ନୂଆଦିଲ୍ଲୀ: ‘ଗୁଡ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍ ଚର୍ଚ୍ଚ’ର ସଂସ୍ଥାପକ ମ୍ୟାକେଞ୍ଜି ନିଜର ଅନୁଗାମୀମାନଙ୍କୁ ନିଜ ନିଜ ଘରଦ୍ୱାର ଛାଡ଼ି ପୂର୍ବ କେନ୍ୟାର ଶାକାହୋଲା ଜଙ୍ଗଲକୁ ଚାଲିଆସିବା ପାଇଁ ପ୍ରବର୍ତ୍ତାଇଥିଲା। ସେଠାରେ ଉପବାସ ରଖି ପ୍ରାର୍ଥନା କଲେ ଭଗବାନଙ୍କ ନିକଟତର ହୋଇପାରିବେ ଏବଂ ସ୍ୱର୍ଗପ୍ରାପ୍ତି ହେବ ବୋଲି ସେ ସେମାନଙ୍କୁ ଅନ୍ଧବିଶ୍ୱାସର ଜାଲରେ ଛନ୍ଦି ଦେଇଥିଲା। ଆଉ ଏହି ଅନ୍ଧ ବିଶ୍ବାସର ଶିକାର ହୋଇ ୧୯୧ ଜଣଙ୍କ ଜୀବନ ଯାଇଥିଲା  । ସବୁଠାରୁ ବଡ଼ କଥା ହେଉଛି, ଭୋକରେ ରହି ରହି ୧୯୦ ଶିଶୁଙ୍କ ସମେତ ମୋଟ ୧୯୧ ଜଣଙ୍କ ଜୀବନ ଯାଇଥିଲା ।  ଏହି ‘ଡୁମ୍ସଡେ କଲ୍ଟ’ର ନାୟକ  ପଲ୍ ମ୍ୟାକେଞ୍ଜିକୁ ମୋମ୍ବାସା ହାଇକୋର୍ଟ ୨୦୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।  ମ୍ୟାକେଞ୍ଜି ସହ ତାର ୨୮ ଜଣ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟ ଦଣ୍ଡିତ କରିଛନ୍ତି।

ଜାନୁଆରୀ ୨୦୨୨ ରୁ ସେପ୍ଟେମ୍ବର ୨୦୨୩ ମଧ୍ୟରେ ୧୯୦ ଜଣ ଶିଶୁ ଏବଂ ଜଣେ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରିବା ଅଭିଯୋଗରେ ଗତ ମାସରେ ମ୍ୟାକେଞ୍ଜି ଏବଂ ତାର ୨୮ ଜଣ ସହଯୋଗୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ମ୍ୟାକେଞ୍ଜିର ଓକିଲ ଏହି ରାୟ ବିରୋଧରେ ଉଚ୍ଚ ଅଦାଲତରେ ପିଲ୍ କରିବେ ବୋଲି କହିଛନ୍ତି। ଏହା ବ୍ୟତୀତ ତା ବିରୋଧରେ ପୃଥକ୍ ଭାବେ ନରହତ୍ୟା ଏବଂ ଆତଙ୍କବାଦ ସମ୍ବନ୍ଧୀୟ ମାମଲା ମଧ୍ୟ ଚାଲିଛି । 

୨୦୨୩ ମସିହାରୁ ଉପକୂଳବର୍ତ୍ତୀ ମାଲିଣ୍ଡି ସହର ନିକଟସ୍ଥ ଏହି ସଂଗଠନର ଆଡ୍ଡାରୁ ଶହ ଶହ ମୃତଦେହ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହ ଘଟଣାକୁ ‘ଶାକାହୋଲା ଜଙ୍ଗଲ ଗଣସଂହାର’ କୁହାଗଲା । କେନ୍ୟା ଜାତୀୟ ମାନବାଧିକାର ଆୟୋଗର ୨୦୨୪ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ମୋଟ ମୃତ୍ୟୁ ସଂଖ୍ୟା ୪୨୯ ରେ ପହଞ୍ଚିଥିଲା । ଅନେକ ଶବର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଏହି ଘଟଣାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରୀ ପ୍ରସିକ୍ୟୁସନ୍ ପକ୍ଷରୁ କୋର୍ଟଙ୍କୁ ମ୍ୟାକେଞ୍ଜି ପାଇଁ ମୃତ୍ୟୁଦଣ୍ଡ ଦାବି କରାଯାଇଥିଲା। କେନ୍ୟା ଆଇନରେ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଥିଲେ ସୁଦ୍ଧା ୧୯୮୭ ମସିହା ପରଠାରୁ ଦେଶରେ କାହାକୁ ଫାଶୀ ଦିଆଯାଇନାହିଁ। ବିଚାର ପ୍ରକ୍ରିୟା ସମୟରେ ପ୍ରାୟ ୧୨୦ ଜଣ ସାକ୍ଷୀ କୋର୍ଟରେ ବୟାନ ଦେଇଥିଲେ।  ଶୁକ୍ରବାର ଦିନ କୋର୍ଟରେ ହାଜର ହେବା ସମୟରେ ମ୍ୟାକେଞ୍ଜି ମୁହଁରେ  ହସ ଦେଖିବାକୁ ମିଳିଥିଲା । ସେ ଏହି ଗଣହତ୍ୟା ମାମଲାକୁ ନେଇ ଆଦୌ ବିଚଳିତ ନଥିଲା ଏବଂ ତା ପାଖରେ ପଶ୍ଚାତାପର କୌଣସି ଭାବନା ଦେଖିବାକୁ ମିଳିନଥିଲା ।