କଟକ ୦୧।୧୧ : ବହୁ ବାଦ ବିବାଦ ପରେ ଓସିଏ ନିର୍ବାଚନ ପାଇଁ ଫିଟିଲା ବାଟ । ଡିସେମ୍ବର ୨୪ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ । ଏହା ପରେ ହେବ ଓସିଏ କାଉନସିଲ ନିର୍ବାଚନ । ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ନିର୍ବାଚନ ପାଇଁ ସର୍ବସମ୍ମତି । ବୈଠକରେ ୭୩ ଜଣ ସଦସ୍ୟଙ୍କ ଉପସ୍ଥିତି । ହେଲେ ବୈଠକକୁ ଡକାଯାଇନଥିବା ନେଇ ଅଭିଯୋଗ ଆଣିଲେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ତେବେ ନିର୍ବାଚନ ଲଢ଼ିବେ କି ଲଳିତେନ୍ଦୁ ? ତାକୁ ନେଇ ବଢ଼ିଲା ଚର୍ଚ୍ଚା ।

ଓସିଏ ନିର୍ବାଚନକୁ ନେଇ ଲାଗି ରହିଥିବା ବାଦ ବିବାଦ ଭିତରେ ଆସିଲା ବଡ଼ ଖବର । ନିର୍ବାଚନ ପାଇଁ ବାଟ ଫିଟାଇଲା ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ । ରବିବାର ଅନୁଷ୍ଠିତ ବୈଠକରେ ନିର୍ବାଚନ କରାଇବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଓ ଅନ୍ୟ ଅନୁଷ୍ଠାନର ୭୩ ଜଣ ସଦସ୍ୟ ଯୋଗ ଦେଇଥିଲେ । ତେବେ ଆସନ୍ତାକାଲି ହାଇକୋର୍ଟରେ ଓସିଏ ନିର୍ବାଚନ ସମ୍ପର୍କିତ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ରହିଛି । ଏହା ପୂର୍ବରୁ ନିର୍ବାଚନ ନେଇ ନିଷ୍ପତ୍ତି ନେଇଛି ଓସିଏ । ତେବେ ଡିସେମ୍ବର ୨୪ରେ ବାରବାଟୀରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପରେ ହିଁ ନିର୍ବାଚନ କରାଯିବ । ଏନେଇ ଖୁବ୍ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ।

Also Read:-କେତେ କ୍ଷତି କରିଛି ବାତ୍ୟା ‘ଅର୍ଣ୍ଣବ’ ? ୬ ଜିଲ୍ଲାକୁ ରିପୋର୍ଟ ନିର୍ଦ୍ଦେଶ !

ସେପଟେ ଏହି ବୈଠକକୁ ନିମନ୍ତ୍ରଣ ନମିଳିବା ନେଇ ଅଭିଯୋଗ ଆଣିଛନ୍ତି ଓସିଏର ଅନ୍ୟତମ ପ୍ରମୁଖ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ତେବେ ଏ ସମ୍ପର୍କରେ ଓସିଏ ସଭାପତି ଅବଗତ ହେବା ପରେ ତାଙ୍କୁ ନିଜ ତରଫରୁ ନିମନ୍ତ୍ରଣ କରିଥିବା କହିଛନ୍ତି ଲଳିତେନ୍ଦୁ । ଅନ୍ୟପଟେ ନିର୍ବାଚନ ଲଢ଼ିବା ନେଇ ନିଜ ଶୁଭେଚ୍ଛୁଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ସେ । ସେମାନଙ୍କ ପରାମର୍ଶ ମିଳିଲେ ନିଶ୍ଚିତ ଭାବେ ଓସିଏ କାଉନସିଲ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି । ଓଡ଼ିଶା କ୍ରିକେଟ୍କୁ ଏକ ନୂଆ ଶିଖରକୁ ନେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ଲଳିତେନ୍ଦୁ । ଏବେ ନଜର ରହିଛି ଡିସେମ୍ବର ୨୪ ପରବର୍ତ୍ତୀ ଓସିଏ ନିର୍ବାଚନ ଉପରେ । କିଏ ଧରିବ ଓସିଏର ମଙ୍ଗ? ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ଲଳିତେନ୍ଦୁ? ତାହା ଆଗକୁ ସ୍ପଷ୍ଟ ହେବ ।