ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଗତକାଲି ଚୟନକର୍ତ୍ତା ଭାରତୀୟ ଟି-୨୦ ଦଳ ଘୋଷଣା କରିଛନ୍ତି। ଚାରି ବର୍ଷ ପରେ ଟିମ୍ ଇଣ୍ଡିଆକୁ ଅଭିଜ୍ଞ ବୋଲର ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଭୁବନେଶ୍ଵରଙ୍କ ଦଳକୁ ଫେରିବା ପରେ ଏବେ ମହମ୍ମଦ ଶାମିଙ୍କ ପାଇଁ ଆଶା ଜାଗି ଉଠିଛି। ଶାମି ୨୦୨୫ ମାର୍ଚ୍ଚ ପରେ ଭାରତୀୟ ଦଳ ପାଇଁ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ଏହା ମଧ୍ୟରେ ପୂର୍ବତନ କ୍ରିକେଟର ଓ୍ଵାସିମ ଜାଫର ଚୟନକର୍ତ୍ତାଙ୍କୁ କଡ଼ା ସନ୍ଦେଶ ଦେଇ କହିଛନ୍ତି, ଭୁବନେଶ୍ଵର କୁମାରଙ୍କୁ ଚୟନ କରି କୌଣସି ଦୟା କରି ନାହାନ୍ତି।

୨୦୨୭ ଦିନିକିଆ ବିଶ୍ଵକପକୁ ଆଉ ଗୋଟିଏ ବର୍ଷରୁ କମ ସମୟ ବାକି ରହିଛି। ତଥାପି ଭାରତୀୟ ଦଳରେ ଦ୍ରୁତ ବୋଲରଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଥମିବାର ନାଁ ନେଉନି। ଚୟନକର୍ତ୍ତା ଏ ପର୍ଯ୍ୟନ୍ତ ଯୁବ ଖେଳାଳିଙ୍କ ଉପରେ ଭରସା କରି ଅଭିଜ୍ଞ ଦ୍ରୁତ ବୋଲରଙ୍କୁ ଅଣଦେଖା କରି ଚାଲିଛନ୍ତି। ହେଲେ ଶାମି ଏମିତି ଜଣେ ବୋଲର ଯିଏ ଦିନିକିଆ ବିଶ୍ଵକପ୍ ଇତିହାସରେ ଭାରତ ପାଇଁ ସର୍ବାଧିକ ୫୫ ଓ୍ଵିକେଟ୍ ନେଇଛନ୍ତି।

Also Read: BCCIର ବଡ଼ ନିଷ୍ପତ୍ତି, ଏବେ ଟିମ୍ ଇଣ୍ଡିଆର ଚୟନ କମିଟି ମିଟିଂରେ ଉପସ୍ଥିତ ରହିବେ ଭିଭିଏସ ଲକ୍ଷ୍ମଣ

ଚେତାଇଲେ ଓ୍ଵାଶିମ ଜାଫର

ଜାଫର କହିଛନ୍ତି, ଭୁବନେଶ୍ଵର କୁମାର ଭାରତୀୟ ଦଳକୁ ଫେରିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟ। ତାଙ୍କୁ ଦଳରେ ସାମିଲ୍ କରି ଚୟନକର୍ତ୍ତା କୌଣସି ଦୟା କରି ନାହାନ୍ତି। ଏହା ବ୍ୟତୀତ ଜାଫର ମହମ୍ମଦ ଶାମିଙ୍କ ପକ୍ଷ ନେଇ କହିଛନ୍ତି, ଅତି କମରେ ଶାମିଙ୍କୁ ଟେଷ୍ଟ ଦଳରେ ସାମିଲ୍ କରାଯିବା ଉଚିତ୍। ଦିନିକିଆ ବିଷୟରେ କିଛି କହି ହେବ ନାହିଁ। କାରଣ ଟିମ୍ ଗୁରନୂର ବରାର, ପ୍ରସିଦ୍ଧ କୃଷ୍ଣ ଓ ନୀତିଶ କୁମାର ରେଡ୍ଡୀଙ୍କୁ ନେଇ ପ୍ରୟୋଗ କରୁଛନ୍ତି। କିନ୍ତୁ ମୋତେ ଲାଗୁନି ଦଳ ପ୍ରବନ୍ଧକ ଏହି ବୋଲରଙ୍କ ଉପରେ ଭରସା ଅଛି।

ଜାଫର ଏହା ମଧ୍ୟ କହିଛନ୍ତି, ଆପଣ ସିରାଜଙ୍କୁ ନିୟମିତ ସୁଯୋଗ ଦେଉ ନାହାନ୍ତି। ମୁଁ ଜାଣିବାକୁ ଚାହୁଁଛି ଭାରତର ତୃତୀୟ ମୁଖ୍ୟ ଦ୍ରୁତ ବୋଲର କିଏ ? ମୋ ହିସାବରେ ଶାମିଙ୍କୁ ଦିନିକିଆ ଦଳରେ ଚୟନ କରାଯିବା ଉଚିତ୍। ପୁଣି ଦିନିକିଆ ବିଶ୍ଵକପ୍ ନିକଟତର ହେଉଛି। ଏହି ପୂର୍ବତନ ବରିଷ୍ଠ କ୍ରିକେଟର କହିଛନ୍ତି, ବିଶ୍ଵକପ୍ ପାଇଁ ତାଙ୍କର ପ୍ରଥମ ପସନ୍ଦ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି।

Also Read: ୪ ବର୍ଷ ଯନ୍ତ୍ରଣା ସହିଲେ, ହେଲେ ଭାଙ୍ଗି ନ ଥିଲା ମନୋବଳ... ଅଗରକର ହଟିବା ପରେ ଚମକିଲା ଭୁବନେଶ୍ଵର କୁମାରଙ୍କ ଭାଗ୍ୟ

ଚୟନକର୍ତ୍ତାଙ୍କ ବଡ଼ ଚିନ୍ତା

ଏମିତି ଅନେକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଟିମ୍ ଇଣ୍ଡିଆରେ ନୂଆ ଏବଂ ଅନୁଭବହୀନ ବୋଲିଂ ଆକ୍ରମଣକୁ ନେଇ ଦଲ ପ୍ରବନ୍ଧକ ଏବଂ ଚୟନକର୍ତ୍ତା ଚିନ୍ତିତ ଅଛନ୍ତି। ଓ୍ଵାସିମ ଜାଫର, ଦିନେଶ କାର୍ତ୍ତିକ ଓ କ୍ରିସମାଚାରୀ ଶ୍ରୀକାନ୍ତଙ୍କ ପରି ପୂର୍ବତନ କ୍ରିକେଟ୍ ୨୦୨୭ ବିଶ୍ଵକପ ପାଇଁ ଭାରତର ବୋଲିଂ ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

୨୦୨୫ରୁ ନେଇ ଏ ପର୍ଯ୍ୟନ୍ତ ଚୟନକର୍ତ୍ତା ଅନେକ ନୂଆ ଦ୍ରୁତ ବୋଲରଙ୍କ ପ୍ରୟୋଗ କରିଛି। ୨୦୨୫ ଜାନୁଆରୀରେ ହର୍ଷିତ ରାଣା ଦିନିକିଆରେ ପଦାର୍ପଣ କରିଥିଲେ, ମାତ୍ର ସେ ନିୟମିତ ଆହତ ହେଉଛନ୍ତି। ଗୁରନୂର ବରାର, ହର୍ଷ ଦୁବେ, ପ୍ରିନ୍ସ ଯାଦବ ଏବଂ ଅଂଶୁଲ କମ୍ବୋଜଙ୍କ ମଧ୍ୟ ଦିନିକିଆରେ ପଦାର୍ପଣ ହୋଇ ସାରିଛି। ହେଲେ ମହମ୍ମଦ ସିରାଜଙ୍କ ଉପରେ ଦଳ ପ୍ରବନ୍ଧକ ଭରସା କରୁ ନାହାନ୍ତି। କାରଣ ସେ ଦଳରେ ରହୁଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ସାମିଲ୍ କରାଯାଉ ନାହିଁ।

ବୁମରାଙ୍କ ସହ ଆଉ କିଏ ?

ପ୍ରସିଦ୍ଧ କୃଷ୍ଣାଙ୍କୁ ନିୟମିତ ଭାବେ ଦିନିକିଆ ଦଳରେ ସ୍ଥାନ ମିଳୁଛି। ମାତ୍ର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଦିନିକିଆରେ ସେ ଯେଉଁ ଭଳି ଭାବେ ପ୍ରଦର୍ଶନ କଲେ ତାହା ଦଳର ସନ୍ତୁଳନକୁ ବିଗାଡ଼ି ଦେଇଛି। କାରଣ ଯଶପ୍ରୀତ ବୁମରାଙ୍କ ବ୍ୟତୀତ ଏବେ ଦଳରେ ସେମିତି ସଠିକ୍ ଲାଇନରେ ବୋଲିଂ କରି ଅପର ପାର୍ଶ୍ଵରେ ଚାପ ସୃଷ୍ଟି କରିବା ପରି ବୋଲର ନାହାନ୍ତି। ତେଣୁ ଜାଫରଙ୍କ ମତରେ ମହମ୍ମଦ ଶାମିଙ୍କ ପରି ଅଭିଜ୍ଞ ସଂପନ୍ନ ବୋଲରଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳୁ। କାରଣ ବିଶ୍ଵକପରେ ଶାମି ଅଧିକ ଘାତକ ହେବା ସହ ରେକର୍ଡ ଦମଦାର ରହିଛି।