ନୂଆଦିଲ୍ଲୀ: କରାଚୀ ନିକଟରେ ଥିବା ଏକ ସମୁଦ୍ର ତଟରେ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି । ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିବା  ସ୍ଥାନରେ ଲସ୍କର-ଏ ତୋଇବା ଆତଙ୍କାବଦୀ କଣ କରୁଛନ୍ତି ? ପର୍ଯ୍ୟଟକ ଯେଉଁଠି ସ୍କୁବା ଡାଇଭିଂର ମଜା ନିଅନ୍ତି ସେଠାରେ ପାକିସ୍ତାନର ପୃଷ୍ଠପୋଷକରେ କାର୍ଯ୍ୟ କରୁଥିବା ଲସ୍କର ଆତଙ୍କବାଦୀ ଟ୍ରେନିଂ ନେଉଛନ୍ତି । ଯେମିତି କାହାକୁ ସନ୍ଦେହ ନହେବ, ସେମାନେ ପର୍ଯ୍ୟଟକ ସାଜି ସୁମୁଦ୍ରରେ ଆକ୍ରମଣ କରିବାର ଶୈଳୀ ଶିଖୁଛନ୍ତି । ସ୍କୁବା ଡାଇଭିଂ, କମ୍ବାଟ୍‌ ସ୍ବିମିଂ ଏବଂ ଗଭୀର ସମୁଦ୍ରରେ ଆକ୍ରମଣ କରିବାର କଳା ଶିଖୁଛନ୍ତି ଆତଙ୍କବାଦୀ ।

କରାଚୀଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ ଚାର୍ନା ଆଇଲ୍ୟାଣ୍ଡ । ସେଠାରେ ଆତଙ୍କବାଦୀମାନଙ୍କୁ ଆକ୍ରମଣ ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଦ୍ୱୀପଟି ସ୍କୁବା ଡାଇଭିଂ ପାଇଁ ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ । ଆତଙ୍କବାଦୀମାନେ ସେଠାରେ ବୁଲିବାକୁ ଆସିଥିବା ସାଧାରଣ ପର୍ଯ୍ୟଟକଙ୍କ ଭଳି ଅଭିନୟ କରି ତାଲିମ୍ ନେଉଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଗୋଷ୍ଠୀକୁ ‘ଦାୱା ମେରାଇନ୍ ୱିଙ୍ଗ୍’ କିମ୍ବା ‘ସଦା-ଏ-ହୁରିୟତ’ ନାମରେ ଚିହ୍ନଟ କରିଛନ୍ତି।

ଏହା ପୂର୍ବରୁ ଲସ୍କରର ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀରର ମଙ୍ଗଳା ଡ୍ୟାମ୍ ଏବଂ କିଛି ଆତଙ୍କବାଦୀ ଲଞ୍ଚପ୍ୟାଡରେ ତିଆରି ହୋଇଥିବା ସୁଇମିଂ ପୁଲ୍‌ରେ ପ୍ରଶିକ୍ଷଣ ନେଉଥିଲେ । ଏହିସବୁ ଲଞ୍ଚପ୍ୟାଡ୍‌ଗୁଡ଼ିକୁ ଭାରତ ପୂର୍ବରୁ ସଠିକ୍ ସାମରିକ ଆକ୍ରମଣ ଏବଂ କ୍ରୁଜ୍ ମିସାଇଲ୍ ଦ୍ୱାରା ଧ୍ୱଂସ କରିସାରିଛି। ଚାର୍ନା ଆଇଲ୍ୟାଣ୍ଡରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା ବ୍ୟକ୍ତିମାନେ ପାକିସ୍ତାନୀ ମର୍କଜି ମୁସଲିମ୍ ଲିଗର ସଦସ୍ୟ । ଏହା ଲସ୍କର-ଏ-ତୋଇବାର ଏକ ପ୍ରକ୍ସି ସଂଗଠନ। 

୨୦୦୮ ମୁମ୍ବାଇ ୨୬/୧୧ ଆକ୍ରମଣ ସମୟରେ ଆତଙ୍କବାଦୀମାନେ ସମୁଦ୍ର ପଥ ଦେଇ ଭାରତକୁ ଆସିଥିଲେ। ସେବେଠାରୁ ଲସ୍କର ଏକ ଛୋଟ ଜଳପଥ ଗୋଷ୍ଠୀ ରଖିଥିଲା । କିନ୍ତୁ ଏବେ ସମୁଦ୍ର ମାଧ୍ୟମରେ ବଡ଼ ଧରଣର ଆକ୍ରମଣ କରିବାକୁ ନିଜର ଦକ୍ଷତା ବୃଦ୍ଧି କରୁଛି ଏହି ଆତଙ୍କୀ ସଂଗଠନ । ତେବେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି । ସମୁଦ୍ର ପଥରୁ ଆସବାକୁ ଥିବା କୌଣସି ବିପଦର କଡ଼ା ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ।