ନୂଆଦିଲ୍ଲୀ, ୨/୧୧ : ବାୟୁ ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ-ଏନସିଆରରେ ନଭେମ୍ବର ୧ ବା ରବିବାରଠାରୁ ନୂଆ କଟକଣା ଲାଗୁ ହୋଇଛି। ଏବେ ଦିଲ୍ଲୀ ବାହାରେ ପଞ୍ଜୀକୃତ ବିଏସ୍-୪ରୁ କମ୍ ମାନକର ଗାଡ଼ି ଜାତୀୟ ରାଜଧାନୀରେ ଚାଲିପାରିବ ନାହିଁ । ଏଥିସହ ସରକାରୀ ଏବଂ ଘରୋଇ ଅଫିସ୍ ଗୁଡ଼ିକରେ ୫୦% କର୍ମଚାରୀ ଘରୁ କାମ କରିବେ। ପବ୍ଲିକ୍ ପାର୍ଟିରେ ଗାଡ଼ି ଛିଡ଼ା କରିବା ଫି’କୁ ୨ ଗୁଣା କରାଯାଇଛି। ଏହି କଟକଣା ଯୋଗୁ ରବିବାର ସକାଳେ ୪୮ ନମ୍ବର ଜାତୀୟ ରାଜପଥରେ ଦିଲ୍ଲୀ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ମୁଖ୍ୟ ରାସ୍ତା ଏବଂ ସର୍ଭିସ୍ ରାସ୍ତାରେ ପ୍ରାୟ ୧ କିମିରୁ ଅଧିକ ଲମ୍ବା ଜାମରେ ଫସିଥିଲେ। ସେହିପରି ଧୂଳି ବାହାରୁଥିବା ନିର୍ମାଣ ଏବଂ ଭଙ୍ଗାରୁଜା କାମ ଉପରେ ମଧ୍ୟ ରୋକ ରହିଛି।

Also Read :- ଆଜି ରାତିରେ ମାଡ଼ ହେବ ବାତ୍ୟା : ୧୩୦ କିମି ବେଗରେ ପବନ ! ଓଡ଼ିଶାରେ ପୁଣି ଜଳପ୍ରଳୟ ଆଶଙ୍କା

ଅନ୍ୟପକ୍ଷରେ ଦିଲ୍ଲୀରେ ଗତ ଅକ୍ଟୋବରରେ ପୂର୍ବ ୯ ବର୍ଷରେ ବାୟୁ ସବୁଠୁ ସ୍ବଚ୍ଛ ରହିଥିଲା ବୋଲି ରେକର୍ଡ ହୋଇଛି । ଯାହା କି ବଡ଼ ଆଶ୍ବସ୍ତିକର କଥା। ଅକ୍ଟୋବରରେ ହାରାହାରି ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ୧୬୬ ରହିଥିଲା। ଦିଲ୍ଲୀ ସରକାର ଗତ ଜୁଲାଇରେ ପ୍ରଦୂଷଣ ରୋକିବା ନେଇ ଆଗୁଆ ଶୀତକାଳୀନ ଯୋଜନାକୁ ମଞ୍ଜୁରି ଦେଇଥିଲେ।

ଏହା ଅନୁସାରେ, ନଭେମ୍ବର ୧ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପ୍ରଦୂଷଣ ସହ ଜଡ଼ିତ କେତେକ କଟକଣା ଲାଗୁ ରହିବ। ନୂଆ ନିୟମ ଅନୁସାରେ, ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରର ପୁରୁଣା ଗାଡ଼ି ଦିଲ୍ଲୀର ପ୍ରବେଶ କରିପାରିବ ନାହିଁ । ନିର୍ମାଣ କାର୍ଯ୍ୟ ଉପରେ ରୋକ ରହିବ। ଫେବ୍ରୁଆରୀ ୨୮ ଯାଏ ସରକାରୀ ଏବଂ ଘରୋଇ ଅଫିସରେ ୫୦% କର୍ମଚାରୀ ଘରୁ କାମ କରିବେ। ସାର୍ବଜନିନ ପାକିଂ ସ୍ଥାନରେ ଗାଡ଼ି ପାର୍କି ଫି' ଦୁଇ ଗୁଣା ରହିବ। ତେବେ ଦିଲ୍ଲୀ ମେଟ୍ରୋକୁ ପାକିଂ ଫି' କଟକଣାରୁ ଛାଡ଼ ରଖାଯାଇଛି। ପିୟୁସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି ବୋଲି ମଧ୍ୟ ସରକାର ନିୟମ କରିଛନ୍ତି ।