ନୂଆଦିଲ୍ଲୀ: ମହାକାଶରେ ମହାଯୁଦ୍ଧ ଲାଗି ସମରସଜ୍ଜା । ସ୍ପେସ୍‌ ଓ୍ବାର ପାଇଁ ବଡ଼ ପ୍ରସ୍ତୁତି କରୁଛି କି ରୁଷ ? ଗତ ମାସରେ ଫିନଲାଣ୍ଡର ଏକ ସାଟେଲାଇଟ୍‌ ବା ଉପଗ୍ରହର ନିକଟତର ହୋଇଥିଲା ରୁଷର ସାମରିକ ସାଟେଲାଇଟ୍‌ । ମହାକାଶରେ ଆକ୍ରମଣ ଲାଗି ଏହା ରୁଷର ‘ରିହର୍ସଲ୍‌’ ବୋଲି କୁହାଯାଉଛି । ଫିନଲ୍ୟାଣ୍ଡର କମ୍ପାନୀ ‘ICEYE’ ଦ୍ୱାରା ପରିଚାଳିତ ‘X36’ ନାମକ ଏହି ସାଟେଲାଇଟ୍ ପାଶ୍ଚାତ୍ୟ ଦେଶଗୁଡ଼ିକର ସରକାର, ସେନା ଏବଂ ୟୁକ୍ରେନକୁ ଗୁରୁତ୍ୱପୂର୍ଣ୍ଣ ରାଡାର ଇମେଜେରୀ ଯୋଗାଇଥାଏ। 

ଆମେରିକାର ମନ୍ତ୍ରୀ ଥୋମାସ ଡିନାନ୍ନୋ ଏକ୍ସରେ ଲେଖିଛନ୍ତି ଯେ, ଅକ୍ଟୋବର ମଧ୍ୟଭାଗରେ ରୁଷର ସାମରିକ ସାଟେଲାଇଟ୍ ‘କସମସ ୨୬୧୨’ ଗତିବିଧି ଆକସ୍ମିକ ଘଟଣା ନଥିଲା ବରଂ ଏହା ଉଦ୍ଦେଶ୍ୟମୂଳକ ଭାବରେ ଅନ୍ୟ ଏକ ବ୍ୟବସାୟିକ ସାଟେଲାଇଟ୍‌ର ଅତି ପାଖକୁ ଛଡ଼ାଯାଇଥିଲା। ମହାକାଶ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ନିମ୍ନ ପୃଥିବୀ କକ୍ଷପଥରେ ରୁଷର କୌଣସି ସାମରିକ ମହାକାଶଯାନ ଏକ ବ୍ୟବସାୟିକ ସାଟେଲାଇଟ୍‌ର ଏତେ ନିକଟତର ହେବା ଘଟଣା ବିରଳ। 

ମହାକାଶ ବିଶେଷଜ୍ଞ ଗ୍ରେଗ୍ ଗିଲିଞ୍ଜର କହିଛନ୍ତି ଯେ, ଏହା ଭବିଷ୍ୟତର ବଡ଼ ଆକ୍ରମଣ ପୂର୍ବରୁ କରାଯାଇଥିବା ପ୍ରସ୍ତୁତି ଭଳି ମନେହେଉଛି । ଅନ୍ୟ ଦେଶର ସାଟେଲାଇଟ୍‌ର ନିକଟତର ହେବା ସହ ରୁଷ ନିଜର ଆକ୍ରମଣାତ୍ମକ ମନୋଭବା ପୋଷଣ କରିଛି । ୟୁକ୍ରେନକୁ ଗୁପ୍ତଚର ସୂଚନା ଏବଂ ଚିତ୍ର ଯୋଗାଉଥିବା ବ୍ୟବସାୟିକ ସାଟେଲାଇଟ୍‌କୁ ଟାର୍ଗେଟ କରାଯାଇପାରେ ବୋଲି ମୋସ୍କୋ ପୂର୍ବରୁ ସ୍ପଷ୍ଟ ଚେତାବନୀ ଦେଇସାରିଛି।

ଏଭଳି ଘଟଣାରୁ ଜଣାପଡ଼ୁଛି ଯେ, ସ୍ପେସ୍‌ଏକ୍ସ ଭଳି ଅନ୍ୟ ବ୍ୟବସାୟିକ ସାଟେଲାଇଟ୍‌ଗୁଡ଼ିକ ଉପରେ ରୁଷ ଆଗାମୀ ଦିନରେ ଆକ୍ରମଣ କରିପାରେ । କସମସ ୨୬୧୨ ସାଟେଲାଇଟ୍‌ କେବଳ ଗୁଇନ୍ଦା ସୂଚନା ସଂଗ୍ରହ କରିବା ପାଇଁ ଆସିନଥିଲା, ବରଂ ସାଟେଲାଇଟ୍‌କୁ ସିଧାସଳଖ ଆକ୍ରମଣ କରି ଧ୍ୱଂସ କରିବାର କ୍ଷମତା ପରୀକ୍ଷା କରୁଥିଲା। କେବଳ ସୂଚନା ସଂଗ୍ରହ ପାଇଁ  X36 ର ଏତେ ନିକଟତର ହେବାର ଆବଶ୍ୟକତା ନଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଆମେରିକାର ‘ସ୍ଲିଙ୍ଗସଟ୍ ଏରୋସ୍ପେସ୍’ ଅନୁଯାୟୀ, କସମସ୍‌ ୨୬୧୨ କୁ ଏକ ‘ସର୍ଭିସିଂ ଇନ୍ସପେକ୍ସନ୍ ସାଟେଲାଇଟ୍’ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଏପ୍ରିଲ୍ ମାସରେ ରୁଷ ୬ଟି ସାମରିକ ସାଟେଲାଇଟ୍ ଉତକ୍ଷେପଣ କରିଥିଲା । ସେଥିମଧ୍ୟରୁ ୪ଟି ସାଟେଲାଇଟ୍‌କୁ ମେ ମାସରେ X36 ନିକଟରେ ଅବସ୍ଥାପିତ କରାଯାଇଥିଲା। ସେପଟେ ICEYEର ମୁଖ୍ୟ କହିଛନ୍ତି ଯେ, କମ୍ପାନୀ ନିଜ ସାଟେଲାଇଟ୍‌କୁ ରୁଷୀୟ ସାଟେଲାଇଟ୍‌ଠାରୁ ଦୂରକୁ ନେବାକୁ ଚେଷ୍ଟା କରିଥିଲା। କିନ୍ତୁ ରୁଷୀୟ ସାଟେଲାଇଟ୍‌ ଏହାର ପିଛା କରି ନିକଟତର ହୋଇଥିଲେ।

ରୁଷର ଆଉ ଏକ ସାମରିକ ସାଟେଲାଇଟ୍‌, ICEYEର ଅନ୍ୟ ଏକ ସାଟେଲାଇଟ୍ ‘X37’ ଆଡ଼କୁ ଗତି କରୁଛି । ଫିନଲାଣ୍ଡର ଏହି ସାଟେଲାଇଟ ପ୍ରତି ଭୟ ସୃଷ୍ଟି ହୋଇଥିବା ବେଳେ, ଦେଶର ସରକାର ସ୍ଥଳଭାଗରେ ବି ନିଜର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରୁଛନ୍ତି । ରୁଷ, ଫିନଲାଣ୍ଡ ବିରୋଧରେ ‘ହାଇବ୍ରିଡ୍‌ ଓ୍ବାର’ ମଡେଲ ଆପଣାଇଛି । ବିଶେଷ କରି ଶରଣାର୍ଥୀ ସଙ୍କଟ ବଢ଼ାଇବାକୁ ରୁଷ ଚେଷ୍ଟା ଚଳାଇଛି ବୋଲି ଫିନଲାଣ୍ଡ ଅଭିଯୋଗ କରିଛନ୍ତି । ୨୦୨୩ରେ ସିରିଆ, ଇରାକ୍ ଏବଂ ୟେମେନ୍‌ର ପ୍ରାୟ ୧,୩୦୦ ନାଗରିକଙ୍କୁ ଫିନଲ୍ୟାଣ୍ଡ ସୀମା ପାର୍ କରିବାରେ ସାହାଯ୍ୟ କରିଥିଲା ରୁଷ । ଅନ୍ୟପଟେ ଫିନଲାଣ୍ଡ ଉପରେ ଆକ୍ରମଣ କରିବାର କୌଣସି ଯୋଜନା ନାହିଁ ବୋଲି କହିସାରିଛନ୍ତି ରୁଷ୍‌ ରାଷ୍ଟ୍ରପତି ପୁଟିନ ।