ଚେନ୍ନାଇ ,୨୧ /୧୧ -; ତାମିଲନାଡୁ ରାଜନୀତିରେ ପୁଣି ଚର୍ଚ୍ଚାରେ କୋଲାଥୁର ବିଧାନସଭା ଆସନ। ଟିଭିକେ ବିଧାୟକ ଭିଏସ୍ ବାବୁଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଏହି ଆସନ ଖାଲି ପଡ଼ିଛି। ଏହା ପରେ ଏଠାରେ ଉପନିର୍ବାଚନ ହେବା ନେଇ ପଥ ପ୍ରସ୍ତୁତ ହୋଇଛି। ତେବେ ଏହି ଉପନିର୍ବାଚନରେ ଡିଏମ୍କେ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ପୁଣି ଥରେ ପ୍ରାର୍ଥୀ ହେବେ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି।

ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଲାଥୁର ଆସନରୁ ଷ୍ଟାଲିନଙ୍କୁ ପରାସ୍ତ କରି ଭିଏସ୍ ବାବୁ ଚର୍ଚ୍ଚାକୁ ଆସିଥିଲେ। ୨୦୧୧ରୁ ଏହି ଆସନକୁ ପ୍ରତିନିଧିତ୍ୱ କରିଆସୁଥିବା ଷ୍ଟାଲିନଙ୍କ ପରାଜୟ ଡିଏମ୍କେ ପାଇଁ ଏକ ବଡ଼ ଝଟ୍କା ଥିଲା। ଏହା ସହିତ ରାଜ୍ୟରେ ଡିଏମ୍କେ କ୍ଷମତା ହରାଇଥିବା ବେଳେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ଟିଭିକେ କ୍ଷମତାକୁ ଆସିଥିଲା।

ବାବୁଙ୍କ ମୃତ୍ୟୁ ପରେ କୋଲାଥୁର ଆସନରେ ଷ୍ଟାଲିନ ପୁଣି ଥରେ ନିର୍ବାଚନ ଲଢ଼ିବା ଉଚିତ ବୋଲି ଡିଏମ୍କେର କିଛି ନେତା ମତ ଦେଇଛନ୍ତି। ଡିଏମ୍କେ ସାଂସଦ ସି. ରବୀନ୍ଦ୍ରନ କହିଛନ୍ତି ଯେ ଏ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର କେବଳ ଷ୍ଟାଲିନଙ୍କର। ତେବେ ଜଣେ ଦଳୀୟ କର୍ମୀ ଭାବେ ସେ ଷ୍ଟାଲିନଙ୍କୁ ପୁଣି ଥରେ ନିର୍ବାଚନ ମଇଦାନରେ ଦେଖିବାକୁ ଚାହୁଁଥିବା କହିଛନ୍ତି। ରବୀନ୍ଦ୍ରନଙ୍କ କହିବା ଅନୁସାରେ, କୋଲାଥୁର ହେଉଛି ଦଳର ନେତାଙ୍କ ଆସନ। ଏଠାରୁ ନିର୍ବାଚନ ଲଢ଼ିବେ କି ନାହିଁ, ସେ ନିଷ୍ପତ୍ତି ଷ୍ଟାଲିନ ନିଜେ ନେବେ। ଦଳର କର୍ମୀମାନେ ତାଙ୍କୁ ପୁଣି ଥରେ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି।

ସଦ୍ୟ ବିଧାନସଭା ନିର୍ବାଚନରେ ଭିଏସ୍ ବାବୁ ୮୨,୯୯୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଷ୍ଟାଲିନଙ୍କୁ ମିଳିଥିଲା ୭୪,୨୦୨ ଖଣ୍ଡ ଭୋଟ୍। ଫଳରେ ବାବୁ ୮,୭୯୫ ଭୋଟ୍ରେ ଷ୍ଟାଲିନଙ୍କୁ ପରାସ୍ତ କରିଥିଲେ। ଏହି ପରାଜୟ ସହ କୋଲାଥୁର ଆସନରେ ଷ୍ଟାଲିନଙ୍କ ଦୀର୍ଘ ବିଜୟ ଧାରାର ଅନ୍ତ ଘଟିଥିଲା।

ଭିଏସ୍ ବାବୁ ନିଜର ରାଜନୈତିକ ଜୀବନ ଡିଏମ୍କେରୁ ଆରମ୍ଭ କରିଥିଲେ। ଦଳରେ ବିଭିନ୍ନ ଦାୟିତ୍ୱ ତୁଲାଇବା ସହ ଚେନ୍ନାଇ (ଉତ୍ତର) ଜିଲ୍ଲା ସଚିବ ପଦରେ ମଧ୍ୟ ରହିଥିଲେ। ୨୦୦୬ରେ ସେ ପୁରସୈୱାକ୍କମ୍ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୧ ପର୍ଯ୍ୟନ୍ତ ଏହି ଆସନର ବିଧାୟକ ଥିଲେ। ପରବର୍ତ୍ତୀ ସମୟରେ ସେ ଡିଏମ୍କେ ଛାଡ଼ି ଏଆଇଏଡିଏମ୍କେରେ ଯୋଗ ଦେଇଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ଟିଭିକେରେ ସାମିଲ ହୋଇ କୋଲାଥୁର ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ।

କୋଲାଥୁର ଉପନିର୍ବାଚନ ଡିଏମ୍କେ ପାଇଁ ନିଜର ହରାଇଥିବା ରାଜନୈତିକ ସ୍ଥିତିକୁ ପୁଣି ସୁଦୃଢ଼ କରିବାର ଏକ ସୁଯୋଗ ହୋଇପାରେ। ଅନ୍ୟପକ୍ଷରେ, ଷ୍ଟାଲିନ ଯଦି ପୁଣି ଥରେ ଏହି ଆସନରୁ ନିର୍ବାଚନ ଲଢ଼ନ୍ତି, ତେବେ ତାଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ। କାରଣ, ପୁଣି ଥରେ ପରାଜୟ ହେଲେ ତାଙ୍କ ରାଜନୈତିକ ପ୍ରତିଷ୍ଠା ଉପରେ ଅଧିକ ପ୍ରଭାବ ପଡ଼ିପାରେ।

ALSO READ- ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ, ଗସ୍ତ ଚୂଡ଼ାନ୍ତ ହେଲେ ଦିଆଯିବ ସୂଚନା

ସେହିପରି ଟିଭିକେ ପାଇଁ ମଧ୍ୟ ଏହି ଉପନିର୍ବାଚନର ଗୁରୁତ୍ୱ ରହିଛି। ବିଧାନସଭା ନିର୍ବାଚନରେ ଡିଏମ୍କେଠାରୁ ଛଡ଼ାଇ ଆଣିଥିବା ଏହି ଆସନକୁ ଦଳ ପୁଣି ନିଜ ଅଧୀନରେ ରଖିବାକୁ ଚାହିଁବ। ଏହା ସହିତ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ପ୍ରତି ଭୋଟରଙ୍କ ସମର୍ଥନ କେତେ ଦୃଢ଼ ରହିଛି, ତାହା ମଧ୍ୟ ଏହି ଉପନିର୍ବାଚନରୁ ଜଣାପଡ଼ିବ। ଏବେ ସମସ୍ତଙ୍କ ନଜର ନିର୍ବାଚନ ଆୟୋଗଙ୍କ ପରବର୍ତ୍ତୀ ଘୋଷଣା ଏବଂ ଷ୍ଟାଲିନଙ୍କ ନିଷ୍ପତ୍ତି ଉପରେ ରହିଛି।