଏନସି)ର ୨୫ ଅସନ୍ତୁଷ୍ଟ ବିଧାୟକ ଦଳୀୟ ନେତୃତ୍ୱଙ୍କୁ ଦେଇଛନ୍ତି ଚରମବାଣୀ। ୧୪ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ସମର୍ଥନ ପ୍ରତ୍ୟାହାର କରିନେବାକୁ ଧମକ ଦେଇଛନ୍ତି।

ଧାର୍ଯ୍ୟ ସମୟସୀମା ମଧ୍ୟରେ ଦଳୀୟ ହାଇକମାଣ୍ଡ ଦାବି ପୂରଣ ନ କଲେ ବିଧାୟକମାନେ ରାଜଭବନ ଅଭିମୁଖେ ପଦଯାତ୍ରା କରି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ଚେତାବନୀ ଦେଇଛନ୍ତି। ବିଦ୍ରୋହୀ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରରେ ସମ୍ପୂର୍ଣ୍ଣ ସଂସ୍କାର ଦାବି କରିଛନ୍ତି। ଏଥିରେ ସମସ୍ତ ୮ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟାଙ୍କୁ ତୁରନ୍ତ ପଦଚ୍ୟୁତ ଲାଗି ଦାବି କରାଯାଇଛି। ୨୫ ଏନସି ବିଧାୟକ ଏହି ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପନ କରିଛନ୍ତି।

Also Read :- ବାଂଲାଦେଶରେ ପୁଣି ହିଂସା : ପୋଲିସକୁ ଆକ୍ରମଣ, ଜାଳିଦେଲେ ଥାନା

ବିଦ୍ରୋହୀ ଗୋଷ୍ଠୀ ସୂତ୍ର ମୁତାବକ, ସମସ୍ୟାର ସମାଧାନ ପାଇଁ ବିଧାୟକମାନେ ଦଳୀୟ ନେତୃତ୍ୱଙ୍କ ସମ୍ମୁଖରେ କିଛି ସର୍ତ୍ତ ରଖିଛନ୍ତି। ସ୍ବଚ୍ଛ ଓ ଯୋଗ୍ୟତା ଆଧାରରେ ଦଳ ଏକ ସମ୍ପୂର୍ଣ ନୂତନ ମନ୍ତ୍ରୀ ପରିଷଦ ଗଠନ କରୁ ବୋଲି ଅସନ୍ତୁଷ୍ଟ ବିଧାୟକମାନେ ଦାବି କରିଛନ୍ତି। ସେହିଭଳି ମନ୍ତ୍ରୀ ପଦ ନିଯୁକ୍ତି ନିଷ୍ପତ୍ତି ନେବା ପାଇଁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପରିବର୍ତ୍ତେ ସମଗ୍ର ବିଧାୟକ ଦଳ ସହ ଆଲୋଚନା ନିମନ୍ତେ କୁହାଯାଇଛି।

ଏହାବ୍ୟତୀତ ବିଧାୟକମାନେ ଦଳର ବୈଚାରିକ ସଂକଳ୍ପ ଓ ନିର୍ବାଚନୀ ଇସ୍ତାହାରକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଧାରା ୩୭୦, ଧାରା ୩୫ଏ ଏବଂ ଅନ୍ୟାନ୍ୟ ସମ୍ବିଧାନିକ ସୁରକ୍ଷା କବଚର ପୁନରୁଦ୍ଧାର ପାଇଁ ବଳିଷ୍ଠ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ସରକାର ବିଜେପି ନେତୃତ୍ବଧୀନ କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବିଗୁଡ଼ିକୁ ଦୃଢ଼ ଭାବେ ଉପସ୍ଥାପନ କରନ୍ତୁ ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି। ଧାର୍ଯ୍ୟ ସମୟସୀମା ଭିତରେ ଠୋସ୍ ପଦକ୍ଷେପ ନ ନେଲେ ବିଧାୟକମାନେ ରାଜଭବନ ଯାଇ ସେମାନଙ୍କର ବିଧାନସଭା ସମର୍ଥନ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରିନେବେ ବୋଲି କହିଛନ୍ତି।

ବିଦ୍ରୋହୀ ଏନସି ବିଧାୟକଙ୍କ ମଧ୍ୟରେ କାଇଜର ଜମସିଦ ଲୋନ, ମୁବାରକ ଗୁଲ୍, ନାଜିର ଅହମ୍ମଦ ଗୁରେଜି, ଅବଦୁଲ ମଜିଦ ଭଟ୍ଟ, ହସନୈନ ମସୁଦି, ଗୁଲାମ ମୋହିଉଦ୍ଦିନ ମୀର, ଜାଭିଦ ଅହମ୍ମଦ, ସୈଫଉଦ୍ଦିନ ଭଟ୍ଟ, ଫାରୁକ ଅହମ୍ମଦ ଶାହ ପ୍ରମୁଖ ରହିଛନ୍ତି।