ନୂଆଦିଲ୍ଲୀ: ପ୍ରସିଦ୍ଧ ଆମେରିକୀୟ ନିବେଶକ ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ୱାରେନ୍ ବଫେଟ୍ ‘ବର୍କସାୟାର୍ ହାଥୱେ’ କମ୍ପାନୀର ଅଧ୍ୟକ୍ଷ ପଦରୁ ଓହରି ଯାଇଛନ୍ତି। ଏହା ସହ କର୍ପୋରେଟ୍ ଏବଂ ନିବେଶ ଜଗତରେ ଏକ ଅଧ୍ୟାୟର ଅନ୍ତ ଘଟିଛି।
୯୦ ବର୍ଷରୁ ଅଧିକ ବୟସ୍କ ୱାରେନ୍ ବଫେଟ୍ ଦୀର୍ଘ ଦଶନ୍ଧି ଧରି  କମ୍ପାନୀର ନେତୃତ୍ୱ ନେବା ପରେ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମଗ୍ର ବିଶ୍ୱର ଆର୍ଥିକ ଓ ନିବେଶ ବଜାରରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ପୂର୍ବରୁ ୨୦୨୫ ଶେଷରେ ବଫେଟ ସିଇଓ ପଦରୁ ମଧ୍ୟ ଓହରି ଯାଇଛନ୍ତି । କେବେଳ କମ୍ପାନୀର ବୋର୍ଡରେ ଜଣେ ସଦସ୍ୟ ରହିବେ ୱାରେନ୍ ବଫେଟ୍   ।

ବଫେଟଙ୍କ ପରେ କମ୍ପାନୀର ନନ୍-ଇନ୍ସୁରାନ୍ସ ବିଜନେସ୍ ଅପରେସନ୍ସର ମୁଖ୍ୟ ଗ୍ରେଗ୍ ଏବେଲ୍ ନୂତନ ସିଇଓ ହେବେ। ବଫେଟ୍ ପୂର୍ବରୁ ହିଁ ଗ୍ରେଗଙ୍କୁ ନିଜର ଉତ୍ତରାଧିକାରୀ ଭାବରେ ମନୋନୀତ କରିସାରିଥିଲେ। ବଫେଟ୍‌ ୧୯୬୫ ମସିହାରେ ଏକ ସାଧାରଣ ଟେକ୍ସଟାଇଲ୍ କମ୍ପାନୀ ଭାବରେ ଥିବା ବର୍କସାୟାର୍ ହାଥୱେକୁ କ୍ରୟ କରିଥିଲେ ଏବଂ ନିଜର ଦୀର୍ଘମିଆଦୀ 'ଭାଲ୍ୟୁ ଇନଭେଷ୍ଟିଂ' ନୀତି ବଳରେ ଏହାକୁ ବିଶ୍ୱର ସବୁଠାରୁ ବଡ଼ ତଥା ଶକ୍ତିଶାଳୀ ମଲ୍ଟି-ସେକ୍ଟର କଙ୍ଗ୍ଲୋମେରେଟରେ ପରିଣତ କରିଥିଲେ।

Also Read: ଦାନ ଧର୍ମରେ ସବୁଠାରୁ ପଛରେ ଏଲନ ମସ୍କ; ବିଲ୍‌ଗେଟ୍ସ ଦାନ କରି ନଥିଲେ ହୋଇଥାନ୍ତେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ଆପଲ୍, କୋକାକୋଲା, ଆମେରିକାନ୍ ଏକ୍ସପ୍ରେସ୍ ଭଳି ଦିଗ୍ଗଜ କମ୍ପାନୀଗୁଡ଼ିକରେ ବର୍କସାୟାରର ବୃହତ୍ତ ଅଂଶଧନ ରହିଛି।
ବଫେଟଙ୍କ ନେତୃତ୍ୱରେ କମ୍ପାନୀ ନିଜ ଶେୟାରଧାରକମାନଙ୍କୁ ଦଶନ୍ଧି ଦଶନ୍ଧି ଧରି ଅବିଶ୍ୱସନୀୟ ରିଟର୍ଣ୍ଣ ଦେଇଆସିଛି। ତାଙ୍କର ପଦତ୍ୟାଗ ପରେ ବି କମ୍ପାନୀର ଆର୍ଥିକ ଭିତ୍ତିଭୂମି ସୁଦୃଢ଼ ରହିବ ବୋଲି ଆଶା କରାଯାଉଛି, କାରଣ ସେ ପୂର୍ବରୁ ହିଁ କମ୍ପାନୀର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ୱାରେନ୍ ବଫେଟଙ୍କ ଏହି ନିଷ୍ପତ୍ତି ସହ ବିଶ୍ୱ ନିବେଶ ଜଗତରେ ଏକ ସ୍ୱର୍ଣ୍ଣିମ ଯୁଗର ସମାପ୍ତି ଘଟିଛି।