ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା କ୍ରୀଡ଼ାରେ ପଦକ ବିଜେତାଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ଖେଳାଳିଙ୍କୁ କହିଛନ୍ତି ଯେ ସବୁଠାରୁ ଉଚ୍ଚ ଉଡାଣ ସାହସରେ ହୋଇଥାଏ ବୋଲି ଆପଣମାନେ ପୁଣି ଥରେ ପ୍ରମାଣିତ କରିଛନ୍ତି । ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ସେ କହିଛନ୍ତି ଯେ ପାରା ଗେମ୍ସରେ ୧୪ରୁ ୧୧୪ ପଦକ ଯାଏଁର ଯାତ୍ରା ଆପଣ ସମସ୍ତଙ୍କ କଠିନ ପରିଶ୍ରମ, ଅତୁଟ ସମର୍ପଣ ଏବଂ ଆପଣଙ୍କ ସଫଳତାକୁ ସାହାରା ଦେବା ପାଇଁ ତିଆରି କରାଯାଇଥିବା ମଜଭୁତ ଇକୋସିଷ୍ଟମର ପରିଣାମ ଅଟେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଏସୀୟ ପାରା କ୍ରୀଡ଼ା ୨୦୨୬ରେ ଅଂଶଗ୍ରହଣ କରିଥିବା ଭାରତୀୟ ଟିମ୍ ସହ ଖୋଲା ଆଲୋଚନା କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ୨୦୧୪ମସିହା ପରେ ଦେଶ ଯେତେବେଳ ବଡ଼ ଲକ୍ଷ୍ୟ ଆଡ଼କୁ ନିଜ ଯାତ୍ରା ଆରମ୍ଭ କରିଥିଲା, ସେତେବେଳେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଥିଲା । ଅଧିକାଂଶ ଅଭିଭାବକ ନିଜ ପିଲାଙ୍କୁ ଖେଳ ପାଇଁ ପଠାଇବାକୁ ଭୟ କରିଥିଲେ ଏବଂ ନିଜେ ମଧ୍ୟ ଡରୁଥିଲେ । ଜର୍ଜରିତ ବ୍ୟବସ୍ଥା, ସମ୍ୱଳର ଅଭାବ, ସହଯୋଗର ଅଭାବ, ପାରଦର୍ଶିତାର ଅଭାବ, ଲୋକ କହୁଥିଲେ ଏହି ସିଷ୍ଟମରେ କିଛି ହୋଇପାରିବ ନାହିଁ । ଏହିପରି ସବୁ ଚାଲିଥିବ । କିନ୍ତୁ ଆପଣମାନେ ଯେପରି କୌଣସି ସ୍ଥିତିରେ ହାରି ନାହାନ୍ତି, ଠିକ୍ ସେହିପରି ଦେଶ ମଧ୍ୟ କେବଳ ନିଜ ଲକ୍ଷ୍ୟ ଆଡ଼କୁ ହିଁ ଦେଖିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ସ୍ଥିର କରିଥିଲୁ ଯେ ଆମେ ଆମ ଯୁବପିଢିଙ୍କ ପ୍ରତିଭାକୁ ବର୍ବାଦ ହେବାକୁ ଦେବୁ ନାହିଁ । ଏଥିାଇଁ ଯେଉଁ ସିଷ୍ଟମ ଆପଣଙ୍କ ପରି ଯୁବାଙ୍କ ରାସ୍ତାରେ ବାଧା ଥିଲା, ଆମେ ସେହି ସିଷ୍ଟମକୁ ବଦଳାଇବା ଲାଗି ସଂକଳ୍ପ ନେଲୁ । ଏହାର ପରିଣାମ ହେଉଛି ଖେଳକୁ ନେଇ ନୂତନ ଧାରଣା ସୃଷ୍ଟି ହେଲା । ଆଜି ଯଦି ଜଣେ ଯୁବକକୁ ନିଜ ଦକ୍ଷତା ଉପରେ ଭରସା ଅଛି, ତେବେ ତା ସହିତ ଦେଶ ଛିଡ଼ା ହେବ ବୋଲି ବିଶ୍ୱାସ ମଧ୍ୟ କରୁଛି ।

ଏସୀୟ ପାରା କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ଚମତ୍କାର ପ୍ରଦର୍ଶନ କଥା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, "ଏଥର, ୩୦ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୯ ବ୍ରୋଞ୍ଜ, ୫ ନୂତନ ବିଶ୍ୱ ରେକର୍ଡ, ୯ ଏସୀୟ ରେକର୍ଡ... ଆପଣମାନେ ସମଗ୍ର ଦେଶକୁ ଗର୍ବରେ ଭରି ଦେଇଛନ୍ତି । ଏଥିରୁ ବି ୪ଟି ଇଭେଣ୍ଟରେ ପୋଡିୟମରେ ତିନୋଟି ସ୍ଥାନରେ ଆମ ପତାକା ଥିଲେ, ଆମର ଖେଳାଳିମାନେ । ସେହି ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲା । ପ୍ରତିଯୋଗିତାର ଶେଷ ଦିନରେ ଆପଣ ଆଶ୍ଚର୍ଯ୍ୟ କରିଥିଲେ । ଆପଣ ୯ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ମନେ ହେଉଥିଲା ଆପଣ ନିଷ୍ପତ୍ତି ନେଇଥିଲେ ଖେଳ ଶେଷ ନ ହେବା ଯାଏ ପଦକ ବନ୍ଦ ହେବ ନାହିଁ । ଏଥର ୫୬ ମହିଳା ଖେଳାଳିଙ୍କ ମଧ୍ୟରୁ ୩୪ ଝିଅ ପଦକ ବିଜେତା ହୋଇଛନ୍ତି ।"

 

ପିଏମ୍ ମୋଦୀ କହିଛନ୍ତି, "ଦିନେ ସମୟ ଥିଲା ଯେତେବେଳେ ଅଧିକାଂଶ ଅନ୍ତର୍ଜାତୀୟ କ୍ରୀଡାରେ ଭାରତର ଅଂଶଗ୍ରହଣକୁ କେବଳ ଔପଚାରିକତା ବୋଲି ବିବେଚନା କରାଯାଉଥିଲା । ପାରା କ୍ରୀଡାରେ ଆମ ଦେଶ ବହୁତ ପଛରେ ଥିଲା । ୨୦୧୦ ଏସୀୟ ପାରା ଗେମ୍ସରେ ଭାରତ କେବଳ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ମାତ୍ର ୧୪ ପଦକ ଜିତିଥିଲା । କିନ୍ତୁ ଏଥର, ଆମ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୧୧୪ ପଦକ ଜିତିଛନ୍ତି । ୧୪ରୁ ୧୧୪ ପଦକ ପର୍ଯ୍ୟନ୍ତ ଏହି ଯାତ୍ରା ଆପଣଙ୍କ କଠିନ ପରିଶ୍ରମ, ଆପଣଙ୍କ ଅଟଳ ସମର୍ପଣ ଏବଂ ଆପଣଙ୍କ ସଫଳତାକୁ ସମର୍ଥନ କରିବା ପାଇଁ ଆମେ ସୃଷ୍ଟି କରିଥିବା ଦୃଢ଼ ଇକୋସିଷ୍ଟମର ସିଧାସଳଖ ଫଳାଫଳ । "