ନୂଆଦିଲ୍ଲୀ: ଏସଆଇଆର ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟ ପକ୍ଷରୁ ‘ଦିଲ୍ଲୀ ଚଲୋ’ ମହାରାଲି ଆରମ୍ଭ ହୋଇଯାଇଛି । ତେବେ ଏହି ରାଲିକୁ ସମାଲୋଚନା କରିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଚଣ୍ଡୀଗଡ଼ରେ ଏକ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, ବିରୋଧୀଙ୍କ ‘ନକାରାତ୍ମକତା ଏବଂ ବାଧା ସୃଷ୍ଟି କରିବାର ରାଜନୀତି’ ସେମାନଙ୍କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରୁ ଦୂରରେ ରଖିବ। ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ବାର୍ଷିକୀରେ ରାଲି ଆୟୋଜନ କରି କଂଗ୍ରେସ ଶିଖ୍ ସମ୍ପ୍ରଦାୟର ଭାବନାକୁ ଗଭୀର ଆଘାତ ପହଞ୍ଚାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ସଂସଦ ଚାଲିବାକୁ ନଦେବା, ମିଛ ପ୍ରଚାର କରିବା ଏବଂ ସଂସଦୀୟ ପ୍ରସଙ୍ଗକୁ ରାସ୍ତାକୁ ଆଣି ହଙ୍ଗାମା କରିବା ଯଦି ବିରୋଧୀଙ୍କ ଅଭ୍ୟାସ, ତେବେ ସେମାନେ ଆଗାମୀ ୫ ବର୍ଷ ମଧ୍ୟ ବିରୋଧୀ ଆସନରେ ବସିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନକୁ ନେଇ ଶାହ କହିଛନ୍ତି ଯେ, ଲଗାତାର ତିନୋଟି ନିର୍ବାଚନରେ ପରାଜୟ ପରେ ବି ସୋନିଆ ଗାନ୍ଧୀଙ୍କ ନିଜ ପୁଅକୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାର ସ୍ୱପ୍ନ ପୂରଣ ହୋଇପାରି ନାହିଁ । 

ସେ କହିଛନ୍ତି, ‘ରାହୁଲ ଯଦି ଆପଣ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତେବେ ବାକି ଜୀବନ 'ମକ୍ ପାର୍ଲାମେଣ୍ଟ'ରେ ହିଁ ବିତାନ୍ତୁ । ଆପଣଙ୍କ ପାଳି କେବେ ହେଲେ ଆସିବ ନାହିଁ।’ ନଭେମ୍ବର ୧ ତାରିଖରେ ରାଲି କରିବାକୁ ନେଇ ଶାହ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ୧୯୮୪ ନଭେମ୍ବର ୧ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ହଜାର ହଜାର ଶିଖ୍‌ଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିଲା । ଅନେକ ପରିବାର ନିଃଶେଷ ହୋଇଯାଇଥିଲେ। ସେହି ଦିନ ରାଲି କରି କଂଗ୍ରେସ ପୀଡ଼ିତଙ୍କ କ୍ଷତରେ ଲୁଣ ଛିଞ୍ଚିବା ଭଳି କାମ କରିଛି ବୋଲି କହିଛନ୍ତି ଶାହ। 

ଶାହ କହିଛନ୍ତି, ‘ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବଡ଼ ମନ୍ତବ୍ୟ ଦେଇଥିଲେ, ଯାହାକୁ କେବେ ଭୁଲିପାରିବି ନାହିଁ । ରାଜୀବ ଗାନ୍ଧୀ କହିଥିଲେ, ଯେତେବେଳେ ବଡ଼ ଗଛ ତଳେ ପଡ଼େ, ସେତେବେଳେ ଭୂମିରେ କମ୍ପନ ହୁଏ । କେବଳ କଂଗ୍ରେସ ନେତା ହିଁ ଏତେ ବଡ଼ ଗଣସଂହାରକୁ ଏଭଳି ଶବ୍ଦରେ ବର୍ଣ୍ଣନା କରିପାରନ୍ତି।’ ଶାହ ଦାବି କରିଛନ୍ତି ଯେ, ମୋଦୀ ସରକାର କ୍ଷମତାକୁ ଆସିବା ପରେ ଶିଖ୍ ବିରୋଧୀ ଦଙ୍ଗାର ସମସ୍ତ ମାମଲାକୁ ପୁନର୍ବାର ଖୋଲି ତଦନ୍ତ କରାଯାଇଥିଲା। ପୀଡ଼ିତ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବା ସହ ଅପରାଧରେ ସମ୍ପୃକ୍ତ ପ୍ରମୁଖ କଂଗ୍ରେସ ନେତାଙ୍କୁ ଜେଲ୍ ପଠାଯାଇଛି। ବିଜେପି ପକ୍ଷରୁ ନଭେମ୍ବର ୧, ୨ ଏବଂ ୩ ତାରିଖରେ ରାଲି ନକରିବାକୁ ଅନୁରୋଧ କରାଯାଇଥିଲେ ବି, ବିଦେଶରୁ ମିଳିଥିବା ନିର୍ଦ୍ଦେଶ ଆଧାରରେ କଂଗ୍ରେସ ଏହି ଦିନରେ ହିଁ ରାଲି କରିଥିବା ଶାହ ଅଭିଯୋଗ କରିଛନ୍ତି।

ଅମିତ ଶାହ କଡ଼ା ଭାଷାରେ ବିରୋଧୀଙ୍କ ଏହି ରାଲିକୁ ସମାଲୋଚନା କରିଥିବା ବେଳେ ମୋଦୀ ସରକାରଙ୍କ କାର୍ଯ୍ୟର ହିସାବ ମଧ୍ୟ ଦେଇଛନ୍ତି । ଧାରା ୩୭୦ ଉଚ୍ଛେଦ ପାଖରୁ ନେଇ ନକ୍ସଲ ମୁକ୍ତ ଭାରତ ପର୍ଯ୍ୟନ୍ତ, ମୋଦୀ ସରକାର ବଡ଼ କାମ କରି ଦେଖାଇଛନ୍ତି ବୋଲି ଶାହ କହିଛନ୍ତି । ଏହା ସହ ଅମିତ ଶାହ ଦାବି କରିଛନ୍ତି ଯେ, ଡିସେମ୍ବର ୩୧, ୨୦୨୯ ସୁଦ୍ଧା ପଞ୍ଜାବ ସମେତ ସମଗ୍ର ଭାରତ ଡ୍ରଗ୍ସ ମୁକ୍ତ ହେବ ।