ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ତଥା ଷ୍ଟାର୍ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଟି-୨୦ ପ୍ରତ୍ୟାବର୍ତ୍ତନ ଆଶାନୁରୂପ ହୋଇପାରି ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଜାତୀୟ ଦଳକୁ ଫେରିଥିବା ଭୁବନେଶ୍ୱର ବୋଲିଂରେ ଆଶାନୁରୂପ ସଫଳ ହୋଇପାରି ନାହାନ୍ତି। ତାଙ୍କର ଏହି ନିରାଶାଜନକ ପ୍ରଦର୍ଶନ ଯୋଗୁଁ ତାଙ୍କ ନାମରେ ଏକ ଲଜ୍ଜାଜନକ  ରେକର୍ଡ ଯୋଡ଼ି ହୋଇଯାଇଛି।

ପୂରା ସିରିଜରେ ଭୁବନେଶ୍ୱର ମୋଟ ୪ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ପ୍ରତ୍ୟେକ ମ୍ୟାଚ୍‌ରେ ନିଜର ୪ ଓଭର କୋଟା ପୂରଣ କରି ସେ ମୋଟ ୧୬ ଓଭର ବୋଲିଂ କରିଥିଲେ ମଧ୍ୟ କେବଳ ୧ଟି ମାତ୍ର ୱିକେଟ୍ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଏହି ସମୟ ମଧ୍ୟରେ ସେ ୧୧.୨୫ର ମହଙ୍ଗା ଇକୋନୋମି ରେଟରେ ମୋଟ ୧୮୦ ରନ୍ ବ୍ୟୟ କରିଥିଲେ, ଅର୍ଥାତ୍ ଓଭର ପିଛା ହାରାହାରି ୧୧ରୁ ଅଧିକ ରନ୍ ଦେଇଥିଲେ।

Also Read: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ୩ ମ୍ୟାଚ୍ ପାଇଁ ଟିମ୍‌ ଇଣ୍ଡିଆରେ ସାମିଲ ହେଲେ ବାରାମୁଲା ଏକ୍ସପ୍ରେସ୍ ଆକିବ ନବୀ

୧୮୦ ବୋଲିଂ ଆଭରେଜ୍ ସହ ଲଜ୍ଜାଜନକ ରେକର୍ଡ

ଗୋଟିଏ ଟି-୨୦ ସିରିଜ୍‌ରେ ସବୁଠାରୁ ଖରାପ ବୋଲିଂ ଆଭରେଜ୍  ରଖିବାର ଅଲୋମା ରେକର୍ଡ ଏବେ ଭୁବନେଶ୍ୱରଙ୍କ ନାମରେ ଯୋଡ଼ିହୋଇଛି। ୧୮୦ ରନ୍ ଦେଇ ମାତ୍ର ୧ ୱିକେଟ୍ ନେଇଥିବାରୁ ତାଙ୍କର ବୋଲିଂ ହାରାହାରି ୧୮୦ ରହିଛି। ଏହାପୂର୍ବରୁ ୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ନ୍ୟୁଜିଲାଣ୍ଡର କାଇଲ୍ ଜେମିସନ୍ ୧୭୫ ଆଭରେଜ୍ ରଖି ଏହି ସୂଚୀରେ ଶୀର୍ଷରେ ଥିବା ବେଳେ ଏବେ ଭୁବନେଶ୍ୱର ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ବୋଲିଂ ଆଭରେଜ୍ ହେଉଛି ଜଣେ ବୋଲର୍ ଦେଇଥିବା ମୋଟ ରନକୁ ତାଙ୍କ ଦ୍ୱାରା ନିଆଯାଇଥିବା ୱିକେଟ୍ ସଂଖ୍ୟା ଦ୍ୱାରା ଭାଗ କଲେ ମିଳୁଥିବା ସଂଖ୍ୟା। ବ୍ୟାଟିଂ ଆଭରେଜ୍ ଯେତେ ଅଧିକ ହେଲେ ଭଲ ଧରାଯାଏ, ବୋଲିଂ ଆଭରେଜ୍ ସେତିକି କମ୍ ରହିବା ଭଲ ବୋଲିଂର ସୂଚକ। ଏଭଳି ନିରାଶାଜନକ ପ୍ରଦର୍ଶନ ପରେ ଆଗାମୀ ସିରିଜଗୁଡ଼ିକ ପାଇଁ ଚୟନକର୍ତ୍ତା ଭୁବନେଶ୍ୱର କୁମାରଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରୁଛନ୍ତି କି ନାହିଁ, ତାହା ଉପରେ ଏବେ ସଭିଙ୍କ ନଜର।

Also Read: IND vs NZ: ଟି ସେଇଫର୍ଟଙ୍କ ବିସ୍ଫୋରଣ, ପଞ୍ଚମ ଟି-୨୦ ଜିତିଲା ନ୍ୟୁଜିଲାଣ୍ଡ; ସିରିଜ୍ ହାତେଇଲା ଭାରତ